ସରକାରଙ୍କ ନଜରରେ ରହିବ ସେଲଟର ହୋମ୍ । ପଂଜୀକୃତ ଓ ଅଣ ପଂଜୀକୃତ ଅନୁଷ୍ଠାନ ଉପରେ ହେବ ନିୟମିତ ତଦାରଖ

ସେଲଟର ହୋମ ଉପରେ ଏଣିକି କଡା ନଜର ରଖିବେ ରାଜ୍ୟ ସରକାର

95

କନକ ବ୍ୟୁରୋ: ସେଲଟର ହୋମ ଉପରେ ଏଣିକି କଡା ନଜର ରଖିବେ ରାଜ୍ୟ ସରକାର । ପଂଜୀକୃତ ଓ ଅଣ ପଂଜୀକୃତ ଅ୍ରନୁଷ୍ଠାନ ଉପରେ ନିୟମିତ ତଦାରଖ- ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ପଂଜୀକୃତ ହୋଇନଥିବା ଏବଂ ପଂଜୀକରଣ ହୋଇ ଚାଲୁନଥିବା ସମସ୍ତ ସେଲଟର ହୋମ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମହିଳା ଓଶିଶୁ କଲ୍ୟାଣ ମନ୍ତ୍ରୀ କହିଛନ୍ତି । ଏବଂ ଏହାର ନିୟମିତ ତଦାରଖ କରିବେ ସରକାର । ସରକାରୀ ସେଲଟର ହୋମ ଗୁଡିକର ମଧ୍ୟ ଉନ୍ନତିକରଣ କରାଯିବ । ରେହମାନଙ୍କ ସେଲଟର ହୋମ ପଂଜିକୃତ ନୁହେଁ ତେଣୁ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ, ଢ଼େଙ୍କାନାଳ ବେଲଟିକରି ସେଲଟର ହୋମରେ ବିଜେପି ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ । ସେଲଟର ହୋମରେ ଥିବା ଅନ୍ତେବାସୀମାନଙ୍କୁ ସକାଳୁ ସକାଳୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବାରୁ ଏହି ଟିମ୍ କାହାକୁ ଭେଟି ପାରିନଥିବା ଜଣାପଡିଛି । ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏହି ଟିମ୍ । ଏବଂ ସିଧାସଳଖ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦୋଷ ଦେଇଛନ୍ତି । କିଭଳି ଗୋଟିଏ ସଂସ୍ଥା ରାଜ୍ୟର ବିଭିନ୍ନ ସ୍ଥାନରେ ୨୬ଟି ସେଲଟର ହୋମ କଲା ସେ ନେଇ ପ୍ରଶ୍ନ କରିଛନ୍ତି ବିଜେପିର ମହିଳା ମୋର୍ଚ୍ଚାର ଟିମ୍ । ଆସନ୍ତାକାଲି ସୁଦ୍ଧା ସମସ୍ତ ସେଲଟର ହୋମରେ ମୋର୍ଚ୍ଚାର ପ୍ରତିନିଧି ଦଳ ଯାଇ ଅନୁଧ୍ୟାନ କରିବେ ବୋଲି ରାଜ୍ୟ ସଭା ନେତ୍ରୀ କହିଛନ୍ତି ।

ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡାଙ୍କ ନେତୃତ୍ୱରେ ୪ଜଣିଆ ଟିମ୍ ବେଲଟିକରିରେ ସେଲଟର ହୋମର ଅନୁଧ୍ୟାନ କରିଛନ୍ତି । ଏହାପରେ ଢେଙ୍କାନାଳରେ ଜିଲ୍ଲାପାଳଙ୍କ ଭେଟିବାକୁ ଯାଇଛନ୍ତି ପ୍ରତିନିଧି ଦଳ । କିନ୍ତୁ ଜିଲ୍ଲାପାଳଙ୍କୁ ଭେଟିବାକୁ ଅନୁମତି ନମିଳିବାରୁ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଟିମ୍ । ଲେଖାଶ୍ରୀ ସାମନ୍ତସିଂହାର, ପିଙ୍କି ପ୍ରଧାନ ଓ ଅନ୍ୟ ବିଜେପି କର୍ମୀମାନେ ଏହି ଟିମ୍ରେ ସାମିଲ ହୋଇଛନ୍ତି । ଅନ୍ତେବାସୀମାନଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ସେଲଟର ହୋମକୁ ସିଲ କରିଦେଇଛନ୍ତି ସରକାର ।