କାନଭାସରେ ‘କିଶୋର’ଙ୍କ କଳ୍ପନା : ସୋଲ ଓ କାନଭାସରେ ପଟଚିତ୍ର ଆଙ୍କି ନୂଆ ପରିଚୟ ସୃଷ୍ଟି କରିଛନ୍ତି ଖୋର୍ଦ୍ଧା କିଶୋର ଚନ୍ଦ୍ର ମୁଦୁଲି

139

କନକ ବ୍ୟୁରୋ : କାନଭାସରେ ସ୍ଥାନ ପାଇଛି ଶିଳ୍ପୀ କଳ୍ପନାର ପରିଭାଷା । ଆର୍ଥିକ ଅନଟନ ସିନା ଶିଳ୍ପୀ ଜୀବନର ରଙ୍ଗକୁ ଟିକେ ଫିକା କରି ଦେଇଛି, କିନ୍ତୁ ସେ ହାତରେ ରଙ୍ଗ ତୁଳୀ ଧରିଲେ କାନଭାସରେ ଆଙ୍କି ଦେଉଛନ୍ତି ନିଜ ଆଖି ସାମ୍ନାକୁ ଆସୁଥିବା ଛବି । ସୋଲ ଆଉ କାନଭାସରେ ଅଙ୍କା ହୋଇଥିବା ପଟଚିତ୍ରକୁ ଦେଖି ଖୋର୍ଦ୍ଧା ଜିଲ୍ଲା କୋଦୁଆବେରେଣି ଗାଁର କିଶୋର ଚନ୍ଦ୍ର ମୁଦୁଲିଙ୍କୁ ପ୍ରଂଶାସରେ ପୋତି ପକାଉଛନ୍ତି ଦେଖଣାହାରୀ । ହେଲେ ଏଥିର ଯେ ଶିଳ୍ପୀ କିଶୋରଙ୍କ ପେଟ ପୁରୁନି ସେ କଥା ବୁଝୁଛି କିଏ ।

୨୦ ବର୍ଷିୟ କିଶୋର ଓରଫ ନିଲୁ ପିଲାଦିନରୁ ପାଠ ପଢି ଆଗକୁ ବଢିବାର ସ୍ୱପ୍ନ ଦେଖିଥିଲେ । ହେଲେ ସେ ସ୍ୱପ୍ନ ସାକାର କରିବା ଦିଗରେ ପାହାଡ ଭଳି ଠିଆ ହୋଇଥିଲା ପରିବାର ଆର୍ଥିକ ବୋଝ । କ୍ୟାନ୍ସର ପୀଡିତ ବାପାଙ୍କ ଦେହାନ୍ତ ପରେ ଅସହାୟ ମାଆଙ୍କୁ ଆର୍ଥିକ ସହଯୋଗ କରିବା ପାଇଁ ମାତ୍ର ୧୫ ବର୍ଷ ବୟସରୁ କଲମ ଛାଡି ତୁଳୀ ଧରିଥିଲେ କିଶୋର । ସୋଲ ଆର୍ଟ ଓ ବିଭିନ୍ନ ପ୍ରକାର ପଟଚିତ୍ର କରି ବିକ୍ରି କରି ପରିବାରର ଗୁଜୁରାଣ ମେଂଟାଇବା ପାଇଁ ଆଗେଇ ଆସିଥିଲେ କିଶୋର । ଯାହା ଆଜି ତାଙ୍କୁ ଜଣେ ଶିଳ୍ପୀର ପରିଚୟ ଦେଇଛି ।

କିଶୋର ଏବେ ନିଜ ଭିଜୁଆଲ ଆର୍ଟ ପାଠପଢା ଜାରି ରଖିଛନ୍ତି । ଏହାରି ଭିତରେ କିନ୍ତୁ ଭୁବନେଶ୍ୱର, ପୁରୀ, ରାଉରକେଲା, ସମ୍ବଲପୁର ରେଳ ଷ୍ଟେସନ କାଂଥରେ କିଶୋରଙ୍କ ସୁନ୍ଦର ଆର୍ଟ ସ୍ଥାନ ପାଇଛି । ହେଲେ ବିଡ଼ମ୍ବନାର ବିଷୟ ଏତେ ପ୍ରତିଭାର ଅଧିକାରୀ କିଶୋରଙ୍କ ପେଟ ପୁରୁନି । ଶିଳ୍ପୀର ପେଟକଥା ବୁଝିବାକୁ କେହି ନାହିଁ । ରାଜ୍ୟ ସରକାର ଏଥିପ୍ରତି ଟିକିଏ ଦୃଷ୍ଟି ଦେଲେ ସେ ନିଶ୍ଚିତ ଉପକୃତ ହୋଇପାରନ୍ତେ ।