ବ୍ରାଣ୍ଡସ୍ ଅଫ୍ ଓଡ଼ିଶା, ପ୍ରାଇଡ୍ ଅଫ୍ ଇଣ୍ଡିଆ ! ସମ୍ବାଦ ପକ୍ଷରୁ ସଫଳ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବାକୁ ନିଆରା ପ୍ରୟାସ

86

କନକ ବ୍ୟୁରୋ: ସଫଳ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସମ୍ବାଦ ପରିବାରର ନିଆରା ଉଦ୍ୟମ- ବ୍ରାଣ୍ଡସ ଅଫ ଓଡିଶା, ପ୍ରାଇଡ ଅଫ ଇଣ୍ଡିଆ । ଓଡିଶାର କ୍ଷୁଦ୍ର, ମଧ୍ୟମ ଏବଂ ବୃହତ ଶିଳ୍ପସଂସ୍ଥା ସମେତ ବଡ ବଡ ପିଏସୟୁ ଗୁଡିକର କାର୍ଯ୍ୟକୁ ସ୍ୱୀକୃତି ଦେବା ଲକ୍ଷ୍ୟରେ ଏଭଳି ଏକ ପ୍ରୟାସ ଜାରି ରଖିଛି ସମ୍ବାଦ ଗ୍ରୁପ୍ । ଗତକାଲି ଭୁବନେଶ୍ୱରରେ ଆୟୋଜିତ ଏକ ପୁରସ୍କାର ଉତ୍ସବରେ ପିଏସୟୁ କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ ପାଇଁ ଏମସିଏଲ, ଓଏମସି, ନାଲକୋକୁ ପୁରସ୍କୃତ କରାଯାଇଛି ।

ସେହିପରି ବୃହତ ଶିଳ୍ପ ବିଭାଗ କ୍ଷେତ୍ରରେ ମେ’ଫେୟାର, ଇମ୍ଫା ଏବଂ ଫାଲକୋନ୍ ପୁରସ୍କୁତ ହୋଇଛନ୍ତି । ଭାରତ ମସଲା, ମିଲ୍କ ମନ୍ତ୍ରା, ପାୱାର ଟ୍ରାଂଜିଟକୁ ମଧ୍ୟମ ଶିଳ୍ପ ବିଭାଗ କ୍ଷେତ୍ରରେ ସମ୍ମାନିତ କରାଯାଇଛି । ସେହିଭଳି କ୍ଷୁଦ୍ର ଶିଳ୍ପ ବିଭାଗ କ୍ଷେତ୍ରରେ ଓଡି ରାୟ, ମର୍ଡନ ଟେଷ୍ଟ ସେଂଟର ଏବଂ ୟୁନିକ୍ ପାୱାର ଷ୍ଟେସନ ପୁରସ୍କୃତ କରିଛି ସମ୍ବାଦ । ଏହା ବ୍ୟତିତ ଉଦିୟମାନ୍ ଉଦ୍ୟୋଗୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଛି । ସମ୍ବାଦ କର୍ପୋରେଟ୍ ଏକ୍ସେଲେନ୍ସ ଆଓ୍ଵାର୍ଡ-୨୦୧୮’ର ପୁରସ୍କାର ପ୍ରଦାନ ସମାରୋହ ଗତକାଲି ସନ୍ଧ୍ୟାରେ ହୋଟେଲ୍ କ୍ରାଉନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୫ଟି ବିଭାଗରେ ୧୪ ସଫଳ ଶିଳ୍ପସଂସ୍ଥାକୁ ପୁରସ୍କୃତ କରିଥିଲେ । ମୁଖ୍ୟମନ୍ତ୍ରୀ ସମ୍ବାଦର ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ଏହା ଦ୍ୱାରା ଯୁବ ଶିଳ୍ପପତିମାନେ ଓଡ଼ିଶାର ଗୌରବ ବଢ଼ାଇବାକୁ ଆହୁରି ଉତ୍ସାହିତ ହେବେ ବୋଲି ମତ ଦେଇଥିଲେ ।

ଶିଳ୍ପ ପାଇଁ ସରକାର ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ଓଡ଼ିଶାର ସମୃଦ୍ଧ ସମ୍ପଦକୁ ଉପଯୋଗ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଯେତେବେଳେ ଆମେ ଏହି ସମ୍ପଦକୁ ବ୍ୟବହାର କରି ସୃଷ୍ଟି କରୁଥିବା ଉତ୍ପାଦ ଓ ସେବା ପାଇଁ ଏକ ଯଥାର୍ଥ ବ୍ରାଣ୍ଡ୍ ସୃଷ୍ଟି କରିପାରିବା, ସେତେବେଳେ ଆମେ ବାସ୍ତବରେ ଆମ ସମ୍ପଦର ବିଶାଳ ସମ୍ଭାବନାକୁ ବ୍ୟବହାର କରିପାରିଲେ ବୋଲି କହିପାରିବା । ଏମ୍ଏସ୍ଏମ୍ଇ ଓ ରପ୍ତାନି ପ୍ରୋତ୍ସାହନ ପାଇଁ ପ୍ରସ୍ତୁତ ହୋଇଥିବା ଆମର ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଜାତୀୟ ବ୍ରାଣ୍ଡ୍ ସୃଷ୍ଟି ନିମନ୍ତେ ସୁଯୋଗ ଦେବା । ୨୦୧୬-୧୭ରେ ଆମ ରପ୍ତାନିର ଅଭିବୃଦ୍ଧି ପୂର୍ବ ବର୍ଷ ତୁଳନାରେ ୧୧୪ ପ୍ରତିଶତ ହୋଇଛି । ଏହା ହିଁ ଆମ ପ୍ରଗତିଶୀଳ ନୀତିକୁ ସୂଚାଉଛି। ସବୁ ରାଜ୍ୟ ମଧ୍ୟରେ ଆମର ସର୍ବାଧିକ ଅଭିବୃଦ୍ଧି ହାରକୁ ଭାରତ ସରକାର ସ୍ୱୀକୃତି ମଧ୍ୟ ଦେଇଛନ୍ତି । ଆମର ହସ୍ତତନ୍ତ ଓ ହସ୍ତକଳାର ଥିବା ସ୍ୱତନ୍ତ୍ରତା ଏହାକୁ ‘ଗ୍ଲୋବାଲ୍ ବ୍ରାଣ୍ଡ୍’ରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ସମ୍ଭାବନା ରଖିଛି। ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାର ବ୍ରାଣ୍ଡ୍ ଏହାର ସ୍ୱତନ୍ତ୍ର ଛାପ ଛାଡ଼ିବା ପାଇଁ ‘ସମ୍ବାଦ’ର ଏହି କାର୍ୟ୍ୟକ୍ରମ ଉତ୍ସାହିତ କରିବ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକଟ କରିଥିଲେ ।