ସର୍ବୋଚ୍ଚ ନ୍ୟାୟାଳୟ ଆଜି ୩ ଟି ଗୁରୁତ୍ୱପୂର୍ଣ୍ଣ ମାମଲାରେ କରିବେ ଶୁଣାଣି

ଆଜି ୩ଟି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବେ

126

କନକ ବ୍ୟୁରୋ : ଆଜି ୩ଟି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବେ। ଜଗନ୍ନାଥ ମନ୍ଦିରରେ ପୁଲିସ ଜୋତା ଓ ଅସ୍ତ୍ରଶସ୍ତ୍ର ସହ ପ୍ରବେଶ କରିବା ମାମଲା ଓ ପୋଲାଭରମ୍ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିବାର ସମ୍ଭାବନା ରହିଛି। ସେହିଭଳି, ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଜବାବ ରଖିବ ଛତିଶଗଡ଼। ଜଗନ୍ନାଥ ମନ୍ଦିରରେ ପୁଲିସ ଜୋତା ଓ ଅସ୍ତ୍ରଶସ୍ତ୍ର ସହ ପ୍ରବେଶ କରିବା ମାମଲାରେ ସିବିଆଇ ତଦନ୍ତ ଦାବି କରି ଗତ ମାସ ୨ ତାରିଖରେ ଜଗନ୍ନାଥ ସେନା ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନ୍ ଉପରେ ଶୁଣାଣି ହେବ।

 

ବିଚାରପତି ମଦନ ବି ଲୋକୁର, ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ଏହି ମାମଲାକୁ ତାଲିକାଭୁକ୍ତ କରାଯାଇଛି। ତେବେ ମାମଲା ଶୁଣାଣି ପାଇଁ ସୁପ୍ରିମକୋର୍ଟ ଗ୍ରହଣ କରିବେ କି ନାହିଁ ତାହା ଆଜି ଶୁଣାଣି ସମୟରେ ସ୍ପଷ୍ଟ ହେବ। ପୋଲାଭରମ ପ୍ରକଳ୍ପ ମାମଲାର ଶୁଣାଣି ଅଛି। ସୁପ୍ରିମକୋର୍ଟର ବିଚାରପତି ମଦନ ବି ଲୋକୁର, ବିଚାରପତି ଦୀପକ ଗୁପ୍ତା ଓ ବିଚାରପତି ଏସ୍ ଏ ନଜିରଙ୍କ ଖଣ୍ଡପୀଠ ପୋଲାଭରମ ପ୍ରକଳ୍ପ ଜନଶୁଣାଣି ମାମଲାରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇପାରନ୍ତି। ପ୍ରକଳ୍ପ ନେଇ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ରେ ଜନଶୁଣାଣି କାର୍ଯ୍ୟ ତ୍ବରାନ୍ବିତ କରିବାପାଇଁ କୋର୍ଟ  ଚୁଡ଼ାନ୍ତ ରାୟ ଦେବେ।

 

ଅନ୍ୟପକ୍ଷରେ, ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଜବାବ ଦାଖଲ କରିବ ଛତିଶଗଡ଼। ଅକ୍ଟୋବର ୯ ତାରିଖରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଓଡ଼ିଶା ପକ୍ଷରୁ ୫୭୦ ପୃଷ୍ଠା ସମ୍ବଳିତ ୨ଟି ଭଲ୍ୟୁମରେ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇ ଛତିଶଗଡ଼ ଦ୍ବାରା ମହାନଦୀର ଉପରମୁଣ୍ଡରେ ନିର୍ମାଣ କରାଯାଉଥିବା ବ୍ୟାରେଜ୍ ଗୁଡ଼ିକର ନିର୍ମାଣ କାର୍ଯ୍ୟ ବନ୍ଦ କରାଯିବା ସହ ବ୍ୟାରେଜ୍ ଗେଟ୍ କଲମା, ସାରାଡ଼ିହି, ମିରୋନି, ବସନ୍ତପୁର, ସିଅରିନାରାୟଣ, ସାମୋଧା ଦ୍ବାରା ମହାନଦୀକୁ ସ୍ବାଭାବିକ ଜଳପ୍ରବାହରେ ଯେଭଳି ବ୍ୟାହତ ନହୁଏ ସେନେଇ ଆାଦେଶ ଜାରି କରିବାପାଇଁ ପ୍ରାର୍ଥନା କରାଯାଇଥିଲା।

 

ଛତିଶଗଡ଼ ଭବିଷ୍ୟତରେ ମହାନଦୀ ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ ଉପରେ ରୋକ୍ ଲଗାଇବା ତଥା ମହାନଦୀ ଜଳଭଣ୍ଡାରରେ ଜଳକୁ କେତେ ପରିମାଣରେ ବ୍ୟବହାର କରିବ ସେନେଇ ଅନ୍ତରୀଣ ଆଦେଶ ଜାରି କରିବାପାଇଁ ରାଜ୍ୟ ସରକାରଙ୍କ ଆବେଦନରେ ଉଲ୍ଲେଖ କରାଯାଇଥିଲା। ଅକ୍ଟୋବର ୧୩ରେ ଟ୍ରିବ୍ୟୁନାଲର ପ୍ରଥମ ଶୁଣାଣିରେ ଓଡ଼ିଶାର ଆବେଦନ ଉପରେ ଛତିଶଗଡ଼କୁ ନୋଟିସ୍ ଜାରି କରି ଡିସେମ୍ବର ୧ ସୁଦ୍ଧା ଜବାବ ଦାଖଲ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଆସନ୍ତାକାଲି ଛତିଶଗଡ଼ ଦ୍ବାରା ଟ୍ରିବ୍ୟୁନାଲରେ ଜବାବ ଦାଖଲ ହେବାପରେ ଓଡ଼ିଶାକୁ ଡିସେମ୍ବର ୧୫ ସୁଦ୍ଧା ପ୍ରତି ଜବାବ ଦାଖଲ କରିବାକୁ ପଡ଼ିବ। ଏନେଇ ଟ୍ରିବ୍ୟୁନାଲ୍ ପୂର୍ବରୁ ତାରିଖ ଧାର୍ଯ୍ୟ କରି ସାରିଛନ୍ତି।