ଘରଠାରୁ କିଛି ଦୂରରେ ହସ୍ପିଟାଲ୍ ! ହେଲେ ରାସ୍ତା ଜାମ୍ ଯୋଗୁଁ ଚାଲିଗଲା ୪ ବର୍ଷର ଶିଶୁକନ୍ୟାର ଜୀବନ

693

କନକ ବ୍ୟୁରୋ : ଘରଠାରୁ ମାତ୍ର କିଛି ଦୂରରେ ହସ୍ପିଟାଲ୍। ପାଖରେ ଆମ୍ବୁଲାନ୍ସ ବି ଥିଲା । ହେଲେ ବଞ୍ଚିପାରିଲାନି ୪ ବର୍ଷର ଶିଶୁକନ୍ୟାର ଜୀବନ । ରାସ୍ତା ଜାମ୍ ଯୋଗୁ ଅଧାବାଟରେ ଆମ୍ବୁଲାନ୍ସ ଭିତରେ ହିଁ ଆଖି ବୁଜିଦେଲା । ଗତକାଲି ରାଜଧାନୀରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।

ସତ୍ୟନଗର ହାଉସିଂବୋର୍ଡ ଅଞ୍ଚଳର ଜଣେ ଶିଶୁକନ୍ୟା ଖେଳୁ ଖେଳୁ ପାଣି ଟାଙ୍କିରେ ପଡ଼ିଯାଇଥିଲା । କିଛି ସମୟ ପରେ ପରିବାର ଲୋକ ଶିଶୁକନ୍ୟାକୁ ପାଣି ଟାଙ୍କିରୁ ଅଚେତ ଅବସ୍ଥାରେ କାଢ଼ିଥିଲେ । ତୁରନ୍ତ ଆମ୍ବୁଲାନ୍ସ ଡକାଇ ନିକଟରେ ଥିବା ନୀଳାଚଳ ହସ୍ପିଟାଲକୁ ନେଉଥିଲେ । ହେଲେ ଘରଠାରୁ କିଛିବାଟ ଆସିବା ପରେ ଆମ୍ବୁଲାନ୍ସ ବିଗ୍ବଜାର-ମାଳିସାହି ରାସ୍ତା ନିକଟରେ ଅଟକି ଯାଇଥିଲା ।

ରାସ୍ତା ଜାମ୍ ଯୋଗୁଁ ଚାଳକ ଆମ୍ବୁଲାନ୍ସ ଫେରାଇ ସ୍ବସ୍ତି ଗ୍ରାଣ୍ଡ ରାସ୍ତା ଦେଇ ନେଇଥିଲେ । ବିଭିନ୍ନ ସଂଗଠନର ଧାରଣା ଓ ଶୋଭାଯାତ୍ରା ଯୋଗୁଁ ଜନପଥରେ ଚକାଜାମ୍ ପରିସ୍ଥିତି ଉପୁଜିଥିଲା । ଜାମ୍ରେ ଫସିଥିବା ଆମ୍ବୁଲାନ୍ସକୁ ବାଟ ଛାଡ଼ିବାକୁ ଇଞ୍ଚେ ବି ଯାଗା ନଥିଲା, କି ଅନ୍ୟ କୌଣସି ଗଳି ରାସ୍ତାରେ ପଶିବାକୁ ବାଟ ନ ଥିଲା । ବାଧ୍ୟହୋଇ ଶିଶୁକନ୍ୟାଙ୍କ ମା’ ଆମ୍ବୁଲାନ୍ସରୁ ବାହାରି କାନ୍ଦି କାନ୍ଦି ଡାକ୍ତରଙ୍କ ପାଖକୁ ଦୌଡ଼ିଥିଲେ । ପରିବାର ଲୋକ ରାସ୍ତା ଫାଙ୍କା କରିବାକୁ ଲୋକଙ୍କୁ ନେହୁରା ହେଉଥିଲେ । କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଆମ୍ବୁଲାନ୍ସ ଭିତରେ ଶିଶୁକନ୍ୟାର ମୃତ୍ୟୁ ହୋଇଯାଇଥିଲା ।

ଏଭଳି ହୃଦୟ ବିଦାରକ ଦୃଶ୍ୟ ରାଜଧାନୀବାସୀଙ୍କ ଆଖିରେ ଲୁହ ଓ ଛାତିରେ କୋହ ଭରିଦେଇଛି । ସବୁଠାରୁ ବଡ଼କଥା ହେଉଛି ଏକ ସମ୍ବେଦନଶୀଳ ଘଟଣାକୁ କମିସନରେଟ ପୁଲିସ ଚାପି ଦେଇଛି । ସ୍ଥାନୀୟ ଖାରବେଳନଗର ଥାନା ପୁଲିସଠାରୁ ଆରମ୍ଭ କରି ଡିସିପିଙ୍କ ପର‌୍ୟ୍ୟନ୍ତ କାହା ପାଖରେ ଏ ସମ୍ପର୍କରେ ଖବର ନାହିଁ ବୋଲି କହିଛନ୍ତି । ଏତେ ବଡ଼ ସମ୍ବେଦନଶୀଳ ଘଟଣା ଉପରେ ପୁଲିସର ଆଭିମୁଖ୍ୟ ସମସ୍ତଙ୍କୁ ତାଜୁବ କରିଛି । କେବଳ ସେତିକି ନୁହେଁ, ପୁଲିସ ବ୍ୟବସ୍ଥାର ହୁଗୁଳାପଣ ଧରାପଡିଯାଇଛି ।

ଆଜି ଏକାବେଳକେ ୮ଟି ସଂଗଠନ ପକ୍ଷରୁ ଲୋୟର ପିଏମଜିରେ ବିକ୍ଷୋଭ ଥିବାରୁ ରାଜମହଲରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ଜନପଥ ରାସ୍ତା ଜାମ୍ ହୋଇ ଯାଇଥିଲା । ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ବାଣୀବିହାରରୁ ରାଜମହଲ ଛକ ମାତ୍ର ୧୫ ମିନିଟ୍ର ରାସ୍ତାକୁ ପାଖାପାଖି ଘଣ୍ଟାଏ ଲାଗିଥିଲା । ଏହି ଜାମର ପ୍ରଭାବ ସତ୍ୟନଗର, ୟୁନିଟ-୩, ୟୁନିଟ-୨, ପ୍ରେସ କଲୋନି, ଖାରବେଳନଗର, ଅଶୋକନଗର ବାସିନ୍ଦାମାନଙ୍କ ଉପରେ ପଡ଼ିଥିଲା ।