ଦ୍ୱନ୍ଦ୍ୱ ବଢ଼ାଇଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବୟାନ ! କହିଲେ, ଦୁର୍ବ୍ୟବହାର ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଆସି ନାହିଁ କୌଣସି ଚିଠି ।

58

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ମହାମହିମ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଅସନ୍ତୋଷ ପ୍ରକାଶ କରିଛି ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ରିଜୋଲ୍ୟୁସନ ବାବଦରେ ଜୋରଦାର ଚର୍ଚ୍ଚା ହୋଇଥିଲା । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଜି କହିଛନ୍ତି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଏଭଳି କୌଣସି ଚିଠି ଆସିନାହିଁ । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢି ମଧ୍ୟ ଚିଠି ଆସିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ଯାହା ପୁରା ଘଟଣାକୁ ରହସ୍ୟମୟ କରିଦେଇଛି । ଆଉ ପ୍ରଶ୍ନ ଉଠୁଛି, ଯଦି କୌଣସି ଅସନ୍ତୋଷ ପ୍ରକାଶ ପାଇନାହିଁ ତାହେଲେ ରିଜୋଲ୍ୟୁସନରେ ଏକଥା କାହିଁକି ଲେଖାଗଲା । ସେପଟେ ପୁରୀ ଏସପି କହିଛନ୍ତି, ରାଷ୍ଟ୍ରପତିଙ୍କ ଗସ୍ତବେଳେ ଶୃଙ୍ଖଳା ରଖିନଥିଲେ ସେବାୟତ ।

ଗତ ମାର୍ଚ୍ଚ ୧୮ ତାରିଖରେ ଦେଶର ପ୍ରଥମ ନାଗରିକ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତ୍ନୀଙ୍କ ସହ ପୁରୀ ଶ୍ରୀମନ୍ଦିର ବୁଲିବାକୁ ଆସିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ କାଳରେ ବ୍ଲୁ-ବୁକ ଅନୁସାରେ ସ୍ୱତନ୍ତ୍ର ସୁରକ୍ଷା ବନ୍ଦୋବସ୍ତ କରିବା ସହ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯିବା କଥା । ହେଲେ ମହାମହିମ ରାଷ୍ଟ୍ରପତିଙ୍କ ସହ ଦେଶର ପ୍ରଥମ ମହିଳାଙ୍କୁ ଠାକୁରଙ୍କ ଦର୍ଶନରେ ସେବାୟତମାନେ ଅସୁବିଧା ସୃଷ୍ଟି କରିଥିବା ଭଳି ଅଭିଯୋଗ ଆସିଲା । ଯାହାକୁ ନେଇ ଗଣମାଧ୍ୟମରେ ପ୍ରବଳ ଚର୍ଚ୍ଚା ବି ହେଲା । ଏବେ ଏଥିରେ ଆସିଛି ନୂଆମୋଡ ।

ହେଲେ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପରେ ଗତ ମାର୍ଚ୍ଚ ୨୦ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପାରିତ ରିଜୋଲ୍ୟୁସନ ଭିନ୍ନ କଥା ବୟାନ କରୁଛି । ଯେଉଁଥିରେ ଉଲ୍ଲେଖ ରହିଛି, ରତ୍ନ ସିଂହାସନରେ ମଥା ରଖିବା ପାଇଁ ମହାମହିମ ରାଷ୍ଟ୍ରପତି ଯିବା ବେଳେ ସେଠାରେ ଉପସ୍ଥିତ ଖୁଂଟିଆ, ମେକାପ ସେବକ ଆଡେଇଲେ ନାହିଁ । ଏପରିକି ମହାମହିମ ରାଷ୍ଟ୍ରପତିଙ୍କ ପତ୍ନୀଙ୍କ ଯିଏ ଭାରତବର୍ଷର ଫାଷ୍ଟ ଲେଡି ତାଙ୍କ ଦେହରେ ମଧ୍ୟ ଘଷି ହେବା ଯୋଗୁଁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ଆଉ କଥା ଅଟକିଛି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଅସନ୍ତୋଷ ଉପରେ ।

– ଯଦି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଅସନ୍ତୋଷ ପ୍ରକାଶ ପାଇନାହିଁ ତାହେଲେ ଶ୍ରୀମନ୍ଦିର ପରିଚାଳନା ବୈଠକ ରିଜୋଲ୍ୟୁସନରେ ଏକଥା କାହିଁକି ଲେଖାଗଲା ?

– ପ୍ରକୃତରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରାଯାଇଛି ନା ଏହା ଏକ ମନଗଢା କାହାଣୀ ?

– ଜାଣିଶୁଣି ଏଭଳି ଏକ କାହାଣୀ ତିଆରି କରାଯାଇଛି କି ?

– ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ମୁହାଁମୁହିଁ କାରଣରୁ ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରାଯାଇ ନାହିଁ ତ ?

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କୌଣସି ପ୍ରତିକ୍ରିୟା ରଖିଛି କି ନା, ତାହାକୁ ନେଇ ଦ୍ୱନ୍ଦ୍ୱ ରହିଥିବାବେଳେ ସେବାୟତମାନେ ଶୃଙ୍ଖଳା ଭାଙ୍ଗି ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ସହ ଘଷିହେବା କଥା ପୁରୀ ଏସପିଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ହେଉଛି, ଯାହା ସେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଛନ୍ତି । ତେବେ ରହସ୍ୟରେ ଥିବା ଏହି ପୁରା ଘଟଣାକୁ ନେଇ ରାଜନୈତିକ ବୟାନବାଜି ବି ଆରମ୍ଭ ହୋଇଛି । ସେପଟେ ଯୋଜନାବଦ୍ଧ ଭାବେ ସେବାୟତଙ୍କୁ ବଦନାମ କରିବା ପାଇଁ ରାଷ୍ଟ୍ରପତିଙ୍କୁ ବିବାଦ ଭିତରକୁ ଟାଣୁଥିବା ଅଭିଯୋଗ କରି ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ସେବାୟତ ।