ବିଜେଡିର ବିଜେପୁର ବୈଠକ ! ରୀତାଙ୍କୁ ନେଇ ନେତାଙ୍କ ଯନ୍ତ୍ରଣା

40

କନକ ବ୍ୟୁରୋ : ନବୀନଙ୍କୁ ଘାରିଛି ବିଜେପୁର ଚିନ୍ତା । ବାଜି ମାରିବାକୁ ୧୪ ଦିନରେ ଡଜନେରୁ ଅଧିକ ବୈଠକ । ସନ୍ତୁଷ୍ଟ ଓ ଅସନ୍ତୁଷ୍ଟଙ୍କୁ ଧରି ନବୀନଙ୍କ ମନ୍ତ୍ରଣା । ଉପକୁଳରୁ ପଶ୍ଚିମ ଯାଏଁ, ନେତାଙ୍କ ସୁଅ ଲାଗିଥିଲା । କୁହାଯାଉଛି, ରୀତାଙ୍କୁ ନେଇ ସବୁ ମହଲ ଖୁସି ନାହାନ୍ତି । ଖାସ କରି ସୁଶାନ୍ତ ସିଂ ଓ ସ୍ନେହାଙ୍ଗିନି ଛୁରିଆଙ୍କ ଭିତରେ ବିବାଦ କମିବା ବଦଳରେ ବଢୁଛି । ଯାହାକୁ ନେଇ ସୁପ୍ରିମୋ ଚିନ୍ତାରେ ।

prassana acharyaହେଲେ ଏହାରି ଭିତରେ ସମସ୍ତଙ୍କ ନଜର ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରେ । କାରଣ, ନିର୍ବାଚନରେ ହାରିବା ପରେ ହାଇକୋର୍ଟ ଯାଇଥିଲେ ପ୍ରସନ୍ନ । ପ୍ରସଙ୍ଗ ବିଚାରାଧୀନ, ତେଣୁ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରୁନି । ସୁଚନା ଅନୁସାରେ, କଟକ ଯାଇ ଆଇନଜୀବିଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସାଂସଦ । ଅନ୍ୟପଟେ ଉପ-ନିର୍ବାଚନ ନେଇ ବିଜେପୁରରେ ପାଗ ଉଷ୍ମ ହୋଇଛି । ଅଧା ପଡିଥିବା ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଉଠିଛି ଦାବି । ନଚେତ୍ ଭୋଟ୍ ବର୍ଜନ କରିବାକୁ ନାଲିଆଖି ।

ନିର୍ବାଚନ ଗୋଟିଏ ହେଲେ ପ୍ରଭାବ ଅନେକ । ଫଳ ଯାହା ଆସିବ ତାହା ଅନେକ ରାଜନୈତିକ ଦିଶା ନିର୍ଦ୍ଧାରଣ କରିବ । ବିଜେଡି ବାଜିମାରିଲେ ବିଜେପିର ଦାବି ଫୁସକି ଯିବ, ଆଉ ବିଜେପି ବାଜିମାରିଲେ ବାର୍ତା ଯିବ, ଓଡିଶା ବଡ ପରିବର୍ତ୍ତନ ପାଇଁ ମନ ବଳାଇଲାଣି । ତେଣୁ ସମସ୍ତ ପ୍ରକାର କୈାଶଳ ଆପଣାଇ ବିଜେପୁର ଦଖଲ କରିବାକୁ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ପ୍ରୟାସ ।