ସ୍କୁଲ ଛୁଟି ପରେ ବି ଘରକୁ ଫେରିଲେନି ଛାତ୍ରଛାତ୍ରୀ : ପାରାଦୀପ କୁଜଙ୍ଗ ବ୍ଲକ ମଙ୍ଗରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଅଭିନବ ପ୍ରତିବାଦ

32

ପାରାଦୀପ : ସ୍କୁଲ ଛୁଟି ପରେ ବି ଘରକୁ ଫେରିଲେନି ଛାତ୍ରଛାତ୍ରୀ । ଏପରିକି ଗେଟରେ ତାଲା ପକାଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଛାଡିଲେ ନାହିଁ । ଦୀର୍ଘ ସାଢେ ୫ ଘଂଟା ଧରି ସ୍କୁଲରେ ଅଟକି ରହିଲେ । ପ୍ରିୟ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଏଭଳି ମାତିଲେ ଛାତ୍ରଛାତ୍ରୀ । ପାରାଦୀପ କୁଜଙ୍ଗ ବ୍ଲକ ମଙ୍ଗରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭିନବ ପ୍ରତିବାଦ । ସ୍କୁଲର ୩ଜଣ ଶିକ୍ଷକଙ୍କୁ ଏକକାଳୀନ ବଦଳି କରିଦିଆଯାଇଛି । ତେବେ ସ୍କୁଲରେ ଭଲ ଶିକ୍ଷକଙ୍କ ଅଭାବ ଥିବାବେଳେ ଏହି ତିନି ପ୍ରିୟ ଶିକ୍ଷକଙ୍କ ବଦଳିକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ବିଶେଷ କରି ଶିକ୍ଷକ ହୃଷିକେଶ ଭୋଇଙ୍କ ବଦଳିକୁ ଜୋରଦାର ବିରୋଧ କରିଛନ୍ତି । ତୁରନ୍ତ ବଦଳି ଆଦେଶ ବାତିଲ କରି ଏହି ୩ ଶିକ୍ଷକଙ୍କୁ ସ୍କୁଲରେ ପୁନଃ ଅବସ୍ଥାପିତ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ । ତେବେ ଗତକାଲି ରାତି ସାଢେ ୯ଟା ଯାଏଁ ସ୍ପୁଲ ମୁଖ୍ୟ ଫାଟକରେ ତାଲା ପକାଇ କାହାରିକୁ ବାହାରକୁ ଛାଡିନଥିଲେ । ଏ ସଂପର୍କରେ ଗାଁ ଲୋକ ଓ ଅଭିଭାବକମାନେ ଖବର ପାଇ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ଶେଷରେ ଶିକ୍ଷକମାନଙ୍କୁ ଛାଡିଦେଇଥିଲେ । ଆଜି ସଂପୃକ୍ତ ୩ ଶିକ୍ଷକ ନିଜନିଜ ବଦଳି ସ୍ଥାନରେ ଯୋଗଦେବେ ବୋଲି ଜଣାପଡିଛି ।