ପୁରୁଣା ପରମ୍ପରା, ଆଦିମ ପର୍ବ । ସାମ୍ପ୍ରତିକ ସ୍ଥିତିରେ ନୂଆଁଖାଇର ପ୍ରାସଙ୍ଗିକତାକୁ ନେଇ ଏକ ବିଶ୍ଲେଷଣ । ଜାଣନ୍ତୁ କାହିଁକି ସବୁ ଦିନ ନୂଆ ଲାଗେ ନୂଆଁଖାଇ ।

254

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । କୃଷି ଓ କୃଷକର ପର୍ବ, ଭାଇଚାରାର ପର୍ବ । ନୂଆଁଖାଇରେ ଝଲସି ଉଠେ ସାମାଜିକ ଚାଲିଚଳଣୀର ନିଚ୍ଛକ ପ୍ରତିଛବି । ପୁଣି ବାରି ହୋଇପଡେ ଆଦି ସଂସ୍କୃତି ଓ ଆଦି ପରମ୍ପରାର ଛିଟା । ଦେଖିବାକୁ ମିଳେ ପ୍ରକୃତି ସହ ମଣିଷର ନିବିଡତା । ଭାଦ୍ରବ ମାସ ଶୁକ୍ଲପକ୍ଷ ପଂଚମୀ ତିଥି ଅର୍ଥାତ୍ ଆଜି ପାଳିତ ହେଉଛି କୃଷି ଭିତିକ ଗଣପର୍ବ-ନୂଆଁଖାଇ । କାହିଁ କେବେଠୁ ଚାଲି ଆସୁଥିବା ଏହି ପର୍ବ, ସାଂପ୍ରତିକ ସ୍ଥିତିରେ ଆମ ସମାଜ ପାଇଁ କ’ଣ ବାର୍ତା ରଖୁଛି ? ଆଜିର ଦିନରେ କ’ଣ ଏହି ପର୍ବର ପ୍ରାସଙ୍ଗିକତା ?ଏମିତି ୯ଟି ବାର୍ତାକୁ ନେଇ ଏହି ଉପସ୍ଥାପନା ।

୧-ଯୁଗ ବଦଳୁଛି, ତା’ ସହ ତାଳଦେଇ ଜୀବନଶୈଳୀ । ଏହି ପରିବର୍ତିତ ଜୀବନଶୈଳୀରେ ସଂକୁଚିତ ହେଉଛି ସାମାଜିକ ସୁରକ୍ଷାର ପରିସର । ଯୌଥ ପରିବାରରେ ଅଣନିଶ୍ୱାସୀ ହୋଇପଡୁଥିବା ମଣିଷ, ମୁକ୍ତ ଚିନ୍ତାଧାରାର ଦ୍ୱାହି ଦେଇ ଏକକ ପରିବାରର ବାଟ ବାଛି ନେଉଛି । ଧିରେ ଧିରେ ଅଜଣା ଅନ୍ଧାରକୁ ଚାଲିଯାଉଥିବା ଆମ ସାମାଜିକ ବ୍ୟବସ୍ଥାକୁ ଆଲୋକ ଦେଖାଉଛି ନୂଆଁଖାଇ ପର୍ବ । ଏକାଠି ରହିବା, ମିଳିମିଶି ଚଳିବା, ରାଗରୁଷା ଭୁଲି ସମସ୍ତଙ୍କୁ ଆଦରି ନେବାର ବାର୍ତା ଦେଉଛି ଏହି ପର୍ବ । ଗୋଟିଏ ପରିବାର, ଗୋଟିଏ ଗାଁ ଏବଂ ଗୋଟିଏ ସମାଜର କଥା କହୁଥିବା ଏହି ପର୍ବ ନିଶ୍ଚିତ ଭାବରେ ସାଂପ୍ରତିକ ସ୍ଥିତିରେ ଗୁରୁତ୍ୱବହନ କରୁଛି।

୨-ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାର ନିଚ୍ଛକ ଉଦାହରଣ ହେଉଛି ନୂଆଁଖାଇ ପର୍ବ । ଗୁରୁଜନଙ୍କୁ ସମ୍ମାନ ଏବଂ କନିଷ୍ଠମାନଙ୍କୁ ଆଦର କରିବାର ବାର୍ତା ଦିଏ ଏହି ପର୍ବ । ବୟସ୍କଙ୍କ କଥାମାନି ଚଳିବା, ସାନମାନଙ୍କୁ ଆଦର କରିବା, ଦୋଷତ୍ରୁଟି ନଧରି କ୍ଷମା କରିଦେବା ଆଦି ବ୍ୟାବହାରିକ ଗୁଣ ଗୁଡ଼ିକର ଶିକ୍ଷା ଦିଏ । ସାମାଜିକ ଜୀବନରେ ଚାଲିଚରଣର ସଂସ୍କାରର ମୂଳଦୂଆ ନିଜ ପରିବାରରୁ ପଡୁଥିବା ବେଳେ ନୂଆଁଖାଇ ଭଳି ପର୍ବ ଗୁଡ଼ିକରେ ଏହା ପରିମାର୍ଜିତ ହୁଏ । ସଂପର୍କ-ସଂପର୍କ ଭିତରେ ଫାଟ, ସାନ-ବଡ଼ ଭିତରେ ବିଭେଦ ଓ ମତାନ୍ତର ଭଳି ଜଟିଳ ସମସ୍ୟା ଭିତରେ ଆମେ ଛନ୍ଦି ରହୁଥିବା ବେଳେ ଏହି ପର୍ବ ଦେଉଥିବା ବାର୍ତା ନିଶ୍ଚିତ ଭାବରେ ଉପାଦେୟ ମନେ ହେଉଛି ।

୩-ଭାବ ବିନିମୟ ଏବଂ ମିଳନର ପର୍ବ ହେଉଛି ନୂଆଁଖାଇ । କର୍ମ ସନ୍ଧାନରେ ଭିଟାମାଟି ଛାଡ଼ି ରହୁଥିବା ଲୋକ ହୁଅନ୍ତୁ କିମ୍ବା ନିଜ କର୍ମମୟ ଜୀବନ ଛନ୍ଦି ହୋଇଥିବା ଲୋକ ହ୍ରୁଅନ୍ତୁ । ବର୍ଷକରେ ଦିନଟିଏ ହେଉ ପଛେ, ଏହି ପର୍ବ ସମସ୍ତଙ୍କୁ ଏକାଠି କରିଥାଏ । ଜୁହାର ଭେଟ୍ ଜରିଆରେ ସମସ୍ତଙ୍କୁ ଏକାଠି ବସି ସୁଖଦୁଃଖ ଆଲୋଚନା କରିବାର ସୁଯୋଗ ଦିଏ । ନିଜ ଘର, ନିଜ ଗାଁ ଏବଂ ନିଜ ଅଂଚଳର ସୁବିଧା-ସୁଯୋଗ ନେଇ ଚିନ୍ତା କରିବାର ପରିବେଶଟିଏ ସୃଷ୍ଟି କରେ । ଯେତେବେଳେ ଆମେ କେବଳ ନିଜ ଭିତରେ ସୀମିତ ରହିଯାଉ, ଏହି ନୂଆଁଖାଇ ପର୍ବ ହିଁ ଆମକୁ ମନେ ପକାଇଦିଏ ଆମ ଚାରିପାଖ ଦୁନିଆର କଥା, ଆମ ସାମାଜିକ ଦାୟିତ୍ୱର କଥା ।

୪-ଏକ ନିଆରା ଢ଼ଙ୍ଗରେ କଳାସଂସ୍କୃତିର ପ୍ରଚାର ପ୍ରସାର କରିଥାଏ ଏହି ଗଣପର୍ବ । ଦଣ୍ଡନୃତ୍ୟ, ଢାପ୍, ଘୁମୁରା, ଡାଲଖାଇ ଭଳି ଲୋକକଳା, ଯେତେବେଳେ ରକ୍ଷଣାବେକ୍ଷଣ ଏବଂ ପ୍ରଚାର ପ୍ରସାର ଅଭାବରୁ ହଜିଯାଉଛି, ସେତେବେଳେ ନୂଆଁଖାଇ ପର୍ବରେ ସ୍ୱତଃପ୍ରବୃତ ଭାବରେ ସେଗୁଡ଼ିକର ପୁନରୁଦ୍ଧାର ପାଇଁ ଉଦ୍ୟମ ହୁଏ । ଏହା ବ୍ୟତୀତ ସ୍ଥାନୀୟ ପ୍ରତିଭାମାନଙ୍କୁ ନିଜର କଳା ପ୍ରଦର୍ଶନ କରିବା ପାଇଁ ପାଇଁ ସୁଯୋଗ ସୃଷ୍ଟି ହୋଇଥାଏ । ସଂସ୍କୃତିର ସୁରକ୍ଷା ଏବଂ ପୁନରୁଦ୍ଧାର ନେଇ ହେଉଥିବା ଏହି ଉଦ୍ୟମ ନିଶ୍ଚିତ ଭାବରେ ପ୍ରାସଙ୍ଗିକତା ବହନ କରୁଛି ।

୫-କୃଷି ଓ କୃଷକର ପର୍ବ ନୂଆଁଖାଇ । ଏହି ପର୍ବ, ନିଜେ ବଂଚିବା ସହ ଅନ୍ୟକୁ ବଂଚିବାର କଥା ଶିଖାଏ । ଚାଷୀ ବଂଚିଲେ, ଆମେ ବଂଚିବା । ଏକଥା କାହାକୁ ଅଛପା ନାହିଁ । କାହିଁକି ନା ଚାଷୀର ଉତ୍ପାଦନ ଉପରେ ଆମେ ନିର୍ଭରଶୀଳ । ଆଉ ନୂଆଁଖାଇର ଆଦ୍ୟପର୍ବ ଆରମ୍ଭ ହୁଏ ଚାଷ ଜମିରୁ । ଯେଉଁଠି କ୍ଷୀର, ଚାଉଳ ଦେଇ ପୂଜା କରିବା ପରେ ହୁଏ ନୂଆଁଖାଇ ପର୍ବ ପାଳନ । ଆମେ ସମସ୍ତେ କେଉଁଠି ନା କେଉଁଠି ଚାଷ କିମ୍ବା ଚାଷୀ ପରିବାର ସହ ଜଡ଼ିତ । ଆଉ ଏହି ପର୍ବ ଉଭୟ ଚାଷ ଓ ଚାଷୀଙ୍କୁ ପ୍ରେରଣା ଦେଇଥାଏ ।

୬-ହସଖୁସିରେ ସମସ୍ତଙ୍କୁ ଏକାକାର କରିଥାଏ ନୂଆଁଖାଇ । ଅର୍ଥାଭାବ କିମ୍ବା କୌଣସି ସାମାଜିକ ସମସ୍ୟା ଯୋଗୁଁ କେହି ଏହି ପର୍ବ ପାଳନରୁ ବଂଚିତ ନରୁହନ୍ତୁ ସେହି ବାର୍ତା ହିଁ ଦିଏ ନୂଆଁଖାଇ । ଏହି ପର୍ବରେ ଜଣଙ୍କ ଘରରୁ ଆଉ ଜଣଙ୍କ ଘରକୁ ‘ଭାର’ ପଠାଇବାର ପରମ୍ପରା ରହିଛି । ଯାହା ପରୋକ୍ଷରେ ଅନେକ କିଛି ବୟାନ କରୁଛି । ଯଦି କୌଣସି ପରିବାର, କିଛି ସାମଗ୍ରୀ ଯୋଗାଡ଼ କରିବାରେ ସକ୍ଷମ ହୋଇପାରୁନି, ତାଙ୍କ ସଂପର୍କୀୟ ଏବଂ ପାଖ ପଡୋଶୀ ଭାର ଆକାରରେ ପହଂଚାଇ ଦିଅନ୍ତି । ଆଧୁନିକ ଜୀବନଶୈଳୀରେ ଆମ ପଡ଼ୋଶୀ ଘରେ କ’ଣ ଚାଲିଛି, ଜାଣିପାରୁନୁ କିମ୍ବା ଜାଣିବାକୁ ଚାହୁଁନୁ । ସେତିକି ବେଳେ ସୁବିଧା ଅସୁବିଧାରେ ଆଉ ଜଣଙ୍କ ପାଖରେ ଠିଆ ହେବାର କଥା ଶିକ୍ଷା ଦେଇଥାଏ ଏହି ନୂଆଁଖାଇ ପର୍ବ ।

୭-ଧର୍ମୀୟ ଭାବନା ଏବଂ ଆଧ୍ୟତ୍ମିକତାର ଶିକ୍ଷା ଦିଏ ଏହି ଗଣପର୍ବ । ଇଷ୍ଟଦେବୀଙ୍କ ସ୍ମରଣ କରି ପୂଜା ହୁଏ, ଇଷ୍ଟଦେବୀଙ୍କ ନିକଟରେ ପ୍ରଥମ ଅନ୍ନ ଲାଗି ହୁଏ । ତା’ ପରେ ଯାଇ ସମସ୍ତେ ନୂଆଁ ଅନ୍ନ ଗ୍ରହଣ କରିଥାନ୍ତି । ଯାହା ଭକ୍ତିଭାବନାର ପରିଚୟ ଦିଏ । ପିଢ଼ି ପରେ ପିଢ଼ି ଆସୁଛି, କିନ୍ତୁ ସେମିତି ପରମ୍ପରା ସେମିତି ଅତୁଟ ରହିଛି । ଘରର ମୁରବିଙ୍କ ଠାରୁ ଏହି ଦ୍ୱାୟିତ୍ୱ ପରବର୍ତୀ ପିଢ଼ିକୁ ଯାଇଥାଏ । ଯାହା ଧର୍ମୀୟ ଭାବନାକୁ ଅକ୍ଷୁର୍ଣ୍ଣ ରଖୁଛି ।

୮-ପାରିମ୍ପରା ଓ ଆଧୁନିକତା ଭିତରେ ସମନ୍ୱୟ ସୃଷ୍ଟି କରେ ନୂଆଁଖାଇ । ଯେତେ ବଡ଼ ଅଧିକାରୀ ହୋଇଥାନ୍ତୁ, ଯେତେ ବଡ଼ ପ୍ରତିପତିଶାଳୀ ବ୍ୟକ୍ତି ହୋଇଥାନ୍ତୁ । ସେଇ ଧୋତି ଗାମୁଛା ପିନ୍ଧି ଇଷ୍ଟଦେବୀଙ୍କ ପୂଜା କରନ୍ତି । ସେମିତି ପତ୍ରଖଳିରେ ନୂଆ ଅନ୍ନ ଗ୍ରହଣ କରିନ୍ତି । ବର୍ଷ ତମାମ ଡାଇନିଂ ଟେବୁଲରେ ଖାଉଥିବା ମଣିଷ, ଗୋଟିଏ ଦିନ ପଛେ ହେଉ ତଳେ ବସି ପତ୍ରଖଳିରେ ଭୋଜନ କରନ୍ତି । ଏହି ଗଣପର୍ବ ଏକ ଅଭିନବ ଢ଼ଙ୍ଗରେ ଆଧୁନିକତା ଏବଂ ପାରମ୍ପରିକ ଚଳଣୀର ସମନ୍ୱୟ ଦେଖିବାକୁ ମିଳିଥାଏ ।

୯-ପ୍ରକୃତି ଉପାସନା ଜରିଆରେ ପ୍ରକୃତି ପ୍ରେମର ବାର୍ତା ଦିଏ ନୂଆଁଖାଇ ପର୍ବ । ସୂର୍ଯ୍ୟଦେବତାକୁ ସ୍ମରଣ କରି ଜଳଟେକିବା, ବିଲକୁ ଆସି ନୂଆ ଧାନକୁ ପୂଜା କରିବା ଆଦି ପ୍ରକୃତି ଉପାସନାର ଏକ ନିଚ୍ଛକ ଉଦାହରଣ । ଭଲ ବର୍ଷା ପାଇଁ ଇନ୍ଦ୍ରପୂଜା, ଭଲ ଚାଷ ପାଇଁ ମାଟି ପୂଜା ଆଦି ଚାଷୀ ଜୀବନର ଏକ ପାରମ୍ପରିକ ପ୍ରକ୍ରିୟା । ଆଉ ନୂଆଁଖାଇରେ ଯେତେବେଳେ ନୂଆ ଫସଲ ଆସେ, ସେହି ପ୍ରକୃତି ଉପାସନା କରିବାକୁ ଭୁଲି ନଥାଏ ଚାଷୀ ।

ସମୟ ସ୍ରୋତରେ ବଦଳୁଛି ଆଦି ପର୍ବର ସ୍ୱରୂପ । ଆଧୁନିକ ଚାକଚକ୍ୟ ଭିତରେ ପରମ୍ପରାର ପରିସର କିଛି ମାତ୍ରାରେ ସଂକୁଚିତ ହୋଇଛି ସତ, କିନ୍ତୁ ଆଜି ବି ନୂଆଁଖାଇ ପର୍ବ ସେମିତି ନୂଆ ନୂଆ ହୋଇ ରହିଛି ଏବଂ ସମସ୍ତଙ୍କ ମନରେ ନୂଆ ଉତ୍ସାହ, ନୂଆ ଉନ୍ମାଦନା ଭରିଦେଉଛି ।

Comments are closed.