ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସାଂଘାତିକ ବୟାନ । ପୁଲୱାମା ପରି ଆଉ ଏକ ଘଟଣା ଦେଖିବ ଭାରତ

1,703

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପରେ ଚିହିଁକି ଉଠିଛି ପାକିସ୍ତାନ । ପାକିସ୍ତାନର ପ୍ରଧାନମନ୍ତ୍ରୀ ପରୋକ୍ଷରେ ଭାରତକୁ ଧମକ ଦେବାକୁ ପଛାଇ ନାହାନ୍ତି । ଧାରା ୩୭୦ର ଉଚ୍ଛେଦ ପରେ ଭାରତରେ ପୁଲୱାମା ଭଳି ଅଧିକ ଘଟଣା ଦେଖିବାକୁ ମିଳିବ । ପାକିସ୍ତାନ ସଂସଦର ମିଳିତ ଅଧିବେଶନରେ ଏଭଳି କହିଛନ୍ତି ଇମ୍ରାନ । ଭାରତ ସରକାର ଯାହା କରିଛନ୍ତି ତାହା ଯୁଦ୍ଧ ଅପରାଧ । ଭବିଷ୍ୟତରେ ଅଧିକରୁ ଅଧିକ ପୁଲଓ୍ଵାମା ପରି ଘଟଣା ହେବ ପରୋକ୍ଷରେ ଧମକ ଦେଇଛନ୍ତି ଇମ୍ରାନ ।

ଇମ୍ରାନ କହିଛନ୍ତି ଯେ ବିଜେପି ହେଉଛି ଏକ ହିନ୍ଦୁତ୍ୱବାଦୀ ଦଳ ଯିଏକି ହିନ୍ଦୁମାନଙ୍କୁ ଅନ୍ୟ ସଂପ୍ରଦାୟର ଲୋକମାନଙ୍କ ଅପେକ୍ଷା ଉଚ୍ଚ ବୋଲି ଭାବେ । ଦଳର ଏହି ହିନ୍ଦୁତ୍ୱବାଦୀ ଆଦର୍ଶକୁ ପାଳନ କରିବାକୁ ଯାଇ କାଶ୍ମୀରରୁ ଧାରା ୩୭୦ ଉଠାଇ ଦିଆଯାଇଛି । ବିଜେପି କାଶ୍ମୀର ଲୋକମାନଙ୍କୁ ହିନ୍ଦୁମାନଙ୍କ ପରି ସମାନ ମଣିଷ ବୋଲି ଭାବେ ନାହିଁ, ଏଣୁ ସେମାନଙ୍କ ସ୍ୱାଧୀନତା ଆନ୍ଦୋଳନକୁ ଦବାଇବାକୁ ଚାହୁଁଛି । ଏପରି କରି ସେମାନ କେବଳ ଅନ୍ତର୍ଜାତୀୟ ନିୟମ ନୁହେଁ, ନିଜ ଦେଶର ନିୟମର ଉଲ୍ଲଙ୍ଘନ କରୁଛନ୍ତି ବୋଲି ଇମ୍ରାନ କହିଛନ୍ତି । ଏଣୁ ଆମ ଲଢେଇ ଏକ ଜାତିବାଦୀ ସାଂପ୍ରଦାୟିକ ଦଳ ସହିତ ବୋଲି ସେ କହିଛନ୍ତି ।

ଇମ୍ରାନ କହିଛନ୍ତି, ବିଜେପି ଏବେ ଦଳର ପ୍ରତିଷ୍ଠାତାଙ୍କ ଜାତିବାଦ ବିଚାରଧାରା ଉପରେ କାମ କରୁଛି । ଏପରିକି ମିଳିତ ଅଧିବେଶନରେ କହିଛନ୍ତି, ମହମ୍ମଦ ଜିନ୍ନାଙ୍କ ହିନ୍ଦୁସ୍ତାନକୁ ବିଭାଜନ ନିଷ୍ପତିକୁ ସମର୍ଥନ କରିବା ସଠିକ୍ ଥିଲା । କାରଣ ସେ ଜାଣିଥିଲେ ଯେ ଆରଏସଏସ ଭାରତକୁ କେବଳ ହିନ୍ଦୁ ମାନଙ୍କ ରାଷ୍ଟ୍ର କରିବାକୁ ଚାହୁଁଥିଲେ । କିନ୍ତୁ ସବୁ ମଣିଷଙ୍କୁ ସମାନ ଅଧିକାର ଦେବା ପାଇଁ ପାକିସ୍ତାନ ଗଠନ ହୋଇଥିଲା ।

କାଶ୍ମୀରରୁ ଧାରା ୩୭୦ ଉଠାଇବା ପାଇଁ ଭାରତର ଘୋଷଣା ପରେ ପାକିସ୍ତାନରେ ଏହାକୁ ନେଇ କଡା ବିରୋଧ ପ୍ରକାଶ ପାଇଛି । ପାକିସ୍ତାନ ସରକାର ଭାରତ ସରକାରଙ୍କ ଏହି ପଦକ୍ଷେପକୁ ବେଆଇନ ବୋଲି ଘୋଷଣା କରିବା ସହ ଜାତିସଂଘର ସୁରକ୍ଷା ପରିଷଦରେ ଏହି ପ୍ରସଙ୍ଗ ଉଠାଯିବ ବୋଲି କହିଛନ୍ତି ।