ଦିନ ମଜୁରିଆଙ୍କ ଝିଅଙ୍କୁ ଖୋଜି ଟିକେଟ ଦେଇଥିଲା କଂଗ୍ରେସ । ଦୁଇଥରର ସାଂସଦଙ୍କୁ ହରାଇ ପ୍ରଥମଥର ସଂସଦରେ ପହଞ୍ଚିଲେ ରମ୍ୟା

1,353

କନକ ବ୍ୟୁରୋ : ଚଳିତ ଲୋକସଭା ନିର୍ବାଚନରେ ବଡ ବିପର୍ଯ୍ୟୟର ସାମ୍ନା କରିଛି ଦେଶର ସବୁଠୁ ପୁରୁଣା ଦଳ କଂଗ୍ରେସ । ସରକାରକୁ ପୁଣି ଥରେ ଫେରିବା ପାଇଁ  କଂଗ୍ରେସ ଦେଖିଥିବା ସ୍ୱପ୍ନ ପୁଣିଥରେ ଭାଙ୍ଗି ଯାଇଛି । କିନ୍ତୁ କଂଗ୍ରେସର ଏଭଳି ବିପର୍ଯ୍ୟୟ ସମୟରେ ରମ୍ୟା ହରିଦାସ କିନ୍ତୁ ଚର୍ଚ୍ଚାରେ ରହିଛନ୍ତି । ରମ୍ୟା ହରିଦାସ ଅନେକ ଲୋକଙ୍କ ପାଇଁ ଏକ ଅଜଣା ନାଁ ସତ କିନ୍ତୁ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏବେ ଏହି ନାଁକୁ ନେଇ ଅଧିକ ଚର୍ଚ୍ଚା ଆରମ୍ଭ ହୋଇଛି । ୩୩ ବର୍ଷିୟ ଏହି ମହିଳା ଜଣକ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।

ରମ୍ୟା ହରିଦାସ । କେରଳର ଅଲଥୁରା ନିର୍ବାଚନମଣ୍ଡଳୀରୁ ପ୍ରଥମଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । କେରଳର ଦ୍ୱିତୀୟ ଦଳିତ ମହିଳା ସାଂସଦ ତଥା ଚଳିତ ନିର୍ବାଚନର ଏକମାତ୍ର ମହିଳା ସାଂସଦ ଭାବେ ନିର୍ବାଚିତ ହୋଇଥିବା ରମ୍ୟା କୌଣସି ପଲିଟିକାଲ ବ୍ୟାକଗ୍ରାଉଣ୍ଡ ପରିବାରରୁ ଆସିନାହାନ୍ତି । ଅତି ସାଧାରଣ ପରିବାରରୁ ଆସିଥିବା ରମ୍ୟାଙ୍କର ବାପା ଜଣେ ଦିନ ମଜୁରିଆ । ଗରିବିକୁ ଅତି ପାଖରୁ ଦେଖିଥିବା ରମ୍ୟାଙ୍କ ଉପରେ ୨୦୧୦ରେ କଂଗ୍ରେସର ନଜର ପଡିଥିଲା । ପୂରା ଦେଶରେ ଗାନ୍ଧୀ ଟ୍ୟାଲେଣ୍ଟ ହଣ୍ଟ ଚାଲିଥିବା ବେଳେ ଯୁବ ଚେହେରା ଭାବେ ରମ୍ୟା ସାମ୍ନାକୁ ଆସିଥିଲେ । ଏହି ଟ୍ୟାଲେଣ୍ଟ ହଣ୍ଟ ର ଆୟୋଜନ କରି ଯୁବ ନେତୃତ୍ୱ ଖୋଜିଥାଏ କଂଗ୍ରେସ ।

ଏହି ଟ୍ୟାଲେଣ୍ଟ ହଣ୍ଟରେ ରମ୍ୟା ସାମ୍ନାକୁ ଆସିବା ପରେ କଂଗ୍ରେସ ପରିବାରର ନୂଆ ସଦସ୍ୟ ପାଲଟିଥିଲେ । କିଛି ବର୍ଷ କାମ କରିବା ପରେ କୋଝିକୋଡ ମ୍ୟୁନିସପାଲଟିର ଚେୟାରମ୍ୟାନ ହୋଇଥିଲେ ରମ୍ୟା । ତେବେ ୨୦୧୯ରେ ରମ୍ୟାଙ୍କ ଉପରେ ଭରସା କରି ଦଳ ତାଙ୍କୁ ଟିକେଟ ଦେଇଥିଲା । ରମ୍ୟା ଜଣେ ଭଲ ସିଙ୍ଗର ହୋଇଥିବାରୁ ଗୀତ ଗାଇ କଂଗ୍ରେସ ପାଇଁ ପ୍ରଚାର କରୁଥିଲେ । କିନ୍ତୁ ଗୀତ ଗାଇ ପ୍ରଚାର କରୁଥିବାରୁ ତାଙ୍କର ମଜା ଉଡାଉଥିଲେ ବିରୋଧୀ । ସେ ଗୀତ ଗାଇବେ ନା ସଂସଦରେ ଆଇନ ତିଆରି କରିବେ ବୋଲି କହି ରମ୍ୟାଙ୍କର ମଜାକ ଉଡାଇଥିଲେ ବିରୋଧୀ ଦଳ । କିନ୍ତୁ ଏହି ପ୍ରଚାର ତାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା । ଗୀତ ଗାଇ ପ୍ରଚାର କରିବା ସହ ଭୋଟରଙ୍କ ମନ ଜିଣିଥିଲେ ରମ୍ୟା । ଏହାସହ ସିପିଏମର ହେଭିୱେଟ ପ୍ରାର୍ଥୀ ପିକେ ବିଜୁଙ୍କୁ ୧.୫୮ ଲକ୍ଷ ଭୋଟରେ ମାତ୍ ଦେଇ ପ୍ରଥମଥର ପାଇଁ ସାଂସଦ ଭାବେ ନିର୍ବାଚିତ ହେବାର ସୌଭାଗ୍ୟ ପାଇଛନ୍ତି ରମ୍ୟା ।

ଚଳିତଥର ଦେଶରେ କଂଗ୍ରେସ ବଡ ବିପର୍ଯ୍ୟୟର ସାମ୍ନା କରିଥିବା ବେଳେ କେରଳରେ ଜବରଦସ୍ତ ପ୍ରଦର୍ଶନ କରିଥିଲା । କେରଳରେ ୧୦ଟି ଆସନରୁ ୧୯ଟି ଆସନରେ କଂଗ୍ରେସ ମେଣ୍ଟ ବିଜୟ ହାସଲ କରିଥିଲା । ରାହୁଲ ଗାନ୍ଧି ୱାୟନାଡରୁ ବିଜୟୀ ହୋଇଥିବା ବେଳେ ଅଲଥୁରାରୁ ବିଜୟୀ ହୋଇଛନ୍ତି ରମ୍ୟା । ଏହାସହ ଏକମାତ୍ର ମହିଳା ଭାବେ କେରଳରୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି ରମ୍ୟା ।