ଆସନ୍ତାକାଲି ସ୍ନାନପୂର୍ଣ୍ଣିମା ! ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି, ସୁରକ୍ଷା ଦୃଷ୍ଟିରୁ ପୁଲିସର ସ୍ୱତନ୍ତ୍ର ବ୍ୟବସ୍ଥା

40

କନକ ବ୍ୟୁରୋ : ରାତି ପାହିଲେ ସାନ୍ନପୂର୍ଣ୍ଣିମା । ଅସହ୍ୟ ଗରମରୁ ତ୍ରାହି ପାଇଁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଅଣସର ଯିବେ ମହାପ୍ରଭୁ । ପରମ୍ପରା ଅନୁସାରେ ଶ୍ରୀଜିଉଙ୍କ ପହଣ୍ଡି ପାଇଁ ଅଜା ଘରୁ ଶ୍ରୀକ୍ଷେତ୍ର ଅଭିମୁଖେ ଆସିଛି ବଉଳକାଠ । ସତ୍ୟବାଦୀର ଶ୍ରୀରାମ ଚନ୍ଦ୍ରପୁର ଅଂଚଳରୁ ଶ୍ରୀମନ୍ଦିରର ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିବା ବଉଳକାଠ ପୁରୀ ଯାଇଛି ।

ନିର୍ଜଳା ଏକାଦଶୀରେ ଗାଁର ମହିଳାମାନେ ଗଛମୂଳେ ଲିପାପୋଛା କରିବା ସହ ରଙ୍ଗ ବେରଙ୍ଗର ମୁରୁଜ ପକାଇଥିଲେ । ଭୋଇ ସେବାୟତମାନେ ବଉଳ ଗଛକୁ ପୂଜା କରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଗଛକୁ କାଟିଥିଲେ । ପ୍ରଥମ ପର୍ଯ୍ୟାୟରେ ପରମ୍ପରା ମୁତାବକ ଘଂଟଘଂଟା, ସଂଖ ହୁଳହୁଳି ସହ ଶଗଡି ସାହାଯ୍ୟରେ ବଉଳକାଠକୁ ସିଦ୍ଧ ବକୁଳ ମନ୍ଦିରକୁ ପଠାଯାଇଥିଲା ।

ଶ୍ରୀଜିଉଙ୍କ ଅଙ୍ଗଲାଗି ସେନାପଟ ଓ ବାହୁଟ ପାଇଁ ସତ୍ୟବାଦୀରୁ ବଉଳ କାଠ ଶ୍ରୀକ୍ଷେତ୍ର ଆସିଥାଏ । ପ୍ରତିବର୍ଷ ଗଛ କଟା ଯିବା ପରେ ବକୁଳ ମନ୍ଦିରରେ ପୂଜାର୍ଚନା କାରାଯାଇଥାଏ । ପରେ ଶ୍ରୀକ୍ଷେତ୍ର ଯାଇ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଗୁପ୍ତ ସେବାରେ ଲାଗିଥାଏ ଏହି ବଉଳ କାଠ । କିମ୍ବଦନ୍ତୀ ଅନୁସାରେ ଜଗା ବଳିଆ ଦୁଇ ଭାଇ ବକୁଳବନରେ ପଣସ ଚୋରୀ କରି ଖାଇବା ପରେ ଆରମ୍ଭ ହୋଇଥିଲା ସେନପଟା ଓ ବାହୁଟ ଦିଅଁଙ୍କ ଗୁପ୍ତ ସେବା ।