ଆରମ୍ଭରୁ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷାରେ ବିଭ୍ରାଟ ! ପହଞ୍ଚିପାରିଲା ନାହିଁ ଏକ୍ସଟରନାଲ ତାଲିକା, ଅନେକ କଲେଜରେ ହେଲା ନାହିଁ ପରୀକ୍ଷା

ଆରମ୍ଭରୁ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷାରେ ବିଭ୍ରାଟ

149

କନକ ବ୍ୟୁରୋ : ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭରୁ ବିଭ୍ରାଟ। ପ୍ରଥମ ଦିନର ପରୀକ୍ଷା ଆରମ୍ଭ ହୋଇପାରିନି। ମାସେ ଆଗରୁ ଘନ ଘନ ବୈଠକ ପରେ ବି ପରୀକ୍ଷାର ଆରମ୍ଭ ଦିନରୁ ଫେଲ୍ ମାରିଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପ୍ରଶ୍ନପତ୍ର, ମାର୍କ ଫୁଏଲ୍, ଏକ୍ସଟରନାଲମାନଙ୍କ ତାଲିକା ପହଞ୍ଚିପାରିନି। ଯେଉଁଥିପାଇଁ କଲେଜ କର୍ତୃପକ୍ଷ ବାଧ୍ୟ ହୋଇ ପରୀକ୍ଷାକୁ ବାତିଲ୍ କରିଛନ୍ତି। ଅର୍ଧାଧିକ କଲେଜ ଜାନୁଆରି ୨୮ ତାରିଖ ପରିବର୍ତ୍ତେ ୩୦ ତାରିଖଠାରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେପଟେ ପରିଷଦ ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି ଯେ ପରୀକ୍ଷା ପାଇଁ ଫେବ୍ରୁଆରି ୮ ତାରିଖ ପର୍ଯ୍ୟନ୍ତ କଲେଜ କର୍ତୃପକ୍ଷଙ୍କୁ ସମୟ ଦିଆଯାଇଛି। ଯେକୌଣସି ସମୟରେ ସେମାନେ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା କରିପାରିବେ। ଜାନୁଆରି ୨୮ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଥିଲା। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ଚିଠି ଲେଖି ପରୀକ୍ଷା ଲାଗି ପ୍ରସ୍ତୁତ ରହିବାକୁ କଲେଜଗୁଡ଼ିକୁ କହିଥିଲେ। ନିର୍ଦେଶକୁ ପାଳନ କରି କଲେଜର କର୍ମଚାରୀମାନେ ମଧ୍ୟ ଛୁଟି ଦିନରେ ମାର୍କ ଫୁଏଲ୍, ପ୍ରଶ୍ନପତ୍ର, ଏକ୍ସଟରନାଲ ତାଲିକା ସଂଗ୍ରହ କରିବାକୁ ହବରେ ରାତିରେ ଜଗି ରହିଥିଲେ।

ହେଲେ ପରିଷଦ କର୍ତୃପକ୍ଷଙ୍କ ପରୀକ୍ଷା ପରିଚାଳନାଗତ ତ୍ରୁଟି ପାଇଁ ହବ୍ଗୁଡ଼ିକରେ ଠିକ୍ ସମୟରେ ଏକ୍ସଟରନାଲଙ୍କ ତାଲିକା, ମାର୍କ ଫୁଏଲ୍ ଆଦି ପହଞ୍ଚିପାରିଲା ନାହିଁ। ଯେଉଁଥିପାଇଁ ଅର୍ଧାଧିକ କଲେଜରେ ପ୍ରଥମ ଦିନର ପରୀକ୍ଷା ହୋଇପାରି ନାହିଁ। ଏନେଇ କଲେଜଗୁଡ଼ିକ ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କୁ ଅବଗତ କରିବା ସହ ପରୀକ୍ଷା ସମୟ ସୀମା ବୃଦ୍ଧି କରିବାକୁ ଦାବି କରିଛନ୍ତି।