କଂଗ୍ରେସର ଅଭିଯୋଗ ପରେ ସ୍ପଷ୍ଟ କଲେ ସରକାର ! ପୁଲଓ୍ଵାମା ଆକ୍ରମଣ ପରେ କିଛି ଖାଇ ନଥିଲେ ମୋଦି

521

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଲ୍ଓ୍ଵାମା ଆକ୍ରମଣ ପରେ କିଛି ଖାଇ ନଥିଲେ । ଆତ୍ମଘାତୀ ଆକ୍ରମଣ ପରେ ବି ନିଜର ପ୍ରଚାର ଓ ପ୍ରସାର ପାଇଁ ଡକ୍ୟୁମେଂଟାରୀ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିଲେ ପ୍ରଧାନମନ୍ତ୍ରୀ ବୋଲି ଗତକାଲି ଅଭିଯୋଗ କରିବା ପରେ ସରକାରୀ ସୂତ୍ରରେ ଏପରି କୁହାଯାଇଛି ।

କଂଗ୍ରେସର ଅଭିଯୋଗ, ଫେବ୍ରୁଆରୀ ୧୪ ତାରିଖ ଅପରାହ୍ନ ୩ଟା ୧୦ରେ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହେଲା । ଭୟଙ୍କର ଆକ୍ରମଣରେ ସିଆରପିଏଫର ୪୦ ଜଣ ଯବାନ ସହିଦ ହେଲେ । ସାରା ଦେଶରେ ଶୋକର ଛାୟା ଖେଳି ଯାଇଥିଲା । କିନ୍ତୁ ସଂଧ୍ୟା ୬ଟା ୪୦ ମିନିଟ୍ ପର‌୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ପ୍ରମୋସନାଲ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିଲେ । ରଣଦୀପ ସୁର୍ଜେୱାଲା ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ରାଜ ଧର୍ମ ଭୁଲି ଯାଇଥିଲେ । ଯେତେବେଳେ ଦୁଃଖରେ ଡୁବି ସାରା ଦେଶ ପାଟିକୁ ଦାନା ନେଉନଥିଲା, ସଂଧ୍ୟା ୭ଟା ବେଳେ ଗେଷ୍ଟ ହାଉସରେ ବସି ଚା’, ସିଙ୍ଗଡ଼ା ଖାଉଥିଲେ ମୋଦି ।

ଏ ପ୍ରସଙ୍ଗକୁ ଶେଷ କରିବାକୁ ସରକାରୀ ସୂତ୍ର ଫେବ୍ରୁଆରି ୧୪ ତାରିଖ ଦିନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ପ୍ରକାଶ କରିଛି । କାର୍ଯ୍ୟସୂଚୀ ଅନୁସାରେ ସକାଳ ପ୍ରାୟ ୭ଟା ସମୟରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଛାଡ଼ିଥିଲେ । ଡେରାଡୁନରେ ପହଞ୍ଚି ସେଠାରେ ଖରାପ ପାଗ ଯୋଗୁଁ ପ୍ରାୟ ଚାରି ଘଣ୍ଟା ଅଟକି ଥିଲେ । ଦିନ ପ୍ରାୟ ୧୧: ୧୫ ସମୟରେ ସେ ଜିମ୍ କର୍ବେଟ୍ ଠାରେ ପହଞ୍ଚି ସେଠାରେ ତିନିଘଣ୍ଟା ବିତାଇ ଥିଲେ । ପ୍ରଧାନମନ୍ତ୍ରୀ ଗୋଟାଏ ବାଘ ସଫାରି, ଇକୋ-ଟୁରିଜମ୍ ଜୋନ୍ ଏବଂ ଉଦ୍ଧାର କେନ୍ଦ୍ର ଉଦଘାଟନ କରିଥିଲେ । ସେ ଗୋଟାଏ ମଟର ବୋଟରେ  କାଲାଗଡ଼ରୁ ଧିକାଲା ପରିଦର୍ଶନରେ ଯାଇ ଜଙ୍ଗଲରେ ଗୋଟିଏ ଘେରା ବୁଲିଥିଲେ ।

ଅପରାହ୍ଣ ୩ଟାରେ ସେ ରୁଦ୍ରପୁର ଠାରେ ଏକ ସର୍ବସାଧାରଣ ରାଲିରେ ସମ୍ବୋଧନ କରିବାର ଥିଲା, କିନ୍ତୁ ଖରାପ ପାଗ ଓ ପୁଲ୍ଓ୍ଵାମା ଆକ୍ରମଣ ଯୋଗୁଁ ତାହା ବାତିଲ କରାଗଲା। ପୁଲ୍ଓ୍ଵାମା ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ଜାତୀୟ ନିରାପତ୍ତା ପରାମର୍ଶଦାତା, ଗୃହମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ସହ କଥା ହୋଇଥିଲେ । ରାମପୁର ଗେଷ୍ଟ୍ ହାଉସରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦି ପୁଣି ଏନ୍ଏସ୍ଏ, ରାଜ୍ୟପାଳ ଏବଂ ଗୃହମନ୍ତ୍ରୀଙ୍କ ସହ ପୁଲ୍ଓ୍ଵାମା ସମ୍ପର୍କରେ କଥାବାର୍ତ୍ତା କରିଥିଲେ । ହେଲେ ଆକ୍ରମଣ ଯୋଗୁଁ ଦୁଃଖରେ ମୋଦି କିଛି ଖାଇ ନ ଥିଲେ । ରାମପୁରରୁ ସନ୍ଧ୍ୟା ୭ଟାରେ ବାହାରି ବିଳମ୍ବିତ ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଥିଲେ ।