କିଭଳି ଥିଲା ଗତ ୨୪ ଘଂଟାର ଘଟଣାକ୍ରମ ? ଶେଷର ରାଜି ହେଲା ପାକିସ୍ତାନ, ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କଲା ଘୋଷଣା 

411

କନକ ବ୍ୟୁରୋ : ଗତକାଲି ଭାରତର ମିଗ୍-୨୧ ବିମାନ ନଷ୍ଟ ହେବା ପରେ ଯୁଦ୍ଧ ବିମାନରୁ ପାରାଚୁଟ ମାଧ୍ୟମରେ ଅବତରଣ କରିଥିଲେ ପାଇଲଟ । ହେଲେ ଦୁର୍ଭାଗ୍ୟବଶତଃ ପାକିସ୍ତାନ ମାଟିରେ ପଡିଯାଇଥିଲେ ପାଇଲଟ ଅଭିନନ୍ଦନ । ସାଂଗେ ସାଂଗେ ତୁରନ୍ତ ପାଇଲଟଙ୍କୁ କବଜାକୁ ନେଇଯାଇଥିଲା ପାକ ସେନା ।

ତେବେ ପାକ୍ ସେନା ହାତରେ ଧରାପଡ଼ିବା ନରେ ଅଭିନନ୍ଦନଙ୍କର କିଛି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ବାୟୁସେନାର ପାଇଲଟ ୱିଙ୍ଗ କମ।ଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ଆଖିରେ କଳାପଟି ବାନ୍ଧି  ଏକ ଭିଡିଓ ଭାଇରାଲ କରିଥିଲା ପାକିସ୍ତାନ । ୪୯ ସେକେଣ୍ଡର ଏହି ଭିଡିଓରେ  ଅଭିନନ୍ଦନ ସଂପୂର୍ଣ୍ଣ ସାହାସର ସହ ପାକ ସେନା  ପଚାରୁଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ । ଅଭିନନ୍ଦନ ତଳେ ପଡିଯାଇଥିବା ଅଂଚଳରେ ତାଙ୍କୁ ସ୍ଥାନୀୟ ଅଂଚଳର କିଛି ଲୋକ ମାରପିଟ କରୁଥିବାର ଏକ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା  । ଆଉ ଏକ ଭିଡ଼ିଓରେ ଅଭିନନ୍ଦନ ହାତରେ ଚା’ କପ ଧରିଥିବାର ଦେଖିବାକୁ ମିଳିଥିଲେ । ସେ ସମୟରେ ଅଭିନନ୍ଦନ କହିଥିଲେ ଯେ ପାକ ସେନା ତାଙ୍କୁ ଭଲ ବ୍ୟବହାର କରୁଛନ୍ତି ଓ ଯତ୍ନ ମଧ୍ୟ ନେଉଥିବା କଥା କହିଥିଲେ । ତେବେ ଶତ୍ରୁ ପକ୍ଷ ହାତରେ ଧରାପଡିଥିଲେ ମଧ୍ୟ ଅସୀମ ଧୈର୍ଯ୍ୟ ଓ ସାହାସର ନିଦର୍ଶନ ଦେଖାଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ।

ପାକ୍ କବଜାରୁ ଅଭିନନ୍ଦନଙ୍କୁ ଫେରାଇ ଆଣିବା ପାଇଁ ଦେଶବ୍ୟାପୀ ଦାବି ହୋଇଥିଲା । ପାକିସ୍ତାନ କବଜାରେ ଥିବା ପାଇଲଟଙ୍କୁ ସୁରକ୍ଷିତ ଫେରାଇ ଦେବା ଭାରତ  କରିଥିଲା ।  ପାକିସ୍ତାନ ଡେପୁଟୀ ହାଇକମିସନଙ୍କୁ ତଲବ କରି ଏନେଇ ରୋକଠୋକ ଶୁଣାଇଥିଲା ଭାରତୀୟ ବିଦେଶ ମନ୍ତ୍ରାଳୟ । ଆହତ ପାଇଲଟଙ୍କ ଭିଡିଓ ଭାଇରାଲ କରି ପାକିସ୍ତାନ ଅନ୍ତଜାର୍ତୀୟ ମାନବିକ ଆଇନ ଓ ଜେନେଭା କନଭେନସନକୁ ଖୋଲାଖୋଲି ଉଲଂଘନ କରିଥିବା କଥା ମଧ୍ୟ ଭାରତ କହିଥିଲା । ତୁରନ୍ତ ପାକ କବଜାରେ ଥିବା ୱିଙ୍ଗ କମାଣ୍ଡରଙ୍କୁ ଫେରାଇ ଦେବାକୁ କହିଥିଲା ବିଦେଶ ମନ୍ତ୍ରାଳୟ ।

ଅନ୍ୟପଟେ ଭିଡିଓରେ ପାଇଲଟ୍ ଅଭିନନ୍ଦନଙ୍କ ଅବସ୍ଥା ଦେଖି ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପାଇଲଟ୍ ଅଭିନନ୍ଦନଙ୍କ ସହ ଦୁର୍ବ୍ୟବହାର ହୋଇଥିବା ନେଇ ଅଭିଯୋଗ ଆଣିଥିବା ବେଳେ ପାକ୍ ପ୍ରତିରକ୍ଷା ମନ୍ତ୍ରାଳୟ ଏହାକୁ ଖଣ୍ଡନ କରିଥିଲା । ପାଇଲଟ୍ ଅଭିନନ୍ଦନଙ୍କ ପ୍ରତି ହିଂସାତ୍ମକ ଆଚରଣ ଏବଂ ଗଣମାଧ୍ୟମରେ ତାଙ୍କର ଭିଡିଓ ପ୍ରଦର୍ଶନକୁ କଡ଼ା ବିରୋଧ କରିଥିଲା ଭାରତ । ଏହା ଜେନିଭା କନଭେନସନ ଏବଂ ଆନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି ଭାରତ ଦାବି କରିଥିବା ବେଳେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟର ଅଭିଯୋଗକୁ ଖଣ୍ଡନ କରି ପାଇଲଟ୍ ଅଭିନନ୍ଦନ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଥିବା କହିଥିଲା ପାକ୍ ପ୍ରତିରକ୍ଷା ମନ୍ତ୍ରାଳୟ । ପାଇଲଟ୍ ଅଭିନନ୍ଦନଙ୍କ ପ୍ରତି କୌଣସି ହିଂସାତ୍ମକ ଆଚରଣ ହୋଇ ନ ଥିବା ପାକ୍ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ସ୍ପଷ୍ଟ କରାଯାଇଥିଲା ।

ତେବେ ପାକିସ୍ତାନରେ ବନ୍ଦୀ ଭାରତୀୟ ପାଇଲଟଙ୍କୁ ନେଇ ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ବଡ ବୟାନ ଦେଇଥିଲେ । ଭାରତକୁ କେତେକ ପ୍ରସ୍ତାବ ଦେଇଥିଲା ପାକିସ୍ତାନ । ଭାରତ-ପାକିସ୍ତାନରେ ଲାଗିଥିବା ଉତ୍ତେଜନା ଓ ପାଇଲଟଙ୍କ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହେବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପ୍ରସ୍ତୁତ ବୋଲି ପାକ୍ କହିଥିଲା । ଏହାସହ ଉତ୍ତେଜନା କମିବା ପରେ କେତେକ ସର୍ତ୍ତ ସହ ବନ୍ଧକ ପାଇଲଟଙ୍କୁ ଛାଡିବାକୁ ପ୍ରସ୍ତୁତ ବୋଲି ମଧ୍ୟ ପାକ୍ କହିଥିଲା ।

ଅନ୍ୟପଟେ ପାଇଲଟଙ୍କୁ ନେଇ କୌଣସି ପ୍ରକାର ଚୁକ୍ତି ହୋଇପାରିବ ନାହିଁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ  କହିଥିଲା । ପାଇଲଟ ଅଭିନନ୍ଦନଙ୍କୁ ତୁରନ୍ତ ସୁରକ୍ଷିତ ପାକିସ୍ତାନ ଛାଡ଼ିବା ଉଚିତ ବୋଲି ଭାରତ କହିଥିଲା । ପାଇଲଟଙ୍କର କୌଣସି କ୍ଷତି ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭାରତ ଚେତାବନୀ ମଧ୍ୟ ଦେଇଥିଲା ।

ଆଉ ତା’ରି ଭିତରେ ପ୍ରତିକ୍ରିୟା ରଖିଥଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଥିଲେ ଭାରତ ଓ ପାକିସ୍ତାନରୁ ଭଲ ଖବର ଆସୁଛି । ଦୀର୍ଘ ଦଶନ୍ଦି ଦଶନ୍ଦି ଧରି ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ଶେଷ ହେବାର ସମୟ ଆସୁଛି । ଖୁବ ଶୀଘ୍ର ଭାରତ ପାକ୍ ଝଗଡ଼ା ଶେଷ ହେବ ବୋଲି କହିଥିଲେ ଡୋନାଲ୍ଡ ଟ୍ରମ୍ପ ।

ଆଉ ତା’ପରେ ପାକିସ୍ତାନ ଦେଲା ଭଲ ଖବର । ଭାରତୀୟ ପାଇଲଟଙ୍କୁ ଛାଡ଼ିବା ପାଇଁ ରାଜି ହୋଇଗଲା ପାକିସ୍ତାନ୍ । ଆସନ୍ତାକାଲି ଭାରତୀୟ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମୁକ୍ତ କରିବ ପାକିସ୍ତାନ । ଏନେଇ ପାକିସ୍ତାନ ସଂସଦର ମିଳିତ ଅଧିବେଶନରେ ଘୋଷଣା କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଆମେ ଶାନ୍ତି ଚାହୁଁଛୁ, ତେଣୁ ଆସନ୍ତାକାଲି ଭାରତୀୟ ପାଇଲଟକୁ ଛାଡ଼ିବୁ । ଶାନ୍ତିର ପ୍ରତୀକ ଭାବେ ଆମେ ଏପରି ପଦକ୍ଷେପ ନେଇଛୁ ବୋଲି କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ।  ଭାରତୀୟ ପାଇଲଟକୁ ଅନ୍ତର୍ଜାତୀୟ ରେଡ଼କ୍ରସ୍ ସଂସ୍ଥାକୁ ହସ୍ତାନ୍ତର କରିବ ପାକିସ୍ତାନ ।