ଏରସମାରେ ରାବଣପୋଡି ଉତ୍ସବକୁ ନେଇ ମୁହାଁମୁହିଁ ଦାମ ଓ ପ୍ରଶାନ୍ତ ! ପ୍ରଶାସନ ଅନୁମତି ନଦେବାକୁ ନେଇ ବର୍ଷିଲେ ଦାମ, କହିଲେ ତୃତୀୟ ମହଲା ଇସାରାରେ ଚାଲିଛି ଷଡଯନ୍ତ୍ର ।

32

କନକ ବ୍ୟୁରୋ : ରାବଣକୁ ନେଇ ଜଗତସିଂହପୁରରେ ଜୋରଦାର ହୋଇଛି ରାଜନୀତି । ଏରସମାରେ କିଏ କରିବ ରାବଣପୋଡି ? ତାକୁ ନେଇ ମୁହାଁମୁହିଁ ହୋଇଛନ୍ତି ପାରାଦୀପ ବିଧାୟକ ଦାମୋଦର ରାଉତ ଓ ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି । ଦାମଙ୍କ ସମର୍ଥକଙ୍କୁ ପ୍ରଶାସନ ଅନୁମତି ଦେଇନଥିବାବେଳେ, ଏଥିପାଇଁ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଦାମ । ସେପଟେ ପ୍ରଶାନ୍ତ ମୁଦୁଲି ରାବଣପୋଡି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାରୁ ସଜାଗ ରହିଛି ପ୍ରଶାସନ ।

‘ରାବଣ’କୁ ନେଇ ଲଢେଇ । ଦାମ-ପ୍ରଶାନ୍ତ ମୁହାଁମୁହିଁ । ପାରାଦୀପ ବିଧାୟକ ଦାମୋଦର ରାଉତଙ୍କ ସମର୍ଥନରେ ଏରସମା ବଜାର ବନ୍ଦ । ଜଗତସିଂହପୁର ଜିଲ୍ଲା ଏରସମାରେ ରାବଣପୋଡି ଉତ୍ସବକୁ ନେଇ ପାରାଦୀପ ବିଧାୟକ ଦାମୋଦର ରାଉତ ଓ ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ମଧ୍ୟରେ ବିବାଦ କିଛି ଏହିଭଳି ଢଙ୍ଗରେ ପ୍ରତିଫଳିତ ହୋଇଛି । ଦାମୋଦର ରାଉତଙ୍କୁ ସମର୍ଥନ କରୁଥିବା ଏରାସମାର ଶହେଘର କମିଟି ପକ୍ଷରୁ ବଜାର ବନ୍ଦ ପାଳନ କରାଯିବା ସହ ରାବଣପୋଡି କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବନ୍ଦ କରିଦେବା ଲାଗି ପ୍ରଶାସନ ପାଖରେ ଦାବି କରାଯାଇଛି ।

ଏରସମା ଆଂଚଳିକ ଯୁବ ପରିଷଦ ପଡିଆରେ ଗତ ୨୫ ବର୍ଷ ହେଲା ଦାମୋଦର ରାଉତଙ୍କ ସମର୍ଥକମାନେ ରାବଣପୋଡି ଉତ୍ସବ ପାଳନ କରିଆସୁଛନ୍ତି । ଗତ ୧୫ ତାରିଖରେ ଏହି ପଡିଆରେ ସ୍ୱାଭିମାନ ସମାବେଶ ଆୟୋଜନ କରିଥିଲେ ଦାମୋଦର ରାଉତ । ସେହି ମଂଚରେ ରାବଣପୋଡି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର କରି ମଂଚ ଖୋଲାଯାଇନଥିଲା । ହେଲେ ଏଥିପାଇଁ ପ୍ରଶାସନଠାରୁ ଅନୁମତି ନେଇନଥିବା କହି ମଂଚ ଖୋଲିଦିଆଯାଇଥିବା ଅଭିଯୋଗ କରିଛନ୍ତି ଦାମଙ୍କ ସମର୍ଥକ । ସେପଟେ ସମାନ ପଡିଆରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସମର୍ଥକମାନେ ଏରସମା ସାର୍ବଜନିନ ଦୁର୍ଗାପୂଜା କମିଟି ନାଁରେ ରାବଣପୋଡି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରଶାସନ ଅନୁମତି ଦେଇଛି । ଯାହାକୁ ନେଇ ବିଧାୟକଙ୍କ ଉପରେ ବର୍ଷିଛନ୍ତି ଦାମ ।

ଜଗତସିଂହପୁରରେ ରାବଣପୋଡି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମରେ ସଚିବାଳୟ ତୃତୀୟ ମହଲାର ସଂପୃକ୍ତି ଅଭିଯୋଗ କରିଛନ୍ତି ଦାମ । ସରକାରଙ୍କ ଇସାରାରେ ସ୍ଥାନୀୟ ବିଧାୟକ ଓ ପ୍ରଶାସନ ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଥିବା କହିଛନ୍ତି । ସେପଟେ ଆଜି ରାତିରେ ସ୍ଥାନୀୟ ବିଧାୟକ ରାବଣପୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଯାହାକୁ ନେଇ ଉଭୟ ପକ୍ଷର ସମର୍ଥକମାନେ ଝକାପଂଝା ସ୍ଥିତିରେ ଅଛନ୍ତି । ତେଣୁ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ଲାଗି ପ୍ରଶାସନ ମଧ୍ୟ ସଜାଗ ରହିଛି ।

ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ବିଜେଡିରୁ ବିତାଡିତା କରିବା ପଛରେ ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ପ୍ରମୁଖ ଭୂମିକା ରହିଥିଲା । ତାଙ୍କରି ନେତୃତ୍ୱରେ ଜଗତସିଂହପୁର ଜିଲ୍ଲା ବିଜେଡି କର୍ମୀ ଓ ନେତା ପାର୍ଟି ସୁପ୍ରିମୋଙ୍କ ପାଖରେ ଫେରାଦ ହୋଇଥିଲେ । ତେଣୁ ଦାମ ବାବୁ ଓ ପ୍ରଶାନ୍ତ ମୁଦୁଲିଙ୍କ ଭିତରେ ଅହୀନକୂଳ ସଂପର୍କ । ଆଉ ରାଜନୀତିର ଏହି ଚରମ ଶତ୍ରୁତା ଏବେ ନିର୍ବାଚନୀ  କ୍ଷେତ୍ରରେ ଦେଖିବାକୁ ମିଳିଛି ।