ପୂର୍ବରୁ ୩ ଗୋଟି ରଥ ପରିବର୍ତ୍ତେ ୬ଗୋଟି ରଥରେ ହେଉଥିଲା ରଥଯାତ୍ରା : ଅସୁବିଧା ସୃଷ୍ଟି କରୁଥିଲା ମାଳିନୀ ନଦୀ

113

ଆଉ ଅଳ୍ପ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏବେଠାରୁ ପବିତ୍ର ଧାମ ପୁରୀରେ ଜନଗହଳି ଦେଖିବା ପାଇଁ ମିଳୁଛି । ଦେଶ ବିଦେଶରୁ ଭକ୍ତମାନେ ଏବେ ଠାରୁ ଗହଳି ଆରମ୍ଭ କରିଦେଲେଣି । ରଥରେ ମହାପ୍ରଭୁଙ୍କୁ ଦେଖି ମୋକ୍ଷପ୍ରାପ୍ତି ପାଇଁ ଦେଶର କୋଣ ଅନୁକୋଣରୁ ପୁରୀକୁ ଅନେକ ଭକ୍ତ ଧାଇଁ ଆସନ୍ତି । ରଥଯାତ୍ରାରେ ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ କାହିଁ କେତେ ଦୂରରୁ ଭକ୍ତମାନେ ଆସୁଛନ୍ତି । ରଥଯାତ୍ରାରେ ତିନି ଠାକୁରଙ୍କ ପାଇଁ ତିଆରି ହୋଇଥାଏ ତିନି ରଥ । ତେବେ ଆପଣ ଜାଣନ୍ତି କି ଆଗରୁ ତିନି ରଥ ବଦଳରେ ୬ଟି ରଥ ତିଆରି ହେଉଥିଲେ ।

ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରେ ତିଆରି ହେଉଥିଲା ୬ଟି ରଥ । ରଥଯାତ୍ରା ପାଇଁ ବାଙ୍କି ମୁହାଣରେ ଇନ୍ଦ୍ରଦ୍ୟୁମ୍ନରାଜା ପ୍ରଥମେ ସମୁଦ୍ରରୁ ଦାରୁ ସଂଗ୍ରହ କରିଥିଲେ । ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପ୍ରତିମା ନିର୍ମାଣ କରାଉଥିଲେ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିର ନିର୍ମାଣ କରାଇ ତିନିଠାକୁରଙ୍କୁ ସିଂହାସନରେ ବସାଇ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ସେତେବେଳ ପୁରୀ ସହରକୁ ତିନୋଟି ଛୋଟ ଛୋଟ ନଦୀ ଘେରି ରହିଥିଲେ । ସେଥିରୁ ମାଳିନୀ ନାମକ ନଦୀଟି ବାଙ୍କି ମୁହାଣଠାରେ ସମୁଦ୍ରରେ ମିଶିଥିଲା । ତେଣୁ ମାଳିନୀ ନଦୀଦ୍ୱାରା ବଡ଼ଦାଣ୍ଡ ଦୁଇଭାଗରେ ବିଭକ୍ତ ହୋଇଥିଲା । ଫଳରେ ଗୁଣ୍ଡିଚା ମନ୍ଦିରକୁ ଶ୍ରୀମନ୍ଦିର ସହିତ ସିଧା ସଂଯୋଗ ହୋଇ ପାରୁନଥିଲା ।

ଇନ୍ଦ୍ରଦ୍ୟୁମ୍ନ ରାଜା ପ୍ରଥମେ ତିନୋଟି ରଥ ନିର୍ମାଣ କରି ଠାକୁରମାନଙ୍କୁ ନେଇ ମାଳିନୀ ନଦୀକୂଳକୁ ନେଲେ । ନଦୀରେ ତିନୋଟି ବଡ଼ ଡଙ୍ଗାରେ ପ୍ରତିମାମାନଙ୍କୁ ପାରିକରି ଶ୍ରୀମନ୍ଦିର ପାର୍ଶ୍ୱକୁ ନେଲେ । ଏପଟେ ନଦୀକୂଳରୁ ଆଉ ତିନୋଟି ରଥ ନିର୍ମାଣ କରି ଶ୍ରୀମନ୍ଦିରକୁ ନେଇ ପ୍ରତିଷ୍ଠା କରିଥିଲେ । ଏହିପରି ଭାବେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରେ ୬ଟି ରଥରେ ହେଉଥିଲେ ରଥଯାତ୍ରା । ଏହାଥିଲା ଠାକୁରଙ୍କ ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ପ୍ରଥମ ରଥଯାତ୍ରା । ଇନ୍ଦ୍ରଦ୍ୟୁମ୍ନଙ୍କ ଶାସନ କାଳରୁ ଆଜିଯାଏ ସେହିପରି ରଥଯାତ୍ରା ଚଳିଆସୁଅଛି ।

ସେତେବେଳେ ଆଜିଭଳି ରାସ୍ତାଘାଟର ସୁବିଧା ନଥିଲା । ତେଣୁ ବାଲି ମାଟିରେ ରଥ ଟାଣିବା ବହୁତ କଷ୍ଟ ହେଉଥିଲା । ରାଜା ଅଶ୍ୱ, ଗଜ ଓ କଳାବେଠିଆମାନଙ୍କୁ ଲଗାଇ ରଥ ଟାଣୁଥିଲେ । ଛଅଟି ରଥ ତିଆରି କରି ରଥଯାତ୍ରା କରିବା ବହୁତ କଷ୍ଟସାଧ୍ୟ ହେଉଥିଲା । ଏଥିପାଇଁ ନବଦିନାତ୍ମକ ଯାତ୍ରା ଗୋଟିଏ ମାସରୁ ଉର୍ଦ୍ଧ୍ୱ ସମୟ ଲାଗୁଥିଲା । ଏହିପରି ଅସୁବିଧାକୁ ଦେଖି ମହାରାଣୀ ଶ୍ରଦ୍ଧାଦେବୀଙ୍କ ଏକ ଉଦ୍ଭଟ ଚିନ୍ତା ଆସିଲା । ସେ ଗଜପତି ମହାରାଜାଙ୍କୁ କହିଲେ ରଥଯାତ୍ରା କରିବାକୁ ଏତେ ଅସୁବିଧା ହେଉଛି । ତେଣୁ ଯଦି ଆମେ ମାଳିନୀ ନଦୀକୁ ପୋତି ଦିଅନ୍ତି, ତେବେ ତିନୋଟି ରଥ ସିଧା ଗୁଣ୍ଡିଚା ମନ୍ଦିରକୁ ଯାଇ ପାରନ୍ତା । ଭାନୁଦେବ ଏକଥା ଶୁଣି ହସିକରି କହିଲେ, ତୁମର ମୁଣ୍ଡ ଖରାପ ହେଲାଣି ନା କ’ଣ ? ନଦୀ ପୋତିବା କ’ଣ ଏତେ ସହଜ ? ରାଣୀ କହିଲେ ଭଣ୍ଡାରରୁ ମୋତେ କିଛି ଅର୍ଥ ଦିଅନ୍ତୁ ମୁଁ ଯାଇ ବାଲି ପକାଇ ନଦୀ ପୋତା କାର୍ଯ୍ୟ ଆରମ୍ଭ କରିବି ।

ତଥାପି ରାଜା ମହାରାଣୀଙ୍କ କଥାକୁ ବିଶ୍ୱାସ କରିପାରିଲେ ନାହିଁ । ଶେଷରେ ରାଣୀ କହିଲେ ଆମେ ପୋତିବା କାର୍ଯ୍ୟ ଆରମ୍ଭ କରିଦେଲେ ଆମର ପରପିଢ଼ି କେହି କେବେ ତ ଏ କାର୍ୟ୍ୟ ସଂପାଦନ କରିପାରିବେ । ତେଣୁ ଏହି କାର୍ଯ୍ୟ ଟି କରିବା ଦାୟିତ୍ୱ ମୋତେ ଦିଅନ୍ତୁ । ଶେଷରେ ରାଣୀଙ୍କ କଥାରେ ଗଜପତି ସମ୍ମତ ହୋଇ ବାଲି ପକାଇ ନଦୀ ପୋତା କାର୍ୟ୍ୟ ଆରମ୍ଭ କରିଦେଲେ । ଭଗବାନଙ୍କର ଏ ଥିଲା ଏକ ବିଚିତ୍ର ଲୀଳା । ଚାହୁଁ ଚାହୁଁ ସେହି ବର୍ଷ ରଥଯାତ୍ରା ପୂର୍ବରୁ ମାଳିନୀ ନଦୀଟି ବାଲିରେ ପୋତି ହୋଇଗଲା । ଫଳରେ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରଯାଏ ଗୋଟିଏ ବଡ଼ଦାଣ୍ଡ ହୋଇପାରିଲା । ଛଅଟି ରଥ ପରିବର୍ତ୍ତେ ତିନୋଟି ରଥରେ ଠାକୁରଙ୍କର ଘୋଷଯାତ୍ରା ହୋଇପାରିଲା ।