ପିସି ପାଇଁ ପୋଲ ଭୁଶୁଡିଲା !

18

କନକ ବ୍ୟୁରୋ : ଯନ୍ତ୍ରୀଙ୍କ ଅବହେଳାରୁ ବରଗଡରେ ଭୁଶୁଡିପଡିଲା ବିଜୁ ସେତୁ । ନିର୍ଦ୍ଧାରିତ ସମୟ ପୂର୍ବରୁ ସେଂଟ୍ରିଂ ଖୋଲିବା କାରଣରୁ ଘଟିଗଲା ଏଭଳି ଦୁର୍ଘଟଣା । ଆଜି ଘଟଣାସ୍ଥଳରେ ଅନୁଧ୍ୟାନ ପରେ ଏହି ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ । ଏପଟେ ସେତୁ ଭୁଷୁଡିବା ଘଟଣାରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ନିର୍ବାହୀ ଯନ୍ତ୍ରୀଙ୍କ ସମେତ ୩ ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି । ହେଲେ ଭୁବନେଶ୍ୱର ପରେ ବରଗଡ଼, ମାତ୍ର ୧୪ ଦିନର ବ୍ୟବଧାନରେ ଦୁଇ ଦୁଇଟି ବଡ଼ଧରଣର ଅଘଟଣ ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟଶୈଳୀକୁ ପ୍ରଶ୍ନ ଘେରରେ ଠିଆ କରିଛି ।

ସେପଟେମ୍ବର ୧୦, ୨୦୧୭ : ଭୁଷୁଡ଼ି ପଡ଼ିଲା ବମିଖାଲ ଓଭରବ୍ରିଜ୍
କେହି କିଛି ବୁଝିବା ଆଗରୁ ମୁଣ୍ଡ ଉପରେ ଖସିପଡ଼ିଥିଲା ମୃତ୍ୟୁର ପୋଲ । ଲୋକଙ୍କ ମନରୁ ଲିଭିବା ଆଗରୁ ବରଗଡ଼ରୁ ପୁଣି ଆସିଲା ପୋଲ ଭୁଷୁଡ଼ିବାର ଆଉ ଖବର ।

ସେପଟେମ୍ବର ୨୪, ୨୦୧୭ : ଖସିପଡ଼ିଲା ବରଗଡ଼ର ବିଜୁ ସେତୁ
ଦୁଇଟି ଅଘଟଣ, ବ୍ୟବଧାନ ମାତ୍ର ୧୪ ଦିନ । ଦୁଇ ସପ୍ତାହ ଭିତରେ ଓଡ଼ିଶା ଦେଖିଲା ଦୁଇଟି ବଡ଼ଧରଣର ଅଘଟଣ ।

ଭୁଲ ରହୁଛି କେଉଁଠି ! କାହିଁକି ଭୁଷୁଡ଼ିଲା ପୋଲ ?
ମୁଖ୍ୟତଃ ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାକୁ ଆଜି ବରଗଡ଼ ଜିଲ୍ଲାର ବୁଟେନପାଲିରେ ପହଂଚିଥିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଟିମ୍ । ଆଉ ଠିକ୍ ଏତିକି ବେଳେ ଲୋକଙ୍କ ରାଗର ଶିକାର ହେବାକୁ ପଡ଼ିଥିଲା । ନିମ୍ନମାନର କାମ ହୋଇଥିବା ଅଭିଯୋଗ କରି, ଅନୁଧ୍ୟାନ ପାଇଁ ଆସିଥିବା ମୁଖ୍ୟଯନ୍ତ୍ରୀଙ୍କୁ ଘେରି ଯାଇଥିଲେ ସ୍ଥାନୀୟ ଲୋକେ ।

ଜାରି ହୋଇଥିବା ନିର୍ଦ୍ଦେଶନାମାର ଉଲଂଘନ ହୋଇଥିବା ଦର୍ଶାଇ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ୩ ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଏସ୍ଡିଓ କମଳାକାନ୍ତ ତରିଆ ଏବଂ ଜେଇ ମନୋରଂଜନ ମହାପାତ୍ରଙ୍କୁ ଗିରଫ କରାଯାଇଛି । ଗୋଟିଏ ବର୍ଷ ଭିତରେ ତିନି-ତିନିଟି ପୋଲ ଭୁଷୁଡିବା ଘଟଣା ସାମ୍ନାକୁ ଆସିବା, ସାଧାରଣ ଲୋକଙ୍କୁ ଯେତିକି ବିବ୍ରତ କରିଛି, ରାଜନୈତିକ ଦଳ ଗୁଡ଼ିକୁ ବି ସରକାରଙ୍କୁ ଘେରିବାକୁ ମୌକା ଆଣିଦେଇଛି ।

ବିଭାଗୀୟ ମନ୍ତ୍ରୀଙ୍କ ଏହି ସଫେଇ ଭିତରେ ପ୍ରଶ୍ନ ଉଠୁଛି-
-ବାରମ୍ବାର ପୋଲ ଭୁଷୁଡ଼ିବାର ଖବର ଆସୁଥିଲେ ବି କାହିଁକି ଭାଙ୍ଗୁନି ସରକାରଙ୍କ ନିଦ ?

-ନିମ୍ନମାନର କାମ କରୁଥିବା ଠିକା ସଂସ୍ଥାକୁ କାହିଁକି କଳାତାଲିକା ଭୁକ୍ତ କରୁନି ପ୍ରଶାସନ ?

ଗୁରୁପ୍ରୀୟ ସେତୁଠୁ ଆରମ୍ଭ କରି ମହାନଦୀ ପୋଲ, ଫାୟର ଷ୍ଟେସନ୍ ଫ୍ଲାଏ ଓଭରରୁ ଆରମ୍ଭ କରି ବୋମିଖାଲ ଫ୍ଲାଏ ଓଭର, ଗୋଟିଏ ଗୋଟିଏ ଅଘଟଣ ଖବର ଆସୁଛି, ହେଲେ ଉତରଦାୟୀତ୍ୱ ନେଲା ବେଳକୁ କାହାରି ଦେଖା ମିଳୁନି ।