କେମିତି ହେଲା ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ? ତଦନ୍ତ କରିବେ ଏନଆଇଏ ଓ ଏନଏସଜି ଟିମ୍

116

କନକ ବ୍ୟୁରୋ : କଶ୍ମୀରର ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ସିଆରପିଏଫ୍ ପକ୍ଷରୁ ସଦ୍ୟ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ୩୭ ଜଣ ଯବାନ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣରେ ୪୫ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩ଜଣ ଗୁରୁତର ଥିବା ବେଳେ ସେମାନଙ୍କୁ ଶ୍ରୀନଗରର ଆର୍ମି ବେସ ହସ୍ପିଟାଲରେ ଭର୍ତି କରାଯାଇଛି । ଏମିତି ଆକ୍ରମଣ ପୂର୍ବରୁ କେବେ ହୋଇନଥିଲା । ତେଣୁ ଏତେ ବଡ ଆକ୍ରମଣ କେମିତି ହେଲା ତଦନ୍ତ ପାଇଁ ଆଜି ଘଟଣାସ୍ଥଳକୁ ଯିବ ଏନଆଇଏର ୧୨ ଜଣିଆ ଟିମ୍ । ଏନଆଇଏ ସହ ଏନଏସଜି ଟିମ୍ ବି ପୁଲୱାମା ଯିବ । ସେପଟେ ଜମ୍ମୁ କାଶ୍ମୀରରେ ମୁତୟନ ସୁରକ୍ଷାକର୍ମୀଙ୍କର ଆଜି ଗୁରୁତ୍ୱପୂଣ୍ଣ ବୈଠକ ବସିବ । ଏଥିରେ ସିଆରପିଏଫର ଉଚ୍ଚ ପଦସ୍ଥ ଅଧିକାରୀ ସାମିଲ ହେବେ ।

ବିଶେଷ କରି ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ଅପରେସନ ନେଇ ବୈଠକରେ ସମୀକ୍ଷା ହେବ । ଏପଟେ ଆଜି ସକାଳ ୯ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ସୁରକ୍ଷା ସମିତି ବୈଠକ ବସିବ । ଏହାପରେ ଗୃହମନ୍ତ୍ରୀ ରାଜନାଥ ସିଂହ ଶ୍ରୀନଗର ଯିବେ । ଆତଙ୍କବାଦୀ ଆକ୍ରମଣ ପରେ ସିଆରପିଏଫ୍ ଡିଜିଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ । ଜମ୍ମ୍ୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ମଧ୍ୟ ଆଜି ଶ୍ରୀନଗର ଯିବେ । ସେପଟେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏନେଇ ଆଲୋଚନା କରିଛନ୍ତି । ଆତଙ୍କବାଦୀ ଆକ୍ରମଣ ପରେ ଦକ୍ଷିଣ କାଶ୍ମୀରରେ ମୋବାଇଲ୍ ଇଂଟରନେଟ୍ ସେବା ବନ୍ଦ ହୋଇଛି । ଶ୍ରୀନଗରରେ ମୋବାଇଲ ଡାଟାକୁ ୨ଜି ବେଗରେ ହ୍ରାସ କରାଯାଇଛି ।

ଏହି ଆକ୍ରମଣ ଘଟଣାକୁ ନିନ୍ଦା କରି ସମଗ୍ର ଦେଶ ଏକଜୁଟ୍ ହୋଇଛି । ସବୁ ରାଜନୈତିକ ଦଳ ସମସ୍ୱରରେ ନିନ୍ଦା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଜବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ କଡା ନିନ୍ଦା କରିବା ସହ ସେମାନଙ୍କ ବଳିଦାନ ଖାଲିଯିବ ନାହିଁ ବୋଲି କହିଛନ୍ତି । ବରିଷ୍ଠ ମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, ଜୈସ-ଇ-ମହମ୍ମଦକୁ ଏକ ଏଭଳି ଶିକ୍ଷା ଦିଆଯିବ ଯାହା ସେମାନେ କେବେ ବି ଭୁଲିପାରିବେ ନାହିଁ । ଏହା କାପୁରୁଷଙ୍କ କାମ ବୋଲି ଜେଟଲୀ କହିଛନ୍ତି । ସହିଦ ଜବାନମାନଙ୍କୁ ଆମେ ସାଲ୍ୟୁଟ କରୁଛୁ ଏବଂ ତାଙ୍କ ପରିବାରବର୍ଗଙ୍କ ସହ ଆମେ ଠିଆ ହୋଇଛୁ ବୋଲି ଜେଟଲୀ କହିଛନ୍ତି ।