‘Google’ରେ ଭାରତୀୟଙ୍କ ଦବଦବା । ଏଣିକି ‘Google’ର ୭ ଲକ୍ଷ କୋଟି ଟଙ୍କାର ବିଜ୍ଞାପନ ବ୍ୟବସାୟ ସମ୍ଭାଳିବେ ଭାରତର ପ୍ରଭାକର ରାଘବନ

35

ଇଣ୍ଟରନେଟ ସର୍ଚ୍ଚ ଇଞ୍ଜିନ ଗୁଗୁଲ କମ୍ପାନିରେ ଭାରତୀୟଙ୍କ ଦବଦବା । ସୁନ୍ଦର ପିଚାଇଙ୍କୁ ଗୁଗୁଲର ସିଇଓ ଥିବା ବେଳେ ଏବେ ଆଉଜଣେ ଭାରତୀୟଙ୍କୁ ଗୁରୁଦାୟିତ୍ୱ ଦେଇଛି ଗୁଗୁଲ । ଏଣିକି ଗୁଗୁଲର ୧୦୦ ଆରବ ଡଲାର ଟଙ୍କାର ବିଜ୍ଞାପନ ବ୍ୟବସାୟ ସମ୍ଭାଳିବେ ଭାରତର ପ୍ରଭାକର ରାଘବନ । ପ୍ରଭାକରଙ୍କୁ ଗୁଗୁଲ ବିଜ୍ଞାପନ ବ୍ୟବସାୟର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି ।

ଗୁଗୁଲ ସିଇଓ ସୁନ୍ଦର ପିଚାଇ କହିଛନ୍ତି, ମୁଁ ପ୍ରଭାକର ରାଘବନଙ୍କ ସହ ଦୀର୍ଘଦିନ ଧରି କାମ କରିଛି ଏବଂ ଏହାସହ ତାଙ୍କ କାମ କରିବାର ଶୈଳୀକୁ ମଧ୍ୟ ବେଶ ଭଲଭାବରେ ବୁଝିଛି । ତେଣୁ ଗୁଗୁଲର ବିଜ୍ଞାପନ ବ୍ୟବସାୟର ନେତୃତ୍ୱ ନେବା ପାଇଁ ପ୍ରଭାକର ହିଁ ସଠିକ୍ ବ୍ୟକ୍ତି । କାରଣ ପ୍ରଭାକରଙ୍କ ପାଖରେ ମ୍ୟାନେଜମେଣ୍ଟର ଭରପୂର ଅଭିଜ୍ଞତା ରହିଛି ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ଉପରେ ମଧ୍ୟ ତାଙ୍କର ଭଲ ଅନୁଭବ ରହିଛି ବୋଲି ସୁନ୍ଦର ପିଚାଇ କହିଛନ୍ତି ।

ରାଘବନ ପୂର୍ବରୁ ଗୁଗୁଲର ବିଜନେସ-ଆପ୍ଲିକେସନ ୟୁନିଟର ମୁଖ୍ୟ ଥିଲେ । ୨୦୧୧ ମସିହାରେ ସେ ଗୁଗୁଲରେ ନିଯୁକ୍ତି ପାଇଥିଲେ । ଏହା ପୂର୍ବରୁ ସେ ଗୁଗୁଲର କ୍ଲାଉଡ ଆପର ଗ୍ରୋଥ ଉପରେ କାମ କରୁଥିଲେ । ଯେଉଁଥିରେ ଡ୍ରାଇଭ, ଡ୍ରକ୍ସ, Hangouts ସହ ଜୀ ସୁଟ୍ ଭଳି ସେବା ସାମିଲ ରହିଥିଲା । ଏବେ କ୍ଲାଉଡ ଆପର ସେବା ୪୦ ଲକ୍ଷ ଲୋକ କରୁଛନ୍ତି ।

ଭାରତର ଚେନ୍ନାଇରେ ଜନ୍ମିତ ପ୍ରଭାକର ରାଘବନ ଆଇଆଇଟି ମାଡ଼୍ରାସରୁ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଥିଲେ । ପରେ କାଲିଫଣ୍ଣିଆ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଥିଲେ । ଗୁଗୁଲରେ ଚାକିରି କରିବା ପୂର୍ବରୁ ରାଘବନ ୟାହୁ ଲ୍ୟାବରେ ସାମିଲ ହୋଇଥିଲେ । ଯେଉଁଠାରେ ସେ ଆଇବିଏମ ରିସର୍ଚ୍ଚ ୱିଙ୍ଗ୍ ସହ କାମ କରୁଥିଲେ । ରାଘବନଙ୍କ ପୂର୍ବରୁ ଗୁଗୁଲର ବିଜ୍ଞାପନ ମୁଖ୍ୟ ଭାବେ ଶ୍ରୀଧର ରାମାସ୍ୱାମୀ କାମ କରୁଥିଲେ । ରାମାସ୍ୱାମୀ ୨୦୦୩ରେ ଗୁଗୁଲରେ କାମ ଆରମ୍ଭ କରିଥିଲେ । ଗୁଗୁଲର ବିଜ୍ଞାପନ ରାଜସ୍ୱ ବଢାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।