ଅମରନାଥରେ ମୃତ୍ୟୁର ତାଣ୍ଡବ ! ଆତଙ୍କିଙ୍କ ଆତଙ୍କରେ ଆତଙ୍କିତ ସାରା ଦେଶ

51

ଆତଙ୍କିଙ୍କ ଆତଙ୍କରେ ଅତଙ୍କିତ ସାରା ଦେଶ । ଦିନକୁ ଦିନ ବଢିଚାଲିଛି ଆତଙ୍କବାଦୀଙ୍କ ଆତଙ୍କରାଜ୍  ।  ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ ନୀରିହ ତୀର୍ଥଯାତ୍ରୀ । ତୀର୍ଥକ୍ଷେତ୍ରରେ ଚାଲିଛି ‘ଜିହାଦ୍ ଯୁଦ୍ଧ’ । ମୃତ୍ୟୁର ତାଣ୍ଡବ ରଚିଛନ୍ତି ଆତଙ୍କବାଦୀ । ଗତକାଲି ସନ୍ଧ୍ୟା ପ୍ରାୟ ୮ଟା ୨୦ ମିନିଟ୍ ସମୟରେ, ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ଏହି ଆକ୍ରମଣ ହୋଇଛି । ଏଥିରେ ୭ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଆତଙ୍କବାଦୀଙ୍କ ଏକ ଦଳ ଅନନ୍ତନାଗ ଜିଲ୍ଲାର ବାଟେନଗୋ ଏବଂ ଖାନାବାଲ୍ ଅଂଚଳରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲେ । ଠିକ୍ ଏହି ସମୟରେ ଏହି ତୀର୍ଥଯାତ୍ରୀ ବସ୍ ଏହି ଆକ୍ରମଣର ଶିକାର ହୋଇଥିଲା ।

ଏହି ଆତଙ୍କବାଦୀ ଆକ୍ରମଣ ପଛରେ ଲସ୍କର୍ ଇ ତୋଇବାର ହାତ ଥିବା ସୂଚନା ମିଳିଛି । ଆଉ ଏହି ଆକ୍ରମଣର  ମାଷ୍ଟରମାଇଣ୍ଡ୍ ପାକିସ୍ତାନୀ ଆତଙ୍କବାଦୀ ଇସମାଇଲ୍ ବୋଲି କହିଛନ୍ତି ଜମ୍ମୁ କଶ୍ମୀର ଇନସ୍ପେକ୍ଟର୍ ଜେନେରାଲ୍ ଅଫ୍ ପୁଲିସ୍ । ପଥମେ ଏହି ଆତଙ୍କବାଦୀ ଅକ୍ରମଣ ପୁଲିସ୍ ବଙ୍କର୍ ଉପରକୁ ହୋଇଥିଲା । ପରେ ଆତଙ୍କବାଦୀଙ୍କ ଟାର୍ଗେଟ୍ ବନିଯାଇଥିଲେ ତୀର୍ଥଯାତ୍ରୀ ।

ଇତିହାସର ପୁନରାବୃତ୍ତି ଥିଲା ଏହି ଆତଙ୍କବାଦୀ ଆକ୍ରମଣ :

ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ଏହି ଆକ୍ରମଣ ପ୍ରଥମ ଥର ନଥିଲା । ଏହା ପୂର୍ବରୁ ଦୁଇ ଦୁଇ ଥର ଆତଙ୍କବାଦୀ କରି ସାରିଛନ୍ତି ଆକ୍ରମଣ । ପଥମ ଥର ୨୦୦୧ରେ ଆକ୍ରମଣ କରି ନେଇଥିଲେ ୧୩ଜଣଙ୍କ ଜୀବନ । ତେବେ ଏହି ଆକ୍ରମଣ ପରେ ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ୨୦୦୨ରେ ୧୫,୦୦୦ ପୁଲିସ୍ ଓ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ତଥାପି ଆତଙ୍କବାଦୀ ଅମରନାଥ ଯାତ୍ରା ସମୟରେ ନୁନୱାନ୍ କ୍ୟାମ୍ପ୍ ନିକଟରେ ଆକ୍ରମଣ କରିଥିଲେ । ଯେଉଁଥିରେ ୮ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହେବା ସହ ୩୦ଜଣ ଗୁରୁତର ହୋଇଥିଲେ ।

ରାଜନୈତିକ ପ୍ରତିକ୍ରିୟା :

ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣ ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଘଟଣାକୁ ଆତଙ୍କବାଦୀଙ୍କ ଏକ କାପୁରୁଷ ପଣିଆ କାର୍ଯ୍ୟ ବୋଲି କହିବା ସହ ଏହି ଭଳି ଆକ୍ରମଣରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ଟ୍ୱିଟ୍ କରି ଜଣାଇଛନ୍ତି ମୋଦି ।

ସେପଟେ ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଦିଲ୍ଲୀରେ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଛି । ଏଥିରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ର’ ଓ ଆଇବିର ବରିଷ୍ଠ ଅଧିକାରୀ ସାମିଲ ଅଛନ୍ତି । ଅମରନାଥ ଯାତ୍ରୀଙ୍କ ସୁରକ୍ଷା ନେଇ ବୈଠକରେ ପୁଣି ଥରେ ସମୀକ୍ଷା ଚାଲିଛି ।

ଏହି ଆକ୍ରମଣ ପରେ ବିଭିନ୍ନ ରାଜନୈତିକ ମହଲରୁ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଶ୍ୱ ହିନ୍ଦୁ ପରିଷଦ, ଜମ୍ମୁ କଶ୍ମୀର୍ ନ୍ୟାସନାଲ୍ ପାନ୍ଥର୍ସ ପାର୍ଟି, ନ୍ୟାସନାଲ୍ କନଫରେନ୍ସ ଏବଂ କଂଗ୍ରେସ୍ ମଙ୍ଗଳବାର ଦିନ ଜମ୍ମୁରେ ବନ୍ଦ ଡାକରା ଦେଇଛନ୍ତି ।

ଏହି ଘଟଣା ପରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଏବଂ ରାଜ୍ୟପାଳ ଏନ୍ଏନ୍ ବୋହରା ଦୁଃଖ ଘଟଣାରେ ପ୍ରାଣ ହରାଇଥିବା ତୀର୍ଥଯାତ୍ରୀଙ୍କ ପରିବାର ଲୋକଙ୍କୁ ମଧ୍ୟ ସମ୍ବେଦନା ଜଣାଇଛନ୍ତି । ମେହବୁବା ମୁଫତି କହିଛନ୍ତ, ବିଭିନ୍ନ ଅସୁବିଧା ସତ୍ୱେ ପ୍ରତିବର୍ଷ ଅମରନାଥ ଯାତ୍ରା ପାଇଁ ତୀର୍ଥଯାତ୍ରୀ ଆସିଥାନ୍ତି । ତେଣୁ ଏହି ଆକ୍ରମଣ କେବଳ ତୀର୍ଥଯାତ୍ରୀଙ୍କ ଉପରକୁ ହୋଇନି ବରଂ ଏହା ମୁସଲମାନ୍ ଏବଂ କଶ୍ମୀରବାସୀଙ୍କ ପାଇଁ ଏକ ଦାଗ । ଏହା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର୍ ଅବଦୁଲ୍ଲା କହିଛନ୍ତି ଏହି ଆତଙ୍କବାଦୀମାନେ କଶ୍ମୀର୍ ଏବଂ କଶ୍ମୀରବାସୀଙ୍କ ଶତ୍ରୁ ।

ସେପଟେ କଂଗ୍ରେସ୍ ଉପାଧ୍ୟକ୍ଷ ରାହୁଲ୍ ଗାନ୍ଧୀ କହିଛନ୍ତି , ପ୍ରଧାନମନ୍ତ୍ରୀ ନିଜ ଦାୟିତ୍ୱ ସ୍ୱୀକାର କରିବା ସହ ଭବିଷ୍ୟତରେ ଯେପରି ଏମିତି ନହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ୍ । ରାଷ୍ଟ୍ରପତିଙ୍କ ସହ ଉଭୟ ରାଷ୍ଟ୍ରପତି ପାର୍ଥୀ ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଏହା ସହ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ନିଜର ଗୁଜୁରାଟ ଗସ୍ତ ମଧ୍ୟ ବାତିଲ୍ କରିଦେଇଛନ୍ତି ।

ବନ୍ଦ ହେବ ନାହିଁ ଅମରନାଥ ଯାତ୍ରା :

ଆତଙ୍କବାଦୀ ଆକ୍ରମଣ ସତ୍ୱେ ଅମରନାଥ ଯାତ୍ରା ଉପରେ କୌଣସି ପ୍ରଭାବ ପଡିନି । ଆଜି ପୁଣି ଏକ ତୀର୍ଥଯାତ୍ରୀ ଦଳ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଜମ୍ମୁ ବେସ୍ କ୍ୟାମ୍ପରୁ ଆଜି ଭୋର ୩ଟା ୧୫ରୁ ଏହି ଦଳ ଯାତ୍ରା ଆରମ୍ଭ କରିଛି । ପହଲଗାମ୍ ଦେଇ ଯାତ୍ରା କରିଥିବା ଏହି ଦଳରେ ଅଛନ୍ତି ୨୩ ଶହ ୮୯ ଜଣ ତୀର୍ଥଯାତ୍ରୀ । ଯେଉଁଥିରେ ୧୫ ଶହ ୨୯ ଜଣ ପୁରୁଷ ଓ ୫୩୭ ଜଣ ମହିଳା ଶ୍ରଦ୍ଧାଳୁ ଅଛନ୍ତି । ଏହା ସହ ୨୫୦ ଜଣ ସାଧୁସନ୍ଥ ମଧ୍ୟ ଏହି ଦଳରେ ଅଛନ୍ତି ।

ସେହିପରି ଆଜି ବଲତାଲରୁ ୯୭୩ ଜଣିଆ ଅନ୍ୟ ଏକ ତୀର୍ଥଯାତ୍ରୀ ଦଳ ମଧ୍ୟ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଦଳରେ ୭୫୪ ପୁରୁଷ ଓ ୨୧୯ ଜଣ ମହିଳା ଯାତ୍ରୀ ଅଛନ୍ତି । ତେବେ ଆଜି ମୋଟ ୩ ହଜାର ୨ ଶହ ୮୯ ଜଣ ଯାତ୍ରୀ ଅମରନାଥ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ୧୦୫ଟି ଗାଡି ଏହି ତୀର୍ଥଯାତ୍ରୀଙ୍କୁ ନେଇ ଯାତ୍ରା କରିଛି ।