ସମ୍ବଲପୁର ଦେଇ ଗଡିଲା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ! ଭିଡିଓ କନଫେନରସିଂ ଜରିଆରେ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଓ ଧର୍ମେନ୍ଦ୍ର ପ୍ରଧାନ

66

କନକ ବ୍ୟୁରୋ : ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଏଣିକି ସମ୍ବଲପୁର ଦେଇ ଯିବ । ଆଜି ଦିଲ୍ଲୀର ରେଳୱେ ବୋର୍ଡ ଅଫିସରୁ ଭିଡିଓ କନଫେରେସିଂ ଜରିଆରେ ପତାକା ଦେଖାଇ ଆରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଓ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଏଥର ପ୍ରତି ଶନିବାର ଅନୁଗୁଳ, ସମ୍ବଲପୁର ସହର ସହିତ ଝାରୁସୁଗୁଡା ଓ ରାଉରକେଲା ଷ୍ଟେସନରେ ଅଟକିବ । ଏହି ଟ୍ରେନ ଭୁବନେଶ୍ୱର ରେଳ ଷ୍ଟେସନରୁ ସକାଳ ୭ଟା ୧୦ ମିନିଟରେ ଛାଡିବ । ସେହିଭଳି ଫେରିବାବେଳେ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ରାଉରକେଲା, ଝାରୁସୁଗୁଡା , ସମ୍ବଲପୁର ଓ ଅନୁଗୁଳ ଦେଇ ଫେରିବ ।

ତେବେ ଏପରି ହେବା ଦ୍ୱାରା ଉକ୍ତ ଅଂଚଳର ଲୋକେ ବେଶ ଉପକୃତ ହୋଇପାରିବେ । ଆଜିଠାରୁ ହିଁ ଲୋକେ ସମ୍ବଲପୁର-ଝାରସୁଗୁଡ଼ା-ରାଉରକେଲା ଦେଇ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଟ୍ରେନରେ ଯାତାୟାତ କରିପାରିବେ । ଏହାର ଉଦ୍ଘାଟନୀ ଯାତ୍ରାକୁ ନୂଆଦିଲ୍ଲୀରୁ ଭିଡିଓ କନଫେରେସିଂ ଜରିଆରେ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳବାଇ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା । ଏହି ଅବସରରେ ଭୁବନେଶ୍ୱର ରେଳଷ୍ଟେସନରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ, ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ କୁମାର ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ପୂର୍ବତଟ ରେଳ ପକ୍ଷରୁ କୁହାଯାଇଛି ।