ଶେୟାର ବଜାରରେ ହାହାକାର : ୫ମିନିଟ୍ ରେ ବୁଡିଗଲା ୩ ଲକ୍ଷ କୋଟି ଟଙ୍କା, ଏବେ କ’ଣ କରିବେ ନିବେଶକାରୀ ?

51

ଆମେରିକା ଶେୟାର ବଜାରରେ ମାନ୍ଦାବସ୍ଥାର ପ୍ରଭାବ ଏସିଆ ଷ୍ଟକ୍ ମାର୍କେଟ୍ ଉପରେ ଦେଖିବାକୁ ମିଳିଛି । ଭାରତୀୟ ଶେୟାର ବଜାର ଖୋଲିବା ପୂର୍ବରୁ ମାନ୍ଦାବସ୍ଥାର ପ୍ରଭାବ ଜାପାନ ଓ ଚୀନର ଶେୟାର ମାର୍କେଟ୍ ଉପରେ ପଡିଥିବା ଦେଖିବାକୁ ମିଳିଥିଲା । ଜାପାନ ଶେୟାର ବଜାରର ପ୍ରମୁଖ ସେନ୍ସିଟିଭ୍ ଇଣ୍ଡେକ୍ସ ଆରମ୍ଭରୁ ନିକ୍କେଇ ୮୧୮ ଅଙ୍କ ତଳକୁ ଖସିଥିଲା । ପ୍ରାୟ ୩ ଦଶମିକ ୬ ପ୍ରତିଶତ ତଳକୁ ଖସି ୨୨ ହଜାର ୬୮୯ ସ୍ତରରେ କାରବାର ଆରମ୍ଭ କରିଥିଲା ନିକ୍କେଇ । ଭାରତୀୟ ବଜାର ଖୋଲିବାର ତୁରନ୍ତ ପରେ ହିଁ ନିକ୍କେଇ ୪ ଦଶମିକ ୧୫ପ୍ରତିଶତ ତଳକୁ ଖସି ୨୨ ହଜାର ୫୩୧ ସ୍ତରରେ କାରବାର ଜାରି ରଖିଥିଲା ।

ତେବେ ଭାରତୀୟ ବଜାରରେ ମଧ୍ୟ ଆମେରିକା ଶେୟାର ବଜାର ମାନ୍ଦାବସ୍ଥାର ଅଧିକ ପ୍ରଭାବ ଦେଖିବାକୁ ମିଳିଥିଲା । ୧ ହଜାର ଅଙ୍କ ତଳକୁ ଖସି କାରବାର ଆରମ୍ଭ କରିଥିଲା ସେନସେକ୍ସ । ଏହା ଦ୍ୱାରା ନିବେଶକଙ୍କ ୩ ଲକ୍ଷ କୋଟି ଟଙ୍କା ସର୍ବସ୍ୱାନ୍ତ ହୋଇଯାଇଛି । ଗତ ୮ ମାସରେ ଆମେରିକା ଶେୟାର ମାର୍କେଟ୍ ଉପରେ ସବୁଠାରୁ ଅଧିକ ମାନ୍ଦାବସ୍ଥା ଗତକାଲି ଦେଖିବାକୁ ମିଳିଥିଲା । ଯାହାର ପ୍ରଭାବ ଖାଲି ଭାରତ ନୁହେଁ, ବରଂ ଅନ୍ୟ ଏସୀୟ ରାଷ୍ଟ୍ର ଜାପାନ, ଚୀନ୍ ସମେତ ହଂକଂ ଓ ସିଙ୍ଗାପୁରର ଶେୟାର ବଜାର ଉପରେ ପଡିଛି । ହଂକଂ ଶେୟାର ବଜାରର ପ୍ରମୁଖ ଇଣ୍ଡେକ୍ସ ହେଂ ସେଂ ମଧ୍ୟ ୮୩୮ ଅଙ୍କ ତଳକୁ ଖସି ୨୫ ହଜାର ୩୫୫ ସ୍ତରରେ କାରବାର ଆରମ୍ଭ କରିଥିଲା । ଭାରତୀୟ ବଜାର ପାଇଁ ପ୍ରମୁଖ ଗୁରୁତ୍ୱ ବହନ କରୁଥିବା ସିଙ୍ଗାପୁର ଶେୟାର ବଜାରର ଏସଜିଏକ୍ସ ନିଫ୍ଟି ମଧ୍ୟ ୩ ଶହ ଅଙ୍କ ତଳକୁ ଖସି ୧୦ ହଜାର ୧୮୮ ସ୍ତରରେ କାରବାର ଆରମ୍ଭ କରିଥିଲା । ଆମେରିକାର ଚାପ ଫଳରେ କୋରିଆ ଓ ତାଇୱାନ ଶେୟାର ବଜାରରେ ମଧ୍ୟ ଭାରି ମାତ୍ରାରେ ହ୍ରାସ ଦେଖିବାକୁ ମିଳିଛି ।