ସାମାଜିକ ନ୍ୟାୟ କ୍ଷେତ୍ରରେ ପ୍ରିୟଙ୍କାଙ୍କ ପ୍ରଶଂସନୀୟ ଅବଦାନ ! ‘ମଦର ଟେରେସା’ ସମ୍ମାନରେ ହେଲେ ସମ୍ମାନିତ ।

122

ଦେଶ ପାଇଁ ଗୌରବ ଆଣିଲେ ପୁଣି ଜଣେ ଭାରତୀୟ ମହିଳା । ବିଶ୍ୱସୁନ୍ଦରୀ ଟାଇଟଲ ହାସଲକରି ବଲିଉଡରେ ପାଦ ଥାପିଥିବା ଜଣେ ଅଭିନେତ୍ରୀ । ସେ ଆଉ କେହି ନୁହେଁ, ଜଣେ ବଲିଉଡର ଜଣେ ଆଗଧାଡିର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ବର୍ତ୍ତମାନ ପ୍ରିୟଙ୍କା ନାରୀମାନଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି । ହିନ୍ଦୀ ସିନେମା ଏବଂ ହଲିଉଡ ଜଗତରେ ଲୋକପ୍ରିୟତା ଅର୍ଜନ କରିଚାଲିଛନ୍ତି, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ନିକଟରେ ସେ ମର୍ଯ୍ୟାଦାଜନକ ‘ମଦର ଟେରେସା’ ସମ୍ମାନରେ ସମ୍ମାନିତ ହୋଇଛନ୍ତି, ପ୍ରିୟଙ୍କା ।

ସାମାଜିକ ନ୍ୟାୟ କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ଚଳିତ ବର୍ଷ ମଦର ଟେରେସା ମେମୋରିଆଲ ପୁରସ୍କାର ପ୍ରଦାନ କରାଯାଇଛି । ବିଶ୍ୱସୁନ୍ଦରୀ ପ୍ରିୟଙ୍କା ଏବେ ୟ୍ରୁନିସେଫର ଗୁଡୱିଲ ଆମ୍ବାସାଡାର (ସଦିଚ୍ଛା ରାଷ୍ଟ୍ରଦୂତ) ଅଛନ୍ତି । ଦେଶର ବିଭିନ୍ନ ଭାଗରେ ସଙ୍କଟରେ ଥିବା ଶରଣାର୍ଥୀଙ୍କ ମାନବାଧିକାର ପାଇଁ ସେ ସ୍ୱର ଉଠାଇଛନ୍ତି । ନିକଟରେ ସେ ସିରିଆ ଗସ୍ତ କରି ସେଠାରେ ଶରଣର୍ଥୀ ଶିଶୁଙ୍କ ସହ କିଛି ସମୟ ବିତାଇଥିଲେ ।

ସମାଜ କଲ୍ୟାଣ ପାଇଁ ତାଙ୍କର ଏଭଳି ଅନେକ ଅବଦାନ ଲାଗି ପ୍ରିୟଙ୍କା ଏହି ସମ୍ମାନର ଅଧିକାରୀ ହୋଇଛନ୍ତି । ୩୫ ବର୍ଷୀୟା ଅଭିନେତ୍ରୀ ପ୍ରିୟଙ୍କାଙ୍କ ପକ୍ଷରୁ ମା’ମଧୁ ଚୋପ୍ରା ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ଅବସରରେ ମଧୁ କହିଛନ୍ତି, ଜଣେ ଦୟାଳୁ ଏବଂ କର୍ମନିଷ୍ଠ ଝିଅ ପାଇଁ ସେ ଗର୍ବ ଅନୁଭବ କରୁଛନ୍ତି । ‘ଯେତେ ଅଧିକ ଦେଇ ଚାଲିବ, ସେତେ ଅଧିକ ପାଇବ’ ଏହି କଥାର ଉଦାହରଣ ସାଜିଛନ୍ତି ତାଙ୍କ ଝିଅ ପ୍ରିୟଙ୍କା । ପିଲାବେଳୁ ମଦର ଟେରେସାଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ । ବରେଲିସ୍ଥିତ ପ୍ରେମ ନିବାସକୁ ଯେ ଯଥାସାଧ୍ୟ ସହଯୋଗ କରନ୍ତି ।

ତେଣୁ ପ୍ରିୟଙ୍କା ଏହି ପୁରସ୍କାର ପାଇବାକୁ ହକଦାର ବୋଲି ମା’ ମଧୁ କହିଛନ୍ତି । ପୁରସ୍କାର ଗ୍ରହଣ ଲାଗି ହାର୍ମୋନି ଫାଉଣ୍ଡେଶନ ପକ୍ଷରୁ ପ୍ରିୟଙ୍କାଙ୍କୁ ଆମନ୍ତ୍ରଣ କରାଯାଇଥିଲା । କିନ୍ତୁ ଅଭିନେତ୍ରୀ ଜଣକ ଏବେ ଆମେରିକାରେ ଥିବାରୁ ପୁରସ୍କାର ଉତ୍ସବକୁ ମା’ ଯାଇଥିଲେ । ପୂର୍ବରୁ କିରଣ ବେଦୀ, ଆନ୍ନା ହାଜାରେ, ଓସ୍କାର ଫର୍ନାଣ୍ଡିଜ, ସୁଧା ମୂର୍ତ୍ତି, ମଲାଲା ୟୁସୁଫଜାଇ, ସୁସ୍ମିତା ସେନ ଏବଂ ବିଲକିସ ବାନୋ ଏଧି ପ୍ରମୁଖ ‘ମଦର ଟେରେସା ମେମୋରିଆଲ’ ପୁରସ୍କାର ଲାଭ କରିଥିଲେ ।