ଝିଅ ଜନ୍ମ କରିବା କ’ଣ ପାପ ? ହେଲେ ସସ୍ମିତା କାହିଁକି ସହିଲେ ଅକଥନୀୟ ଅତ୍ୟାଚାର , ଜାଣନ୍ତୁ ଜଣେ ମହିଳାଙ୍କ ଜୀବନ ସଂଘର୍ଷର କାହାଣୀ

40

କନକ ବ୍ୟୁରୋ :  ଝିଅ ଜନ୍ମ କରି ଯେପରି ବଡ ପାପ କରିଛନ୍ତି ଢେଙ୍କାନାଳ କାଙ୍କିଲିର ସସ୍ମିତା ନାୟକ । ୫ ବର୍ଷ ତଳେ ପରଜଙ୍ଗ କନ୍ଦରସିଂର ଗିରିଶ ନାୟକଙ୍କୁ ବିବାହ କରିଥିଲେ ସସ୍ମିତା । ବାହାଘର ପରେ ସସ୍ମିତାଙ୍କ ହସଖୁସିର ସଂସାରରେ ଝଡ ମାଡି ଆସିଥିଲା, ଯେତେବେଳେ ସେ ଦୁଇଟି ଝିଅ ଜନ୍ମ ଦେଇଥିଲେ । ସସ୍ମିତାଙ୍କ ଉପରେ ଶାଶୁଘର ଆରମ୍ଭ କରିଦେଇଥିଲେ ଶାରୀରିକ ଓ ମାନସିକ ନିର୍ଯାତନା । ଯନ୍ତ୍ରଣା ଅତିଷ୍ଠ ହେବା ପରେ ଦୁଇ ଝିଅଙ୍କୁ ସାଥିରେ ନେଇ ଘର ଛାଡିଦେଇଥିଲେ ସସ୍ମିତା ।

ଏହାରି ଭିତରେ ଗୋଟିଏ ପୁଅ ଥିବା ଜଣେ ବିବାହିତ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଗିରିଶ । ସସ୍ମିତା, ଗିରିଶଙ୍କଠାରୁ ଛାଡପତ୍ର ସହ ଭରଣପୋଷଣ ପାଇଁ ମାସିକ ୬ହଜାର ଟଙ୍କା ଦାବି କରିଥିଲେ । ହେଲେ ଆପୋଷ ବୁଝାମଣା କରି ସସ୍ମିତାଙ୍କୁ ଦ୍ୱିତୀୟ ପତ୍ନୀ ଭାବେ ଘରେ ରଖିବାକୁ ମନାଇ ନେଇଥିଲେ ଗିରିଶ । ହେଲେ ବନ୍ଦ ହୋଇନଥିଲା ନିର୍ଯାତନା । ଜୀବନର ଏହି ଜଟିଳ ଚଲାପଥରେ ସସ୍ମିତାଙ୍କୁ ବାଟ ଦେଖାଇଥିଲା ମହିଳା ସହାୟତା କେନ୍ଦ୍ର । ହକ୍ ପାଇଁ ଦୀର୍ଘଦିନର ଲଢେଇ ପରେ ସସ୍ମିତାଙ୍କୁ ମାସିକ ୨ ହଜାର ଟଙ୍କା ଭରଣପୋଷଣ ଖର୍ଚ୍ଚ ଦେଉଛନ୍ତି ଗିରିଶ ।

ଓଡିଶାରେ ଏବେ ପ୍ରତି ହଜାରେ ପୁଅଙ୍କ ଅନୁପାତରେ ୯୪୧ ଜଣ ଝିଅ ଅଛନ୍ତି । ଯାହା ୨୦୦୧ ଜନଗଣନାରେ ୯୫୩ ଥିଲା । ନୟାଗଡରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ସବୁଠାରୁ କମ୍ ୯୦୪ ଜଣ ରହିଛି । କନ୍ୟାଭ୍ରୁଣ ହତ୍ୟା, ଗର୍ଭପାତ ଏବଂ ଲିଙ୍ଗ ନିରୁପଣ ଦ୍ୱାରା ଏହି ସଂଖ୍ୟା ଏବେ ଆହୁରି କମିବାରେ ଲାଗିଛି ।

ପିଲା ଜନ୍ମ କରିବା ନେଇ ମହିଳା ମାନଙ୍କର ନିଷ୍ପତ୍ତିି ନେବାର ଅଧିକାର ରହିଛି । ଝିଅ ଜନ୍ମ କରିଥିବାରୁ ମହିଳାଟି ହିଂସାର ଶିକାର ହେବାଦ୍ୱାରା ତାରା ଅଧିକାର କ୍ଷୁର୍ଣ୍ଣ ହେଉଛି । ଯାହା ବନ୍ଦ ହେବା ଉଚିତ । ମହିଳାଙ୍କ ପ୍ରତି ହିଂସା ରୋକିବାରେ ଅକ୍ସଫାମ୍ ଇଣ୍ଡିଆ ଓ କନକ ନ୍ୟୁଜର ମିଳିତ ଅଭିଯାନ- ନୂଆ କରି ଭାବିବା, ହିଂସାମୁକ୍ତ ସମ୍ପର୍କ ଗଢିବା । ଏହି ଅଭିଯାନକୁ ସମର୍ଥନ କରିବା ପାଇଁ ମିସ୍ କଲ୍ କରନ୍ତୁ- ୦୯୭୦୦୦୮୯୫୫୫ ।