୧୧୧ ବର୍ଷ ବୟସରେ ସିଦ୍ଧଗଙ୍ଗା ମଠର ମହନ୍ତ ଶିବକୁମାର ସ୍ୱାମୀଙ୍କ ନିଧନ ! କର୍ଣ୍ଣାଟକରେ ୩ ଦିନିଆ ରାଜକୀୟ ଶୋକ, ଆସନ୍ତାକଲି ସରକାରୀ ଛୁଟି

204

କନକ ବ୍ୟୁରୋ : କର୍ଣ୍ଣାଟକର ତୁମକୁରୁ ସ୍ଥିତ ସିଦ୍ଧଗଙ୍ଗା ମଠର ମହନ୍ତ ତଥା ମୁଖ୍ୟ ଡ଼ଃ ଶିବକୁମାର ସ୍ୱାମୀଙ୍କର ୧୧୧ ବର୍ଷ ବୟସରେ ନିଧନ ହୋଇଛି । ଦୀର୍ଘ ସମୟ ଧରି ସେ ରୋଗଗ୍ରସ୍ତ ଥିଲେ ଏବଂ ଆଶ୍ରମରେ ହିଁ ତାଙ୍କର ଚିକିତ୍ସା ଚାଲୁଥିଲା । ଡ଼ଃ ଶିବକୁମାରଙ୍କ ନିଧନରେ ମୁଖ୍ୟମନ୍ତ୍ରୀ ଏଚଡ଼ି କୁମାରସ୍ୱାମୀ ରାଜ୍ୟରେ ୩ ଦିନ ପର୍ଯ୍ୟନ୍ତ ରାଜକୀୟ ଶୋକ ପାଳନ କରିବା ପାଇଁ ଘୋଷଣା କରିଛନ୍ତି । ଏହାବ୍ୟତୀତ ଆସନ୍ତାକାଲି ରାଜ୍ୟରେ ସରକାରୀ ଛୁଟି ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଶିବକୁମାର ସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶିବକୁମାର ସ୍ୱାମୀଙ୍କ ଶେଷ ଦର୍ଶନ ପାଇଁ ମଠରେ ଲୋକଙ୍କ ଭିଡ଼ ଜମିଛି ।

 

ସୂଚନା ଅନୁସାରେ ତୁମକୁରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ବସ୍ ଚଳାଚଳ କରାଯିବ । ଏହି ବସ୍ ରାଜ୍ୟର ଭିନ୍ନ ଭିନ୍ନ ସହରରୁ ଚଳାଚଳ କରିବ, ଯଦ୍ୱାରା ଶ୍ରଦ୍ଧାଳୁ ସ୍ୱାମୀ ଶିବକୁମାରଙ୍କ ଅନ୍ତିମ ଦର୍ଶନ କରିପାରିବେ । କର୍ଣ୍ଣାଟକର ପୂର୍ବ ମୁଖମନ୍ତ୍ରୀ ବିଏସ୍ ୟେଦୁରପ୍ପା ଟ୍ୱିଟ୍ କରି କହିଛନ୍ତି, ଦେଶ ଏବ ମହାନ ବ୍ୟକ୍ତିିତ୍ୱକୁ ହରାଇଛି ।

ସୂଚନାଯୋଗ୍ୟ ଡ଼ଃ ଶିବକୁମାର ସ୍ୱାମୀଙ୍କର କର୍ଣ୍ଣାଟକର ୩୦ ଜିଲ୍ଲାରେ ମଠ ରହିଛି । ମଠରେ ନିଜର ପ୍ରଭୁତ୍ୱ ଥିବାଯୋଗୁଁ ସମସ୍ତ ରାଜନୈତିକ ଦଳ ମଧ୍ୟ ତାଙ୍କୁ ମାନୁଥିଲେ । ରାଜ୍ୟରେ ସବୁଠାରୁ ପ୍ରଭୁତ୍ୱ ବିସ୍ତାର କରୁଥିବା ଲିଙ୍ଗାୟତ ସମୁଦାୟ ସଂଖ୍ୟା ୧୮ ପ୍ରତିଶତ ଅଟେ । ଆଉ ସେ ଲିଙ୍ଗାୟତ ସମୁଦାୟର ଧର୍ମଗୁରୁ ଥିଲେ । କର୍ଣ୍ଣାଟକ ଠାରୁ ଆରମ୍ଭ କରି କେନ୍ଦ୍ର ରାଜନୀତିରେ ତାଙ୍କର ଦବଦବା ରହିଥିଲା ।