ଘର ସଜଡା ଯୋଜନା ! ପ୍ରସାଦଙ୍କ ସ୍ଥାନରେ କିଏ ଧରିବ ଦଳର ମଙ୍ଗ

20

କନକ ବ୍ୟୁରୋ : ଘର ସଜାଡିବା ପାଇଁ ହାଇକମାଣ୍ଡଙ୍କ ଉଦ୍ୟମ । ବଦଳିବେ ପିସିସି ମୁଖିଆ । ରାଜ୍ୟ କଂଗ୍ରେସର ତିନି ନେତାଙ୍କ ସହ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆଲୋଚନା । ଦେଢଘଂଟା ଧରି ଚାଲିଥିଲା ମାନସ ମନ୍ଥନ । ରାଜ୍ୟରେ କିଏ ଧରିବ ମଙ୍ଗ, କାହା ନେତୃତ୍ୱରେ ୨୦୧୯ ନିର୍ବାଚନକୁ ଦଳ ସାମ୍ନା କରିବ ସେନେଇ ହୋଇଥିଲା ବିଚାର ବିମର୍ଶ । ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ଓ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ରାହୁଲଙ୍କୁ ଦେଇଥିଲେ କଂଗ୍ରେସ ପୁନରୁଦ୍ଧାର ପ୍ଲାନ ।

ସୂଚନା ଅନୁସାରେ ପ୍ରସାଦଙ୍କୁ ହଟାଇବାକୁ ଏକପ୍ରକାର ନିଷ୍ପତି ନେଇସାରିଛନ୍ତି ରାହୁଲ । ରାଜ୍ୟରେ ବିଜେପି ଦୁଇ ନମ୍ବର ସ୍ଥାନ ଦଖଲ କରିବା ପରେ ରଣନୀତି ବଦଳାଇବାକୁ ନିଷ୍ପତି ହୋଇଛି । ନିରଂଜନ ପଟ୍ଟନାୟକଙ୍କୁ ପୁଣି ଦାୟିତ୍ୱ ଦେବାକୁ ରାହୁଲ ମନସ୍ଥ କରିଥିବା ଅସମର୍ଥିତ ସୁତ୍ରରୁ ସୁଚନା ମିଳିଛି ।

ତେବେ ବଡ କଥା ହେଉଛି ନେତୃତ୍ୱ ନେବା ଆଗରୁ ନେତା ରାହୁଲଙ୍କ ସାମ୍ନାରେ ସର୍ତ ରଖିଛନ୍ତି । କହିଛନ୍ତି, ଯିଏ ପିସିସି ସଭାପତି ହେଲେ ବି କଂଗ୍ରେସର ଭାଗ୍ୟ ବଦଳିବନି କାରଣ ନେତାଙ୍କ ଭିତରେ ଥିବା ମନୋମାଳିନ୍ୟ ଦଳ ପାଇଁ ବିପଦଜନକ ସ୍ଥିତି ଆଣୁଛି । ରାହୁଲଙ୍କ ସାମ୍ନାରେ ତ୍ରିମୁର୍ତି ଦେଇଛନ୍ତି ୨୦ ନେତାଙ୍କ ତାଲିକା । ଯେଉଁମାନଙ୍କ ସହ ଆସନ୍ତା ଶନିବାର ଚୁଡାନ୍ତ ଆଲୋଚନା କରିବେ କଂଗ୍ରେସ ଉପାଧ୍ୟକ୍ଷ । ଏହାପରେ ରାହୁଲ ଘୋଷଣା କରିବେ ପିସିସି ସଭାପତିଙ୍କ ନାଁ ।

ରାହୁଲଙ୍କୁ ଦିଆଯାଇଥିବା ତାଲିକାରେ ଅଛନ୍ତି ପ୍ରସାଦ ହରିଚନ୍ଦନ, ନରସିଂହ ମିଶ୍ର, ଚିରଂଜୀବ ଓ ରଂଜୀବ ବିଶ୍ୱାଳଙ୍କ ସମେତ କିଛି ବିଧାୟକ ଆଉ ପୂର୍ବତନ ସଭାପତି ଏବଂ ମୁଖ୍ୟମନ୍ତ୍ରୀ । ଗୋଟିଏ ମନ୍ତ୍ର ପଢାଇ ରାହୁଲ ଏନେତା ମାନଙ୍କୁ ପଠାଇବେ ଓଡିଶା । ଯିଏ ବି ସଭାପତି ହେବ, ତାଙ୍କ ସହ ତାଳ ଦେଇ କାମ କରିବାକୁ ଶୁଣାଇବେ ଚରମବାଣୀ ।

ଖାଲି ପିସିସି ସଭାପତି ନୁହେଁ, ବରଂ ପ୍ରଭାରୀ ମଧ୍ୟ ବଦଳାଇବାକୁ ରାହୁଲ ମନସ୍ଥ କରୁଥିବା ସୂଚନା ମିଳିଛି । ବି.କେ ହରିପ୍ରସାଦଙ୍କ ସ୍ଥାନରେ ଦଳକୁ ମଜଭୁତ କରିବାକୁ ପୂର୍ବତନ ପ୍ରଭାରୀଙ୍କୁ ରାହୁଲ ଓଡିଶା ପଠାଇପାରନ୍ତି । ତେବେ ବଡ କଥା ହେଉଛି, ରାହୁଲଙ୍କ କ୍ଲାସ୍ ପରେ ନୂଆ ସଭାପତିଙ୍କୁ ଗ୍ରହଣ କରି କଂଗ୍ରେସ କେତେ ଆଗକୁ ବଢିପାରିବ ଏବେ ତା ଉପରେ ନଜର । କାରଣ ପୂର୍ବରୁ ବିଜେଡି ସହ ଲଢୁଥିବା କଂଗ୍ରେସ ସାମ୍ନାରେ ଏବେ ଦୁଇଟି ଚାଲେଂଜ । ଗୋଟିଏ ପଟେ ଶାସକ ବିଜେଡି ଆଉ ଅନ୍ୟପଟେ ବିଜେପି ।