ଓଡ଼ିଶାର ସୁନା ଝିଅଙ୍କ ରୁପା ଉପହାର : ରୌପ୍ୟପଦକ ପରେ ଦୂତି ଚାନ୍ଦଙ୍କ ଘରେ ଶୁଭେଚ୍ଛାର ସୁଅ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଦେଢ଼ କୋଟିର ପୁରସ୍କାର

33

କନକ ବ୍ୟୁରୋ : ସୁନା ଝିଅ ଭେଟି ଦେଲେ ରୁପା ଉପହାର । ଜାକର୍ତ୍ତାର ଏହି ସଫଳତା ଏବେ ଯାଜପୁରରେ ଏକ ଉତ୍ସବର ମାହୋଲ ସୃଷ୍ଟି କରିଛି । ଦୂତିଙ୍କ ଗାଁ ଚକଗୋପାଳପୁରରେ ପହଂଚୁଛି ଶୁଭେଚ୍ଛାର ସୁଅ । ଆଉ ଏହି ଶୁଭେଚ୍ଛା ଭିତରେ ଓଡ଼ିଶା ସରକାର ଦୂତିଙ୍କ ଏହି ସଫଳତା ପାଇଁ ଘୋଷଣା କରିଛନ୍ତି ଦେଢ଼ କୋଟିର ପୁରସ୍କାର ରାଶି ।

କୋଟି କୋଟି ଭାରତୀୟଙ୍କ ଆଖି ଯେମିତି ଲାଖି ରହିଥିଲା ଟ୍ରାକ୍ ଉପରେ । ଇସାରା ମିଳିବା କ୍ଷଣି ପବନ ବେଗରେ ଧାଇଁଲେ ଆଥଲେଟ୍ । ଆଉ ଫିନିସିଂ ଲାଇନ୍ ଛୁଇଁବା ପରେ ସବୁ କିଛି ଇତିହାସ ପାଲଟିଗଲା । ଦୀର୍ଘ ୨୦ବର୍ଷ ପରେ ଏସିଆଡ ଖେଳରେ, ୧୦୦ ମିଟର ମହିଳା ଦୌଡ଼ ବର୍ଗରେ ପଦକ ଆଣିଲା ଭାରତ । ୧୧ ଦଶମିକ୍ ୩୨ ସେକେଣ୍ଡ । ଦୂତି ଚାନ୍ଦଙ୍କୁ ଇତିହାସ ରଚିବା ପାଇଁ ଯେଥେଷ୍ଟ ଥିଲା ଏହି ସମୟ । ଭାରତର ପଦକ ତାଲିକାରେ ଯୋଡ଼ି ହୋଇଗଲା ଆଉ ଏକ ରୌପ୍ୟ ପଦକ ।

ସ୍ୱର୍ଣ୍ଣ ପଦକଠାରୁ ମାତ୍ର ୦.୦୨ ସେକେଣ୍ଡର ପଛରେ ରହିଗଲେ ଦୂତି ଚାନ୍ଦ । ଯାହା ଫଳରେ ବାହାରିନର ଆଥଲେଟ୍ ୧୧.୩୦ ସେକେଣ୍ଡ ସହ ସ୍ୱର୍ଣ୍ଣ ପଦକ ହତେଇ ନେଲେ । ତେବେ ଜାକର୍ତ୍ତାର ଏହି ସଫଳତା ଯାଜପୁରରେ ସୃଷ୍ଟି କରି ଦେଇଛି ଏକ ଉତ୍ସବର ମାହୋଲ । ଦୂତିଙ୍କ ଗାଁ ଚକଗୋପାଳପୁରରେ ଖେଳି ଯାଇଯାଇଛି ଖୁସିର ଲହାରୀ । ଶୁଭେଚ୍ଛୁମାନେ ଫୁଲ ତୋଡ଼ା ଓ ମିଠା ଧରି ପରିବାର ଲୋକଙ୍କୁ ଶୁଭେଚ୍ଛା ଦେବାକୁ ପହଂଚିଯାଇଛନ୍ତି ।

ଦୂତିଙ୍କ ଏହି ସଫଳତା ଚାରି ଆଡୁ ଶୁଭେଚ୍ଛା ସାଉଁଟିଥିବା ବେଳେ ଦୂତୀ ଚାନ୍ଦଙ୍କୁ ଦେଢକୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି- ଦୂତି ଚାନ୍ଦଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି-ଏହା ଦେଶ ପାଇଁ ଗୌରବର ବିଷୟ ।

ଯାଜପୁର ଜିଲ୍ଲା ବ୍ରାହ୍ମଣୀ ନଦୀ ପଠାରୁ ବଡ ଭଉଣୀ ସରସ୍ୱତି ଚାନ୍ଦଙ୍କ ସହ ଦୌଡ଼ିବା ଆରମ୍ଭ କରିଥିଲେ ଦୂତି ଚାନ୍ଦ । ବଡ ଭଉଣୀଙ୍କ ପଥକୁ ଅନୁସରକଣ କରି ଆଥଲେଟ୍ ଭାବେ ଦେଶର ଟେକ ରଖିବାର ଅଭିଳାଷା, ତାଙ୍କୁ ଅନେକ ସଫଳତା ଆଣି ଦେଇଛି । ଜାତୀୟ ସ୍ତରରେ ଅନେକ ରେକର୍ଡ ଓ ପଦକ ସହ ପହଂଚି ପାରିଥିଲେ ଅର୍ନ୍ତଜାତୀୟ ସ୍ତରକୁ । ସଂଘର୍ଷ ଓ ସଫଳତାର ଏହି ଲମ୍ବା କାହାଣୀ ଭିତରେ କିନ୍ତୁ ୨୦୧୪ ମସିହାରେ ଦୂତିଙ୍କ ସହ ଘଟିଯାଇଥିଲା ଏମିତି ଏକ ଘଟଣା । ଯାହା ତାଙ୍କ ଆଥଲେଟିକ୍ କ୍ୟାରିୟର ନେଇ ସୃଷ୍ଟି ହୋଇଥିଲା ଏକ ବଡ ପ୍ରଶ୍ନବାଚୀ । ତାଙ୍କ ଦେହରେ ଥିବା ଏକ ହରମୋନକୁ ନେଇ ଉଠିଥିଲା ଆପତି । ହେଲେ ସବୁ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିଥିବା ସୂନା ଝିଅ ଦୁତିଙ୍କ ହାତରେ ଆଜି ରୁପା ପଦକ ।