ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ପବିତ୍ର ରାମନବମୀ ନୀତି : ଗୁପ୍ତନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ଶ୍ରୀମନ୍ଦିରରେ ପବିତ୍ର ରାମ ନବମୀ ନୀତି ଅନୁଷ୍ଠିତ ହେବ

131
କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ପବିତ୍ର ରାମ ନବମୀ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ତେବେ ଶ୍ରୀମନ୍ଦିରରେ ରାମଜନ୍ମ ପାଇଁ ଗର୍ଭୋଦକ(ଭୋଗ) ଅନୁଷ୍ଠିତ ହୋଇଛି। ରାମଜନ୍ମ ନୀତି ପାଇଁ ଆଜି  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ମଧ୍ୟାହ୍ନ ଧୂପ ପରେ ଅର୍ଥାତ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ। ରାମଜନ୍ମ ନୀତି ବା ରାମ ନବମୀଠାରୁ ପୁରୀର ପାରମ୍ପରିକ ସାହିଯାତ ଆରମ୍ଭ ହେବ। ଏହି ଯାତରେ ରାମଙ୍କ ଜନ୍ମଠାରୁ ଲବ କୁଶ ଜନ୍ମ ପର୍ଯ୍ୟନ୍ତ ଲୀଳାକୁ ପାରମ୍ପରିକ ଢଙ୍ଗରେ ପରିବେଷଣ କରାଯିବ। ମୁଖାଧାରୀ କଳାକାରମାନେ ବିଭିନ୍ନ ସାହି ବୁଲିବେ।
ଜଗନ୍ନାଥ ବଲ୍ଲଭ ପରିସରରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମାଙ୍କ ଉପସ୍ଥିତିରେ ବିଭିନ୍ନ ନୀତି ଅନୁଷ୍ଠିତ ହେବ। ସାହିଯାତ ପାଇଁ ଗଠିତ କମିଟି ଓ ପ୍ରଶାସନର ମିଳିତ ସହଯୋଗରେ ଏହାକୁ ସଫଳ କରିବାକୁ ପ୍ରସ୍ତୁତି ଶେଷ ହୋଇଛି। ସେପଟେ ପବିତ୍ର ରାମ ନବମୀଠାରୁ କଟକ ଖପୁରିଆସ୍ଥିତ ସରକାରୀ କରତକଳରେ ରଥକାଠ ଚିରଟ ଅନୁକୂଳ ହେବ। ଏଥିପାଇଁ ଶ୍ରୀମନ୍ଦିରରୁ ମାଳ-ମାହାର୍ଦ୍ଦ ଓ ପତନୀ ଯିବ। ଗଠିତ ସ୍ବତନ୍ତ୍ର କମିଟି ମାଳ-ମାହାର୍ଦ୍ଦ(ଆଜ୍ଞାମାଳ) ନେଇ କଟକ ବାହାରିବେ। ସେଠାରେ ପୂର୍ବରୁ ଚିରଟ ପାଇଁ ରଥକାଠ ପହଞ୍ଚି ସାରିଥିବା ଜଣାପଡିଛି।