ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡିର ୩ ରାଜ୍ୟସଭା ପ୍ରାର୍ଥୀ

41

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡିର ୩ ରାଜ୍ୟସଭା ପ୍ରାର୍ଥୀ । ବିଧାନସଭା ରିଟର୍ଣ୍ଣି ଅଫିସରଙ୍କ ନିକଟରେ ଦିନ ଗୋଟାଏବେଳେ ଏହି ନେତାମାନେ ନିଜନିଜ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି । ଏନ. ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଷ୍ଣୁ ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁପିନ୍ଦର ସିଂ, ବୈଷ୍ଣବ ପରିଡା ଓ ପ୍ୟାରୀମୋହନ ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କ ସ୍ଥାନରେ ଏହି ତିନି ନେତାଙ୍କୁ ରାଜ୍ୟ ସଭା ପଠାଇବା ପାଇଁ ନବୀନ ନିଷ୍ପତି ନେଇଛନ୍ତି । ୨୦୦୯ ମସିହା ପରଠାରୁ ରାଜ୍ୟ ସଭା ନିର୍ବାଚନ ଆସିଲେ ବେଶ ଚର୍ଚ୍ଚାକୁ ଆସୁଥିଲା ଭାସ୍କର ରାଓଙ୍କ ନାଁ । ଯୋଜନା କମିଶନ ଉପାଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବି ମିଳିଥିଲା ଭାସ୍କର ରାଓଙ୍କୁ । ତଥାପି କୋରାପୁଟ ଓ ରାୟଗଡାରେ କ୍ଷମତା ରାଜନୀତିରେ ବେଶ ଚର୍ଚ୍ଚାରେ ଥିଲେ ଭାସ୍କର ରାଓ ।

ପ୍ରସନ୍ନ ଆଚାର୍ଯ୍ୟ ବିଜେଡିର ଚଣେ ପୁରୁଖା ନେତା । ଦୁଇ ଦୁଇଥରର ସାଂସଦ ହେବା ସହ ଅର୍ଥ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସେ ସମ୍ଭାଳିଛନ୍ତି । ୨୦୧୪ରେ କିନ୍ତୁ ବିଜେପୁର ଆସନରୁ ପରାଜିତ ହୋଇଥିଲେ ପ୍ରସନ୍ନ । ପାଂଚ ଥରର ବିଧାୟକ ହେବା ସହ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ରହିଥିଲେ ବିଷ୍ଣୁ ଦାସ । ହେଲେ ସବୁ ବେଳେ ବିବାଦ ଘେରରେ ରହି ଆସୁଥିବା ବିଷ୍ଣୁ କିନ୍ତୁ ୨୦୧୪ ନିର୍ବାଚନରେ ପରାଜୟ ସ୍ୱୀକାର କଲେ । ତଥାପି ନବୀନଙ୍କ ଗୁଡବୁକରେ ଥିିଲେ ବିଷ୍ଣୁ ଦାସ । ତାଙ୍କୁ ମିଳିଥିଲା ଜଗତସିଂହପୁର ଜିଲ୍ଲା ସଭାପତି ଦାୟିତ୍ୱ । ସଂଖ୍ୟା ଦୃଷ୍ଟିରୁ ବିଜେଡି ଏହି ୩ ଆସନ ହାତେଇବା ସମ୍ଭବ ଥିବାରୁ ନିର୍ବାଚନ ସମ୍ଭାବନା କମ୍ ।