କଲମା ବ୍ୟାରେଜର ଗେଟ୍ ଖୋଲିବା ପାଇଁ ଉମାଭାରତୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ! କହିଲେ, ଛତିଶଗଡ ସରକାରଙ୍କୁ ପରାମର୍ଶ ଦିଅନ୍ତୁ କେନ୍ଦ୍ର ଜଳ ସମ୍ପଦମନ୍ତ୍ରୀ

28

କନକ ବ୍ୟୁରୋ : ମହାନଦୀର ଉପର ମୁଣ୍ଡରେ ଛତିଶଗଡ କଲମା ବ୍ୟାରେଜ ବନ୍ଦ କରିବା ଦ୍ୱାର ଓଡିଶା ପ୍ରଭାବିତ ହୋଇଛି । କଲମା ବ୍ୟାରେଜ ଗେଟ୍ ବନ୍ଦକୁ ନେଇ ରାଜନୀତି ଯୋର ଧରିଥିବା ବେଳେ ଆଭିମୁଖ୍ୟ ବଦଳାଇଛି ରାଜ୍ୟ ବିଜେପି । ବ୍ୟାରେଜ ଗେଟ୍ ବନ୍ଦ ନେଇ ପୂର୍ବରୁ ରାଜ୍ୟ ସରକାରଙ୍କୁ ଦୋଷ ଦେଇ ଆସୁଥିବା ବିଜେପି ଏଥର ଛତିଶଗଡ ଉପରେ ଚାପ ପ୍ରୟୋଗ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କୁ ଏନେଇ ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି, ଖୁବ୍ ଶୀଘ୍ର କଲମା ବ୍ୟାରେଜ ଗେଟ୍ ଖୋଲିବା ନେଇ ଛତିଶଗଡ ସରକାରଙ୍କୁ ପରାମର୍ଶ ଦିଅନ୍ତୁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ । ଧର୍ମେନ୍ଦ୍ର ତାଙ୍କ ଚିଠିରେ ଲେଖିଛନ୍ତି, ଅଣ ମୌସୁମୀ ଋତୁରେ ତଳି ଅଂଚଳକୁ ଜଳ ପ୍ରବାହ ଅନକେ ପରିମାଣରେ କମିଛି ।

ଏପରିକି ଚଳିତ ବର୍ଷ ମେ’ ମାସ ସୁଦ୍ଧା ୭୮ ପ୍ରତିଶତ ଜଳ ପ୍ରବାହ କମିଛି । ଏହା ତଳି ଅଂଚଳର ଲୋକଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିଛି । ଏହାଦ୍ୱାର ଓଡିଶା ଲୋକଙ୍କ ସ୍ୱାର୍ଥ ପ୍ରଭାବିତ ହୋଇଛି । ଯଦି, ଗେଟ୍ ଏଭଳି ବନ୍ଦ ରୁହେ ତେବେ ହୀରାକୁଦକୁ ସାଂଘାତିକ ଭାବେ ଜଳପ୍ରବାହ କମି ଯିବ । ତେଣୁ କେନ୍ଦ୍ର ସରକାର ଛତିଶଗଡ ସରକାରଙ୍କୁ ଗେଟ୍ ଖୋଲିବା ପାଇଁ ତୁରନ୍ତ ପରାମର୍ଶ ଦିଅନ୍ତୁ ବୋଲି ଧର୍ମେନ୍ଦ୍ର ଲେଖିଛନ୍ତି ।