ଦିଦିଙ୍କୁ ନେଇ ବିଜେପି-ବିଜେଡି କଳି ! ଭୋଟ ହାତେଇବା ପାଇଁ ଅଙ୍ଗନୱାଡି କର୍ମୀଙ୍କ ସଂଘ ଗଢିବାକୁ ଜୋରଦାର ଉଦ୍ୟମ

36

କନକ ବ୍ୟୁରୋ : ଅଙ୍ଗନୱାଡି ଦିଦିଙ୍କ ଆନ୍ଦୋଳନରେ ପଶିଲା ରାଜନୀତି । ଲକ୍ଷେ ୩୮ ହଜାର ଅଙ୍ଗନୱାଡି କର୍ମୀଙ୍କ ବଡ ଭୋଟ୍ ବ୍ୟାଙ୍କ ହାତେଇବାକୁ ରାଜନୈତିକ ଦଳ ମଧ୍ୟରେ ଟଣାଓଟରା । ଭୁବନେଶ୍ୱର ଲୋୟର ପିଏମଜିର ଧାରଣାସ୍ଥଳରେ କର୍ମୀଙ୍କ ଆନ୍ଦୋଳନରେ ଦେଖିବାକୁ ମିଳିଛି ବିଜେଡି ଓ ବିଜେପିର ଛାମୁଆ ସଂଗଠନର ବ୍ୟାନର । ଏପଟେ ରାଜ୍ୟର ୭୨ ହଜାର ଅଙ୍ଗନୱାଡି କେନ୍ଦ୍ର ଅଚଳ ହୋଇପଡିଛି । ଠପ୍ ହୋଇଯାଇଛି ସ୍ୱାସ୍ଥ୍ୟସେବା ।

ରାଜରାସ୍ତାରେ ୨୬ ଦିନ ହେଲା ଚାଲିଛି ଆନ୍ଦୋଳନ । ଦାବିକୁ ନେଇ ସମବେଦନା କମ୍, କିନ୍ତୁ ଦିଦିଙ୍କୁ ନେଇ ରାଜନୀତି ବେଶୀ । ଧାରଣାସ୍ଥଳରେ ଉଭା ହୋଇଛି ଦୁଇ ଦୁଇଟି ସଂଘ । ବିଜୁ ସାମ୍ମୁଖ୍ୟ ଓ ଭାରତୀୟ ମଜଦୁର ସଂଘ । ଅଙ୍ଗନଓାଡି କର୍ମୀଙ୍କ ଆନ୍ଦୋଳନରେ ସଂଘର ବ୍ୟାନର ରାଜନୈତିକ ଉଷ୍ମତା ଆଣିଛି । ପିଏମଜିରେ ପଲିଟିକ୍ସ ଜୋର ଧରିଛି । କାହା ପଟକୁ କେତେ ଦିଦି ଯାଉଛନ୍ତି, ତାକୁ ନେଇ ଟଣାଓଟରା ।

ପ୍ରଶ୍ନ ଉଠୁଛି ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନରେ ଏହି ଦୁଇ ସଂଘର କାମ କଣ । କୁହାଯାଉଛି, ଲକ୍ଷେ ୩୮ ହଜାର ଅଙ୍ଗନୱାଡି କର୍ମୀଙ୍କ ଭୋଟ ହାତେଇବାକୁ ଚାଲିଛି ରାଜନୀତି । ଭାରତୀୟ ମଜଦୁର ସଂଘ ବିଜେପିର ଛାମୁଆ ସଂଗଠନ ହୋଇଥିବା ବେଳେ ବିଜେଡିର ବିଜୁ ସାମ୍ମୁଖ୍ୟ । ଆଉ ଅଙ୍ଗନୱାଡି କର୍ମୀଙ୍କୁ ନିଜ ସପକ୍ଷକୁ ନେଇ ବଡ ଭୋଟ ବ୍ୟାଙ୍କ ହାତେଇବାକୁ ଉଦ୍ୟମ ଆରମ୍ଭ ହୋଇଛି ।

ଏହାରି ଭିତରେ ଆନ୍ଦୋଳନରୁ ଓହରିବାକୁ ଅଙ୍ଗନୱାଡି ଦିଦିଙ୍କୁ ଆହ୍ୱାନ ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ । ରାଜରାସ୍ତାରେ ଦିଦି ଆଉ ଏପଟେ ଅଙ୍ଗନୱାଡି କେନ୍ଦ୍ରରେ ପଡିଛି ତାଲା । ମାସେ ହେବାକୁ ବସିଲାଣି, ରାଜ୍ୟର ୭୨ ହଜାର କେନ୍ଦ୍ର ଅଚଳ । ଠପ୍ ହୋଇଯାଇଛି ଟୀକାକରଣ । ଶିଶୁଙ୍କ ଶିକ୍ଷାଦାନ ବି ବନ୍ଦ । ସଂଗୀନ ହୋଇପଡିଛି ଗର୍ଭବତୀ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟସେବା ।

ଦରମା ବୃଦ୍ଧି ସହ ୧୨ ଦଫା ଦାବିରେ ଅଡି ବସିଛନ୍ତି ଅଙ୍ଗନୱାଡି କର୍ମୀ । ମାସକୁ ଦରମା ୪ ହଜାର । ଟୀକାକରଣ ଓ ସ୍ୱାସ୍ଥ୍ୟ ସଚେତନତାଠାରୁ ଆରମ୍ଭ କରି ଶିଶୁଙ୍କୁ ଶିକ୍ଷାଦାନ ଓ ଶିଶୁ ମୃତ୍ୟୁହାର କମାଇବା ଦିଗରେ କାମ କରନ୍ତି । ହେଲେ ଏବେ ରାଜରାସ୍ତାରେ ହକ୍ ମାଗୁଛନ୍ତି ଅଙ୍ଗନୱାଡି କର୍ମୀ ।