ଟଳିଲା ବାତ୍ୟା ଆଶଙ୍କା ହେଲେ ଭିଜିବ ଓଡିଶା ! ୩୬ ଘଂଟାରେ ଡିପ୍ ଡିପ୍ରେସନର ରୂପ ନେବ ଲଘୁଚାପ
କନକ ବ୍ୟୁରୋ : ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାରେ ଲାଗିଛି । ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଏବଂ ଏହାର ଆଖପାଖରେ ଆଜି ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଗୋପାଳପୁରଠାରୁ ପ୍ରାୟ ୧୧୦୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆଗାମୀ ୩୬ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଭୀଷଣ ଅବପାତ ବା ଡିପ୍ ଡିପ୍ରେସନ୍ ରୂପ ନେବ। ଶୁକ୍ରବାର ବେଳକୁ ଏହା ଉତ୍ତର ଆନ୍ଧ୍ର ପ୍ରଦେଶ କିମ୍ବା ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବ । ସେତେବେଳକୁ ଏହା ଦୁର୍ବଳ ହୋଇସାରିଥିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏଥିରୁ ଭୀଷଣ ଅବପାତଟି ବାତ୍ୟା ରୂପ ନେବା ଆଶଙ୍କା ଆପାତତଃ ଟଳିଯାଇଛି । ତେବେ ପୂର୍ବାନୁମାନ ଅନୁଯାୟୀ ସମୁଦ୍ର ଅଶାନ୍ତ ହୋଇପଡ଼ିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତାକାଲି ରାତିରେ ଦକ୍ଷିଣ ଓଡ଼ିଶାର ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା ଆଦି ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ। ଶୁକ୍ରବାର ଦକ୍ଷିଣ ଜିଲ୍ଲାଗୁଡ଼ିକ ସହିତ ଉପକୂଳର ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ପୁରୀ, ଗଞ୍ଜାମ ଆଦି ଜିଲ୍ଲାଗୁଡ଼ିକରେ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷିବାର ସମ୍ଭାବନା ରହିଛି । ୯ ତାରିଖରେ ଉତ୍ତରର ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର ସହିତ ଉପକୂଳର କିଛି ସ୍ଥାନରେ ବର୍ଷା ହୋଇପାରେ । ୧୦ରେ ଉତ୍ତର ଏବଂ ୧୧, ୧୨ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, ସୋନପୁର, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ଉପକୂଳରେ ଘଣ୍ଟାକୁ ୪୦ରୁ ୬୦ କି.ମି. ପର୍ଯ୍ୟନ୍ତ ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିପାରେ । ଫଳରେ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଏହା ସହିତ ଗୋପାଳପୁର ଓ ପାରାଦୀପ ବନ୍ଦରରେ ୧ ନଂ ସତର୍କ ସଂକେତ ଜାରି କରାଯାଇଛି । ଆଜି ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮° ସେଲ୍ସିୟସ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀ, କେନ୍ଦୁଝରରେ ୯° ରହିଛି। ଉପକୂଳର ବାଲେଶ୍ୱରରେ ୧୨.୪°, ଭୁବନେଶ୍ୱରରେ ୧୨.୭°, କଟକରେ ୧୨.୮° ରହିଛି ।