ରତ୍ନ ଭଣ୍ଡାର ଚାବି ଖୋଜିବା ଆରମ୍ଭ କଲେ କମିଶନ । ଆସନ୍ତା ୭ରେ ପକ୍ଷ ରଖିବେ ସତ୍ୟପାଠ ଦେଇଥିବା ବ୍ୟକ୍ତି

41

କନକ ବ୍ୟୁରୋ: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଶୁଣାଣି କରିଛନ୍ତି ବିଚାରପତି ରଘୁବୀର ଦାସ୍ । ପୁରୀ ସର୍କିଟ ହାଉସରେ ଏନେଇ ଶୁଣାଣି କରିଛନ୍ତି ଜଷ୍ଟିସ୍ ରଘୁବୀର ଦାସ । ତେବେ ଆଜି ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରଖିଥିବା ପକ୍ଷରେ ସନ୍ତୋଷ ପ୍ରକାଶ କରିନଥିବା ଜଣାଇଛନ୍ତି କମିଶନ ଅଧ୍ୟକ୍ଷ ଜଷ୍ଟିସ ଦାସ, ତେଣୁ ଆସନ୍ତା ୭ରେ ଏହାର ପରବର୍ତି ଶୁଣାଣି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତଦନ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ରଘୁବୀର ଦାସ ।

ଜଗନ୍ନାଥ ସଂସ୍କୃତି ଓ କୋଟିକୋଟି ଓଡିଆବାସୀଙ୍କ ଭାବାବେଗ ସହିତ ଜଡିତ ଥିବା ଏହି ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୂର୍ବରୁ ଦାଖଲ ହୋଇଥିବା ସତ୍ୟପାଠ ତଥ୍ୟଭିତିକ ନୁହେଁ ବୋଲି ଜଣାଇଛନ୍ତି କମିଶନ । ତେଣୁ ପୁର୍ନବାର ସତ୍ୟପାଠ ଦାଖଲ ପାଇଁ ମନ୍ଦିର ପ୍ରଶାସନ , ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ଚାବି ପ୍ରକୃତରେ ହଜିଛି, ନା କାହାପାଖରେ ରହିଛି, ଯଦି ହଜିଛି ତେବେ କେଉଁ ପରିସ୍ଥିତିରେ ଚାବି ହଜିଛି ଏସବୁ ଦିଗ ଉପରେ ପକ୍ଷକୁ ଦୃଷ୍ଟିରେ ରଖି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ଜଷ୍ଟିସ ଦାଶ । ସୂଚନାଯୋଗ୍ୟ କି, ଗତ କିଛି ମାସ ତଳେ ରତ୍ନ ଭଣ୍ଡାର ଯାଂଚ ସମୟରେ ମନ୍ଦିରର ଭିତର ଭଣ୍ଡାର ଦ୍ୱାରରେ ୩ଟି ତାଲା ଦେଖିଥିଲେ ଯାଂଚକାରୀ । ସେହି ୩ଟି ରୁ ଗୋଟିଏରେ ଜଉମୁଦ ଦିଆଯାଇଥିବା ଦେଖିବାକୁ ମିଳିଥିଲା ଆହୁରି ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ଚାବି ସେ ତାଲାର ନଥିବା କଥା ଜଣାପଡିଥିଲା । ପରେ ଜିଲ୍ଲା ପ୍ରଶାସନକୁ ରତ୍ନ ଭଣ୍ଡାରର ଡୁପ୍ଲିକେଟ ଚାବି ମିଳିବା ପରେ ଅନେକ ବିବାଦ ଦେଖାଯାଇଥିଲା । ଯାହାକୁ ନେଇ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ଜଷ୍ଟିସ ରଘୁବୀର ଦାରସଙ୍କୁ ତଦନ୍ତ କମିଶନର ଦାୟି୍ତ୍ୱ ଭାର ଦେଇଥିଲେ ମୁଖ୍ୟମନ୍ତ୍ରୀ । ରଥଯାତ୍ରା ଶେଷ ହେବାପରେ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନଙ୍କୁ ଉପଯୁକ୍ତ ସମୟ ମିଳିବ, ଏବଂ ସେମାନେ ନିଜର ପକ୍ଷ ମଧ୍ୟ ସଠିକଭାବେ ରଖି ପାରିବେ ।

ତେବେ ଆଜି କମିଶନର ଅଧ୍ୟକ୍ଷ ଜଷ୍ଟିସ ରଘୁବୀର ଦାସ ପୁରୀରେ ପହଁଚି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସର୍କିଟ ହାଉସ୍ ଯାଇ ଶୁଣାଣି କରିଥିଲେ । ଚାବି ହଜିବା ପ୍ରସଙ୍ଗରେ ବିଚାରପତି ସ୍ତରୀୟ ତଦନ୍ତ କମିଶନର ଦାୟିତ୍ୱ ନେବା ପରେ ଏହା ରଘୁବୀରଙ୍କର ପ୍ରଥମ ପୁରୀ ଗସ୍ଥ । ଶ୍ରୀମନ୍ଦିର ଭିତର ଭଣ୍ଡାରର ଚାବି ହଜିବା ଓ ପରେ ମିଳିବା ନେଇ ବହୁବାଦ ବିବାଦ ପରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ୩ମାସ ଭିତରେ ରିପୋର୍ଟ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ତେବେ ଆସନ୍ତା ୭ ତାରିଖରେ କଟକରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣିରେ ପୁଣିଥରେ ତଥ୍ୟ ଭିତ୍ତିକ ପକ୍ଷ ଉପସ୍ଥାପନ କରିବେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ।