କନ୍ୟା ସନ୍ତାନର ବାପା ହେଲେ ରୋହିତ ଶର୍ମା, ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳିବେନି ହିଟମ୍ୟାନ୍ ।

459

ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳିବେ ନାହିଁ ହିଟମ୍ୟାନ୍ ରୋହିତ ଶର୍ମା । ୩ ଜାନୁଆରୀରୁ ସିଡନୀରେ ଆରମ୍ଭ ହେବାକୁ ଥିବା ଶେଷ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ ଖେଳି ନ ପାରନ୍ତି ରୋହିତ । କାରଣ ରୋହିତ ଏକ କନ୍ୟା ସନ୍ତାନର ବାପା ହେବା ପରେ ଭାରତକୁ ଫେରି ଆସିଛନ୍ତି । ରୋହିତ ବାପା ହେବା ପରେ ଭାରତ ଫେରି ଆସିଥିବା ବିସିସିଆଇ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଡିସେମ୍ବର ୩୦ରେ ମୁମ୍ବାଇର ଏକ ହସ୍ପିଟାଲରେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ପତ୍ନୀ ରୀତିକା । ଏନେଇ ଉଭୟ ରୋହିତ ଓ ରୀତିକାଙ୍କୁ ଶୁଭେଚ୍ଛା ଜଣାଇଛି ବିସିସିଆଇ ।


ତେବେ ଶେଷ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତ ଫେରି ଆସିଥିବା ରୋହିତ ୮ ଜାନୁଆରୀରେ ପୁଣିଥରେ ଦିନିକିଆ ସିରିଜ ପାଇଁ ଦଳ ସହ ଯୋଗ ଦେବେ । ୧୨ ଜାନୁଆରୀରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଅଭିଯାନ ଆରମ୍ଭ କରିବ ଭାରତ । ତେବେ ଚତୁର୍ଥ ମ୍ୟାଚରେ ରୋହିତଙ୍କ ସ୍ଥାନରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଚୂଡାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି । ହାର୍ଦ୍ଦିକ ଏବେ ଦମଦାର ଫର୍ମରେ ଥିବା ବେଳେ ଦ୍ୱିତୀୟ ଟେଷ୍ଟ ପରେ ତାଙ୍କୁ ଦଳରୁ ଡାକରା ଆସିଥିଲା ।

୨୦୧୫ ଡିସେମ୍ବର ୧୩ରେ ରୋହିତ ଓ ରୀତିକା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଉ ବିବାହର ୩ ବର୍ଷ ପରେ ବାପା ହୋଇଛନ୍ତି ରୋହିତ । ଅଧିକାଂଶ ମ୍ୟାଚରେ ଷ୍ଟାଡିୟମରେ ପତ୍ନୀ ରୀତିକା ଉପସ୍ଥିତ ରହି ରୋହିତଙ୍କୁ ଉତ୍ସାହିତ କରିଥାନ୍ତି । ତେବେ ଗୋଟିଏ ଦିନରେ ମେଲବୋର୍ଣ୍ଣ ଟେଷ୍ଟରେ ବିଜୟୀ ହେବା ଓ ବାପା ହେବାର ସୌଭାଗ୍ୟ ଲାଭ କରିବା ରୋହିତଙ୍କ ଖୁସିକୁ ଦ୍ୱିଗୁଣିତ କରିଛି ।