ରସଗୋଲା ଯୁଦ୍ଧ: ସରେଣ୍ଡର କଲେ ସରକାର

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଯୁଦ୍ଧ କରିବା ଆଗର ହାର ମାନିଛନ୍ତି ରାଜ୍ୟ ସରକାର । ରସଗୋଲା ପ୍ରସଙ୍ଗରେ ପଶ୍ଚିମ ବଙ୍ଗ ସହ ଲଢେଇ କରୁଛି ଓଡିଶା । କିନ୍ତୁ ସଂସ୍କୃତି ମନ୍ତ୍ରୀ ଆଜି ବିଧାନସଭାରେ ଦେଇଥିବା ଉତର ସମସ୍ତଙ୍କୁ ନିରାଶ କରିଦେଇଛି । ମନ୍ତ୍ରୀ କହିଛନ୍ତି, ଓଡିଶାରେ ରସଗୋଲାର ଉତ୍ପତିର ଆରମ୍ଭ ନେଇ ସରକାରଙ୍କ ନିକଟରେ କୌଣସି ତଥ୍ୟନାହିଁ । କିମ୍ବା ଏଦିଗରେ ସରକାର ଅନୁସନ୍ଧାନ ବି କରିନାହାନ୍ତି ।

ରସଗୋଲାର ଉତ୍ପତିକୁ ନେଇ ଓ ଜିଆଇ ଟ୍ୟାଗ ହାସଲ କରିବାକୁ ପଶ୍ଚିମବଙ୍ଗ ଏବଂ ଓଡିଶା ମଧ୍ୟରେ ଚାଲିଛି ଯୁଦ୍ଧ। ରେସରେ ପଛରେ ପଡିବା ପରେ ଅଂଟା ଭିଡିଥିଲେ ରାଜ୍ୟ ସରକାର । ଏପରିକି ତିନି ଜଣିଆ କମିଟି ଗଠନ କରି ତଥ୍ୟ ସଂଗ୍ରହ କରିବାକୁ ଉଦ୍ୟମ କରାଗଲା । ହେଲେ ଏହି କମିଟି ମୁଳରେ ପହଂଚିବାରେ ବିଫଳ ହେଲା ।
ଗୁରୁତ୍ୱପୁର୍ଣ୍ଣ କଥା ହେଉଛି, ରସଗୋଲାର ଉତ୍ପତି ବାବଦରେ ତଥ୍ୟ ସଂଗ୍ରହ ପାଇଁ ୩ଟି କମିଟି ଗଠିତ ହୋଇଥିଲା।ରାଜ୍ୟ ବିଜ୍ଞାନ ଓ କାରିଗରୀ ବିଭାଗ ଦ୍ୱାରା ଗଠିତ କମିଟିରେ ଥିଲେ ଏମ୍ଏସ୍ଏମ୍ଇ ଓ ସଂସ୍କୃତି ବିଭାଗର ଅଧିକାରୀ । ହେଲେ ଏବେ କିନ୍ତୁ ସଂସ୍କୃତି ମନ୍ତ୍ରୀଙ୍କ ଉତର ପୁରା ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

– ଯଦି ସଂସ୍କୃତି ବିଭାଗର ଅଧିକାରୀ କମିଟିର ସଦସ୍ୟ ଥିଲେ, ତେବେ ବିଭାଗୀୟ ମନ୍ତ୍ରୀ ଜାଣିଲେନି କିଭଳି?
– ରସଗୋଲାକୁ ନେଇ ହଟଚମଟ ଲାଗିଥିବା ବେଳେ କାହିିଁକି ନୀରବ ସଂସ୍କୃତି ବିଭାଗ?
– ଜିଆଇ ଟ୍ୟାଗ ହାସଲ ନେଇ ପଶ୍ଚିମବଙ୍ଗ ଆଗେଇ ଯାଇଥିବା ବେଳେ ଓଡିଶା ସରକାର ହାତ ଟେକିଦେଇଛନ୍ତି କି?

ରସଗୋଲା ଉପରେ ନିଜ ହକ୍ ଜାରି କରିବାକୁ ଗତ କିଛି ମାସ ଧରି ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି । ଗୋଟିଏ ପରେ ପଡୋଶୀ ରାଜ୍ୟ ରସଗୋଲାକୁ ନେଇ ଜିଆଇ ଟ୍ୟାଗ ହାସଲ କରିବାକୁ ସରକାରୀ ସ୍ତରରେ ସମସ୍ତ କାର୍ଯ୍ୟ ସାରିଛନ୍ତି । ଅପରପକ୍ଷରେ ରାଜ୍ୟ ସରକାର ଲଢିବା ପୂର୍ବରୁ ଯୁଦ୍ଧ ହାରିଯାଇଛନ୍ତି ।