କନକ ବ୍ୟୁରୋ : ଏକାମ୍ର କ୍ଷେତ୍ରରେ ପଞ୍ଚୁକ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି କାର୍ତିକ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ନିର୍ଘଣ୍ଟ କରାଯାଇଛି । ସେଦିନ ଭୋର ୩ଟାରୁ ମନ୍ଦିର ଖୋଲା ଯାଇ ମଙ୍ଗଳ ଆଳତି ଓ ଅବକାଶ କରାଯିବ । ପରେ ସାଢ଼େ ୩ଟାରୁ ମନ୍ଦିର ପହୁଡ଼ ଖୋଲାଯିବ। ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ ହେବ । ସେହିପରି ପଞ୍ଚୁକରେ ହବଷିଆଳିମାନଙ୍କ ସ୍ୱତନ୍ତ୍ର ଭାବେ ଲକ୍ଷ୍ମୀ ପୂଜା କରାଯିବ । ସକାଳେ ରାଧାକୃଷ୍ଣଙ୍କ ପୂଜା ପରେ ମା’ ଲକ୍ଷ୍ମୀଙ୍କ ପୂଜା କରାଯିବ ବୋଲି ହବିଷିଆଳିମାନେ କହିଛନ୍ତି ।

ସେପଟେ ପଞ୍ଚୁକ ୫ଦିନରେ ଅଭଡ଼ା ଚାହିଦା ଅଧିକ ଥିବାରୁ ଅଧିକ ପରିମାଣରେ ଅବଢ଼ା ରନ୍ଧା ଯିବା ପାଇଁ ସେବାୟତମାନେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରରେ ଅବଢ଼ା ଯଥେଷ୍ଟ ପରିମାଣରେ କରାଯିବ ବୋଲି ସେବାୟତମାନେ କହିଛନ୍ତି । ମନ୍ଦିରରେ ଏହି ସମୟରେ ସନ୍ଧ୍ୟାରେ ଭିଡ଼ ଅଧିକ ହେବାର ଥିବାରୁ ଅଧିକ ପୁଲିସ ମୁତୟନ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି । ଆଜି ଅଂଳା ନବମୀ ଉପଲକ୍ଷେ ଶ୍ରଦ୍ଧାଳୁମାନେ ଅଂଳା ବୃକ୍ଷ ପୂଜା କରିଥିଲେ । ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରରେ ଥିବା ଅଂଳା ବୃକ୍ଷକୁ ଶ୍ରଦ୍ଧାଳୁମାନେ ପୂଜା କରିଥିଲେ ।