ବଢିପାରେ ଲାଲୁ ଯାଦବଙ୍କ ଅଡୁଆ ! ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

22

କନକ ବ୍ୟୁରୋ: ବିହାରର ବହୁଚର୍ଚ୍ଚିତ ଗୋ-ଖାଦ୍ୟ ଦୁର୍ନୀତି ମାମଲାର ଶୁଣାଣୀ ଆଜି ସୁପ୍ରିମକୋର୍ଟରେ ହେବ । ଦୁର୍ନୀତି ନେଇ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଥିବା ମାମଲା ବନ୍ଦ କରିବାକୁ ଝାଡଖଣ୍ଡ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ସିବିଆଇ ସୁପ୍ରିମକୋର୍ଟ ଯାଇଥିଲା । ୧୯୯୬ ମସିହାରେ ବିହାରରେ ୯ ଶହ କୋଟିର ଗୋ-ଖାଦ୍ୟ ଦୁର୍ନୀତି ସାମ୍ନାକୁ ଆସିଥିଲା । ସେତେବେଳେ ଲାଲୁ ପ୍ରସାଦ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ଥିଲେ । ଏହା ପରେ ସେ ପଦରୁ ଇସ୍ତଫା ଦେଇଥିଲେ ।

ଗୋ-ଖାଦ୍ୟ ଦୁର୍ନତି ମାମଲାରେ ପ୍ରାୟ ୫୦ରୁ ଅଧିକ ମାମଲା ରୁଜୁ ହୋଇଛି । ମାମଲାର ତଦନ୍ତ ସିବିଆଇ କରୁଥିଲା । ୨୦୧୩ ଅକ୍ଟୋବର ମାସରେ ଗୋ-ଖାଦ୍ୟ ଦୁର୍ନୀତିର ଏକ ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେବେ ଡିସେମ୍ବର ମାସରେ ଲାଲୁଙ୍କ ସୁପ୍ରିମକୋର୍ଟ ଜାମିନ ଦେଇଥିଲେ । ତେବେ ୨୦୧୪ ମସିହାରେ ଲାଲୁଙ୍କୁ ବଡ ଆଶ୍ୱସ୍ତି ମିଳିଥିଲା । ଝାଡଖଣ୍ଡ ହାଇକୋର୍ଟ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଥିବା ମାମଲାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ସିବିଆଇ ସୁପ୍ରିମକୋର୍ଟ ଯାଇଥିଲା, ଯାହାର ଶୁଣାଣି ଆଜି ହେବ ।