ମହଙ୍ଗା ପଡ଼ିଲା ବିବାଦୀୟ ବୟାନ, ପଦ ଛାଡିଲେ ମହାରଥୀ! ଦ୍ୱିତୀୟ ଥର ପାଇଁ ମନ୍ତ୍ରୀପଦ ନେଲା ପିପିଲି ହତ୍ୟା ମାମଲା

128

କନକ ବ୍ୟୁରୋ : ୨୦୧୯ରେ ୨୦୧୨ ଘଟଣାର ପୁନରାବୃତି । ପିପିଲି ଗଣଦୁଷ୍କର୍ମ ପ୍ରସଙ୍ଗରେ ପୁଣି ଥରେ ମନ୍ତ୍ରିପଦ ହରାଇଛନ୍ତି ପ୍ରଦୀପ ମହାରଥୀ । ମହାରଥୀଙ୍କୁ ଯେମିତି ସୁହାଉନି ମନ୍ତ୍ରୀ ପଦ । ବିରୋଧୀଙ୍କ ବାରମ୍ବାର ଇସ୍ତଫା ଦାବି ଏବଂ ପିପିଲି ଘଟଣାରେ ରାଜ୍ୟ ସରକାରଙ୍କୁ ମୋଦିଙ୍କ ସମାଲୋଚନା ପରେ ମହାରଥୀଙ୍କ ପାଖରେ ହୁଏତ, ଆଉ କୌଣସି ବିକଳ୍ପ ରହିଲା ନାହିଁ । ଆଜି ମହାରଥୀ, ନୈତିକ ଦାୟିତ୍ୱ ନେଇ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ଦଳର ଜଣେ ସଚ୍ଚୋଟ କର୍ମୀ । ଦଳ ଉପରେ ଚାପ ବଢୁଥିବାରୁ ସେ ନିଜ ଆଡୁ ଇସ୍ତଫା ଦେଲେ ବୋଲି ମହାରଥୀ କହିଛନ୍ତି ।

ବଦଳି ଯାଇଛି ସ୍ୱର, ଆଭିମୁଖ୍ୟରେ ବି ଆସିଛି ପରିବର୍ତନ । ଦଳର ଦ୍ୱାହି ଦେଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କୃଷିମନ୍ତ୍ରୀ । ପିପିଲି ହତ୍ୟା ଘଟଣାରେ ଅଭିଯୁକ୍ତ ସିନା ପ୍ରମାଣ ଅଭାବରୁ ଖସିଗଲେ, କିନ୍ତୁ ଏହି ଘଟଣାର ରାୟକୁ ନେଇ ପ୍ରଦୀପ ମହାରଥୀ ଦେଇଥିବା ବୟାନ ତାଙ୍କୁ ହରଡଘଣାରେ ପକାଇ ଦେଇଛି । ନିଜକୁ ସଚ୍ଚୋଟ୍ କର୍ମୀ କହି ସୁନା ପିଲା ଭଳି ମନ୍ତ୍ରୀ ପଦରୁ ଓହରିଯାଇଛନ୍ତି ପ୍ରଦୀପ ମହାରଥୀ ।

ନିଆଁରେ ଘିଅ ଭଳି କାମ କରିଛି ବାରିପଦାରେ ପ୍ରଧାନମନ୍ତ୍ରୀଙ୍କ ସିଧାସଳଖ ଆକ୍ରମଣ । ପିପିଲି ହତ୍ୟା ଘଟଣାରେ ରାଜ୍ୟ ସରକାର, ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ମୋଦି ସଭାମଂଚରେ କହିିଥିଲେ । ଯେଉଁଥି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟିକରଣ ରଖିବାକୁ ପଡ଼ିଛି । ଯେଉଁ ପିପିଲି ଘଟଣାରେ ରାଜ୍ୟ ସରକାର ଏକ ପ୍ରକାର ବ୍ୟାକଫୁଟରେ ଥିଲେ ଏବଂ ବାରମ୍ବାର ବିରୋଧୀଙ୍କ ଟାର୍ଗେଟର ସାମ୍ନା କରିବାକୁ ପଡୁଥିଲା, ସେହି ଘଟଣାରେ ପ୍ରଦୀପ ମହରାଥୀ ଏଭଳି ଏକ ମନ୍ତବ୍ୟ ରଖିଲେ, ଯାହା ନିଜ ପାଦରେ କୁରାଢ଼ୀ ମାରିଲା ଭଳି ସ୍ଥିତି ସୃଷ୍ଟି କରିଥିଲା ।

ପିପିଲି ପୀଡିତାଙ୍କ ମାମଲାରେ ଯେତେବେଳେ ରାୟ ପ୍ରକାଶ ପାଇଲା ଆଉ ପ୍ରଦୀପ ମହାରଥୀ କହିଥିଲେ ସତ୍ୟର ପରିପ୍ରକାଶ ହୋଇଛି ଓ କ୍ଷୀର କ୍ଷୀର ଓ ପାଣି ପାଣି ହୋଇ ଯାଇଛି । ଆଉ ମନ୍ତ୍ରୀଙ୍କ ଏଭଳି ବିବାଦୀୟ ବୟାନ ରାଜ୍ୟ ରାଜନୀତିରେ ସୃଷ୍ଟି କରିଥିଲା ଏକ ବଡ ରାଜନୈତିକ ଝଡ଼ । ରାଜରାସ୍ତାକୁ ଓହ୍ଲାଇଥିଲେ ଉଭୟ କଂଗ୍ରେସ ଓ ବିଜେପି । ମହିଳା କଂଗ୍ରେସ ଘନଘନ ଆକ୍ରମଣ କରିଥିବା ବେଳେ ବିଜେପି ମହିଳା ମୋର୍ଚ୍ଚା ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ । ଯେଉଁଥିପାଇଁ ମହାରଥୀଙ୍କୁ ଦୁଃଖ ପ୍ରକାଶ କରିବାକୁ ପଡ଼ିଥିଲା ।

ପ୍ରଥମେ ବିବାଦୀୟ ବୟାନ ଏବଂ ପରେ ଦୁଃଖ ପ୍ରକାଶ କରିବା ଘଟଣା, ଏହାରି ଭିତରେ ନେଡିଗୁଡ କହୁଣୀକୁ ବୋହି ଯାଇଥିଲା । ଆଉ ଶେଷରେ ସେଇ ପିପିଲି ହତ୍ୟା ଘଟଣାରେ ପ୍ରଦୀପ ମହାରଥୀଙ୍କୁ ଦ୍ୱିତୀୟ ଥର ପାଇଁ ମନ୍ତ୍ରୀ ପଦ ଛାଡିବାକୁ ପଡ଼ିଛି ।