କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ଗତ ନଭେମ୍ବର ୧ ତାରିଖ ଠାରୁ ଧାନ କ୍ରୟ ପାଇଁ ଘୋଷଣା କରାଯାଇଥିଲା । ୨୦ ଦିନ ପରେ ମଧ୍ୟ ମିଲର୍ସ ଚୁକ୍ତି ନକରିବା ନେଇ ଚାଷୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି । ଧାନ କିଣାରେ ବିଳମ୍ବ ଯୋଗୁଁ ଚାଷୀ କମ୍ ମୂଲ୍ୟରେ ଦଲାଲ ହାତରେ ଟେକି ଦେଉଛନ୍ତି । ଏହି ଧାନ ଏବେ ଦଲାଲ ମାଧ୍ୟମରେ ଛତିଶଗଡ଼ ଚାଲାଣ ହେଉଥିବା ଦେଖିବାକୁ ମିଳୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କଳାହାଣ୍ଡି ଜିଲ୍ଲାରେ ଗତ ନଭେମ୍ବର ୨ ତାରିଖ ଠାରୁ ଧାନ କ୍ରୟ ପାଇଁ ଜିଲ୍ଲା ପ୍ରଶାସନ ଘୋଷଣା କରିଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଧାନ କ୍ରୟ ପାଇଁ ଆନୁସଙ୍ଗିତ ବ୍ୟବସ୍ଥା ହୋଇପାରି ନାହିଁ । ମିଲର୍ସ ମାନଙ୍କ ଅସହଯୋଗ ଯୋଗୁଁ ଧାନ କ୍ରୟ ଏବେ ମିଲର୍ସ ପାଖରେ ବନ୍ଧାପଡିଛି । ମିଲର୍ସମାନେ ଜାଣିଶୁଣି ଦଲାଲ ଜରିଆରେ ଅଣ୍ଡର ରେଟରେ ଧାନ କ୍ରୟ କରି ପଡୋଶୀ ଛତିଶଗଡକୁ ଚାଲାଣ କରୁଥିବା ଅଭିଯୋଗ ହେଉଛି ।
ଲଡୁଗାଁ ଠାରେ ମୁଖ୍ୟ ଦଲାଲମାନେ କିଛି ମିଲର୍ସଙ୍କ ସହିତ ମିଶି ଲଡୁଗାଁରୁ କାଉଡୋଲା, ଡୁଙ୍ଗରିଗୁଡା, ବେହେରା ଦେଇ ଛତିଶଗଡ ଝାକରପଡା ଧାନ ମଣ୍ଡିର ବ୍ୟବସାୟୀଙ୍କ ପାଖରେ ଧାନ ପହଞ୍ଚାଇ ଦେଉଛନ୍ତି । ସେଠାରେ ପ୍ରାୟ ୧୪୦୦ ଟଙ୍କାରେ ଚାଷୀ ଧାନ ଦେଉଥିବା ବେଳେ ଛତିଶଗଡି ବେପାରୀମାନେ କାଗଜପତ୍ର କରି ପ୍ରାୟ ୧୭୫୦ ଟଙ୍କାରେ ବିକ୍ରୟ କରୁଛନ୍ତି । ଓଡିଶାରେ ଧାନ କ୍ରୟରେ ବିଳମ୍ବ ନେଇ ଚାଷୀ କମ୍ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକ ଦେଖାଣିଆ କାଁ ଭାଁ ଚଢଉ କରାଯାଇ ଦଲାଲ ମାନଙ୍କୁ କ୍ଲିନଚିଟ ଦେଉଥିବା ଯୋଗୁଁ ଚାଷୀ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ଧାନ ବିକ୍ରି ପାଇଁ ପ୍ରତିବନ୍ଧକ ନାହିଁ । ଚାଷୀ ଅଣ୍ଡର ରେଟରେ ଧାନ ବିକ୍ରି କରୁଥିବା ନେଇ ଆମକୁ ଅଭିଯୋଗ କରୁନାହାନ୍ତି, ତେଣୁ କାର୍ୟ୍ୟାନୁଷ୍ଠାନ ନିଆଯାଇ ପାରୁନାହିଁ ବୋଲି କହିଥିଲେ ।