ଆଗାମୀ ନିର୍ବାଚନରେ ମମତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିପାରେ ମହାମେଣ୍ଟ : ମମତାଙ୍କୁ ପୂର୍ଣ୍ଣ ସମର୍ଥନ ଘୋଷଣା କଲେ ଜେଡିଏସର ନେତା ଏଚ ଡି ଦେବଗୈାଡା।

26

କନକ ବ୍ୟୁରୋ : ଆଗାମୀ ସାଧାରଣ ନିର୍ବଚନକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ରାଜନୈତିକ ଦଳ ଅନେକ କାର୍ଯ୍ୟକ୍ରମ ସହ ସଭାସମିତି ଆରମ୍ଭ କରି ଲୋକମାନଙ୍କୁ ନିଜ ଦଳକୁ ସମର୍ଥନ ଦେବା ପାଇଁ କୁହାଯାଇଛି । ତେବେ ମୋଦିଙ୍କୁ ନିର୍ବାଚନରେ ଚକମା ଦେବାପାଇଁ ଅନେକ ବିରୋଧୀ ଦଳ ମିଶି ମହାମେଣ୍ଟ କରିଛନ୍ତି । ତେବେ ଏହି ମେଣ୍ଟରେ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବ ସେନେଇ କୈାଣସି ନିଷ୍ପତ୍ତି ହୋଇନଥିବା ଜଣାପଡିଛି । ମେଣ୍ଟ ପକ୍ଷରୁ କୁହାଯାଇଛି ବର୍ତ୍ତମାନ ସମୟରେ ଦଳରେ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବ ତାହା ସ୍ଥିର କରାଯାଇ ନାହିଁ ।

 

ତେବେ ନିର୍ବାଚନପରେ ସମସ୍ତ ଦଳ ଏକତ୍ରିତ ହୋଇ ବୈଠକ କରିବେ ତାହା ପରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ ବୋଲି କୁହାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ ୨୦୧୯ ସାଧାରଣ ନିର୍ବାଚନରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବା ଲାଗି କିଛି ପ୍ରମୁଖ ଦଳ ଆଗେଇ ଆସିଛନ୍ତି। ପୂର୍ବରୁ କଂଗ୍ରେସ ପକ୍ଷରୁ ଏହାକୁ ନେଇ ସବୁଜ ସଂକେତ ଦିଆଯାଇଥିଲା ବେଳେ ଏବେ ଜେଡିଏସ୍ ପକ୍ଷରୁ ସମର୍ଥନ ମିଳିବ ବୋଲି ସ୍ପଷ୍ଟ ହୋଇଯାଇଛି।

 

ଦଳର ବରିଷ୍ଠ ନେତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ା ଏ ନେଇ ସ୍ପଷ୍ଟ କରି କହିଛନ୍ତି, ମମତାଙ୍କୁ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଗଲେ ତାଙ୍କ ଦଳ ପକ୍ଷରୁ କୌଣସି ପ୍ରକାର ପ୍ରତିବାଦ କରାଯିବ ନାହିଁ। ତେବେ ମହାମେଣ୍ଟରେ ଅନେକ ନେତା ପ୍ରଧାନମନ୍ତ୍ରୀ ଭାବରେ ପ୍ରାର୍ଥୀ ହେବା ପାଇଁ ଇଚ୍ଛୁକ ଅଛନ୍ତି । ତେବେ ମୋଟ ଉପରେ ଅନେକ ଦଳର ଛାମୁଆ ନେତା ଏହି ଦୈାଡରେ ଥିବା ଜଣାପଡିଛି । ମୋଦି ସରକାରଙ୍କୁ ଟକ୍କର ଦେବା ପାଇଁ ହେଲେ ସେପରି ଜଣେ ଟାଣୁଆ ଓ ସ୍ୱଚ୍ଛ ଭାବମୂର୍ତ୍ତି ଥିବା ନେତାଙ୍କୁ ଚୟନ କରିବା ପାଇଁ ମହାମେଣ୍ଟ ଚିନ୍ତା କରୁଥିବା ଜଣାପଡିଛି । ତେବେ ଆଗାମୀ ନିର୍ବାଚନ ସମୟ ପାଖେଇ ଆସିଲେ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବ ସେନେଇ ଘୋଷଣା ହୋଇ ପାରେ ବୋଲି ଜଣାପଡିଛି ।