ଜିଓ ଆଣିଲା ଖୁସି ଖବର…ଅନ୍ୟ ନେଟୱର୍କରେ କଥା ହେବା ପାଇଁ ଗ୍ରାହକଙ୍କୁ କଂପାନୀ ଦେବ ଏତିକି ସମୟର ଫ୍ରି ଟକ୍ ଟାଇମ୍

14,913

ରିଲାଏନ୍ସ ଜିଓ ଇନଫୋକମ ନିଜର ଗ୍ରାହକଙ୍କ ପାଇଁ ଆଣିଦେଇଛି ଖୁସି ଖବର । ନିଜ ଗ୍ରାହକଙ୍କୁ ୩୦ ମିନିଟର ଫ୍ରି ଟକ ଟାଇମ୍ ଦେବା ଆରମ୍ଭ କରିଛି କଂପାନୀ । ମିଳିଥିବା ସୂଚନା ଅନୁସାରେ, ପ୍ରଥମ ଥର ପାଇଁ ରିଚାର୍ଜ କରୁଥିବା ଗ୍ରାହକଙ୍କୁ ୩୦ ମିନିଟର ମାଗଣା ଟକ୍ ଟାଇମ୍ ଦେବାକୁ ଘୋଷଣା କରିଛି କଂପାନୀ । ତେବେ ଏହି ୱାନ- ଟାଇମ୍ ଅଫର ପ୍ଲାନର ଘୋଷଣା ପରଠୁ ପ୍ରଥମ ସାତ ଦିନ ପାଇଁ ହିଁ ଉପଲବ୍ଧ ।

ତେବେ ଜିଓର ଏହି ଲିମିଡେଟ୍ ପରିୟଡ ଅଫର ନିଆଯାଇଥିବା ନିଷ୍ପତିର ୪୮ ଘଂଟାରୁ ବି କମ ସମୟରେ ଲଂଚ କରାଯାଇଛି । ନିଜ ପ୍ୟାକ୍ ରିଚାର୍ଜ କରୁଥିବା ଗ୍ରାହକଙ୍କୁ ମେସେଜ ଜରିଆରେ ଏସଂପର୍କରେ ସୂଚିତ କରିଦିଆଯାଇଛି । ରିଲାଏନ୍ସ ଜିଓ ଅକ୍ଟୋବର ୯ ତାରିଖରେ ଆଇୟୁସି ଚାର୍ଜ ସଂପର୍କରେ ଘୋଷଣା କରିଥିଲା । ଯେଉଁଥିରେ କୁହାଯାଇଥିଲା କି ଜିଓ ଗ୍ରାହକଙ୍କୁ ଏଣିକି ଅନ୍ୟ ନେଟୱର୍କରେ କଲ କରିବାକୁ ହେଲେ କଲ ପିଛା ୬ ପଇସା ଲେଖାଏଁ ଶୁଳ୍କ ବାବଦକୁ ଦେବାକୁ ପଡିବ ।

ଆଇୟୁସି କଣ ?

ଆଇୟୁସି ହେଉଛି ଏକ ପ୍ରକାର ଶୁଳ୍କ । ଯେତେବେଳେ ଗୋଟିଏ କଂପାନୀର ମୋବାଇଲ ଗ୍ରାହକ ଅନ୍ୟ ଏକ କଂପାନୀର ନେଟୱାର୍କକୁ କଲ ପାଇଁ ବ୍ୟବହାର କରନ୍ତି ସେତେବେଳେ ଏହି ଶୁଳ୍କ ଲାଗିଥାଏ । ଉଦାହରଣ ସ୍ୱରୂପ ଯଦି ଜିଓର ଜଣେ ଗ୍ରାହକ ବିଏସଏନଏଲ ନମ୍ବରକୁ କଲ କରନ୍ତି ତେବେ ସେହି ସମୟରେ ତାଙ୍କୁ କଥାବାର୍ତ୍ତା ହେବା ଲାଗି ବିଏସଏନଏଲ ନେଟୱାର୍କକୁ ବ୍ୟବହାର କରିବାକୁ ପଡିଥାଏ । ନିଜର ନେଟୱାର୍କ ବ୍ୟବହାର କରିବାର ଅନୁମତି ଦେବା ଲାଗି ଜିଓଠାରୁ ବିଏସଏନଏଲ ଏକ ଶୁଳ୍କ ନେଇଥାଏ । ସେହି ଶୁଳ୍କକୁ ଆଇୟୁସି କୁହାଯାଏ । ଭାରତୀୟ ଦୂର ସଂଚାର ନିୟାମକ କର୍ତ୍ତୃପକ୍ଷ ଅନୁଯାୟୀ, ଏହି ଶୁଳ୍କ ପରିମାଣ ଏବେ ମିନିଟ୍ ପିଛା ୬ ପଇସା ରହିଛି । ପୂର୍ବରୁ ଏହା ୧୪ ପଇସା ଥିଲା । ୨୦୧୭ରେ ସେଥିରେ ଶେଷ ଥର ଲାଗି ହ୍ରାସ ଘୋଷଣା କରାଯାଇଛି ।

ଜିଓ ଗ୍ରାହକଙ୍କୁ କଣ କରିବାକୁ ପଡିବ ?

ଯେଉଁ ଗ୍ରାହକମାନଙ୍କ ନମ୍ବରରେ ପୂର୍ବରୁ କୌଣସି ପ୍ଲାନ ସକ୍ରିୟ ରହିଛି ସେମାନେ ଯେଉଁଭଳି ମାଗଣା କଲ କରୁଥିଲେ ସେହି ସୁବିଧା ପାଇପାରିବେ । ସେମାନଙ୍କ ପ୍ଲାନର ବୈଧତା ଶେଷ ହୋଇଯିବ । ପରେ ଯେତେବେଳେ ସେମାନେ ପୁଣି ଥରେ ରିଚାର୍ଜ କରିବେ ସେହି ସମୟରେ ସେମାନଙ୍କୁ ଏକ ସ୍ୱତନ୍ତ୍ର ଭାଉଚର କିଣିବାକୁ ପଡିବ ଯାହାକୁ ଜିଓ ପକ୍ଷରୁ ଆଇୟୁସି ଭାଉଚର କୁହାଯାଉଛି । ଏହା ୧୦, ୨୦, ୫୦ ଏବଂ ୧୦୦ ଟଙ୍କାରେ ଉପଲବ୍ଧ ହେଉଛି । ମାତ୍ର ଅକ୍ଟୋବର ୧୦ରୁ ଯେଉଁ ଗ୍ରାହକମାନେ ନିଜ ନମ୍ବରକୁ ନୂଆ ରିଚାର୍ଜ କରିବେ ସେମାନଙ୍କୁ ଏହି ଭାଉଚର ନିଶ୍ଚିତ ରୂପେ କିଣିବାକୁ ପଡିବ । ଅନ୍ୟଥା ସେମାନେ ଅନ୍ୟ ନମ୍ବରକୁ ଆଉଟଗୋଇଂ କଲ କରିପାରିବେ ନାହିଁ ।