ଓଡ଼ିଶାରେ ରାମନାଥ କୋବିନ୍ଦ ! ବିମାନବନ୍ଦରରେ ସ୍ୱାଗତ କଲେ ବିଜେଡି ଓ ବିଜେପି ନେତା

21

କନକ ବ୍ୟୁରୋ : ଓଡିଶାରେ ପହଂଚିଛନ୍ତି ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ । ବିମାନବନ୍ଦରରେ ତାଙ୍କୁ ଉଭୟ ବିଜେଡି ଓ ବିଜେପି ନେତା ସ୍ୱାଗତ କରିଛନ୍ତି । ଉଭୟ ବିଜେଡି ଓ ବିଜେପି କୋବିନ୍ଦଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରୁଥିବା ବେଳେ ସେମାନଙ୍କୁ କୋବିନ୍ଦ ପୃଥକ୍ ପୃଥକ୍ ଭାବେ ଭେଟିବାର କାର୍ଯ୍ୟକ୍ରମ ରହିଛି । କୋବିନ୍ଦ ବିମାନ ବନ୍ଦରରୁ ବାହାରି ରାଜ୍ୟ ଅତିଥି ଭବନରେ ପହଂଚିଛନ୍ତି ।

ଅତିଥି ଭବନରୁ ବାହାରି ବିଧାନସଭା ସମ୍ମିଳନୀ କକ୍ଷ ଯିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ।ବିଧାନସଭା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡିର ସମସ୍ତ ବିଧାୟକ ଓ ସାଂସଦମାନଙ୍କୁ ଭେଟିବେ ଓ ଭୋଟ୍ ସଂପର୍କରେ ଆଲୋଚନା କରିବେ । ବିଧାନସଭାରୁ ଦିନ ଗୋଟାଏ ୧୦ରେ ବାହାରିବେ କୋବିନ୍ଦ । ସେଠାରୁ ସେ ସିଧାସଳଖ ଯିବେ ନବୀନ ନିବାସ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସହ ନବୀନ ନିବାସରେ ରାମନାଥ କୋବିନ୍ଦ ମଧ୍ୟାହ୍ନ ଭୋଜନ କରିବା କାର୍ଯ୍ୟକ୍ରମ ରହିଛିା ନବୀନ ନିବାସରେ ଦିନ ୧ଟା ୨୦ରୁ ୨ଟା ପର୍ଯ୍ୟନ୍ତ ରହିବେ କୋବିନ୍ଦ । ଏହି ସମୟ ମଧ୍ୟରେ ତାଙ୍କର ଭୋଜନ ଓ ଆଲୋଚନା ପର୍ବ ଶେଷ ହେବ । ଏହା ପରେ ରାଜ୍ୟ ସଂଗ୍ରହାଳୟ ଛକରେ ଥିବା ସ୍ୱାଧୀନତା ସଂଗ୍ରାମୀ ଓ ପାଇକ ବିଦ୍ରୋହର ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବେ କୋବିନ୍ଦ ।

ସେଠାରୁ ଫେରି ରାଜଭବନ ଛକରେ ଥିବା ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ବାସଭବନକୁ ଯିବେ ଓ ବିଜେପିର ବିଧାୟକ ଓ ସାଂସଦମାନଙ୍କ ସହ ଆଲୋଚନା କରିବେ । ଅପରାହ୍ଣ ୪ଟାରେ କନକ ବର୍ଦ୍ଧନ ସିଂହଦେଓଙ୍କ ବାସଭବନରୁ ଫେରିବେ କୋବିନ୍ଦ । ଏହା ପରେ ତାଙ୍କର ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି ।