ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ନିର୍ବାଚନ ପ୍ରସ୍ତୁତି ଶେଷ । ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପଠାଯାଉଛି ଇଭିଏମ

ସନ୍ଧ୍ୟା ସୁଦ୍ଧା ଗ୍ରାମାଂଚଳରେ ପହଁଚିବେ ପୁଲିଂ ପାର୍ଟି; ମୁନସିପାଲିଟିରେ ପହଁଚିବେ ଆସନ୍ତାକାଲି

118

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭୁବନେଶ୍ୱର ବିଜେବି କଲେଜ ଷ୍ଟ୍ରଙ୍ଗ ରୁମରୁ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫ଟି ବିଧାନସଭା ପାଇଁ ଇଭିଏମ ଓ ଭିଭିପାଟ୍ ପଠାଯାଇଛି । ଜୟଦେବ, ଉତର, ମଧ୍ୟ, ଏକାମ୍ର ଓ ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୧ ଶହ ୫୬ଟି ବୁଥ ପାଇଁ ଇଭିଏମ ଓ ଭିଭିପାଟ ମେସିନ ପଠାଯାଇଛି ।

ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ଗ୍ରାମାଂଚଳ ବୁଥକୁ ମେସିନ ପଠାଯିବ ।  ଆସନ୍ତାକାଲି ସୁଦ୍ଧା ସମସ୍ତ ବିଜ୍ଞାପିତ ଅଂଚଳ ପରିଷଦ ଓ ମୁନିସିପାଲଟିରେ ଇଭିଏମ ପହଂଚିବ । ୧୧୮ଟି ବୁଥରେ ୱେବକାଷ୍ଟିଙ୍ଗ, ୫୬ଟି ସିସିଟିଭି, ୧୨୫ଟି ବୁଥରେ ମାଇକ୍ରୋ ଓବଜରଭର, ୫୦ଟି ବୁଥକୁ ଆଦର୍ଶ ବୁଥ ଓ ୨୫ଟି ବୁଥରେ ଭିଡିଓ ସୁଟିଂ ହେବ ।

ସେପଟେ, ଆଜି ସରିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର । ସନ୍ଧ୍ୟା ସୁଦ୍ଧା ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର କାର୍ଯ୍ୟ ଶେଷ କରିବେ । ଶେଷ ଦିନ ଥିବାରୁ ସମସ୍ତ ପ୍ରାର୍ଥୀ ଆଜି ମାରାଥନ ପ୍ରଚାର କରିବେ । ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ଭୁବନେଶ୍ୱର , ପୁରୀ, କଟକ, ସମ୍ବଲପୁର, ଢ଼େଙ୍କାନାଳ ଓ କେନ୍ଦୁଝର ଲୋକସଭା କ୍ଷେତ୍ର ପାଇଁ ଭୋଟ୍ ଗ୍ରହଣ ହେବ । ସେହିପରି ଏହି ଲୋକସଭା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟର ମାନେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।