ଅଭାବର ଗଡ ନଗଡ଼ା ! ଅପପୁଷ୍ଟିର ଶିକାର ମାଳମାଳ ଶିଶୁ, ଯୁଆଡେ ଚାହିଁଲେ ଖାଲି କଙ୍କାଳସାର ଚେହେରା

30

କନକ ବ୍ୟୁରୋ : ନଗଡାରେ ପୁଣି ଅପପୁଷ୍ଟି । ଜଣେ କି ଦି’ ଜଣ ନୁହନ୍ତି, ନଗଡ଼ାରେ ଏବେ ମାଳମାଳ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ବି ସଙ୍ଗୀନ ରହିଛି । ତୁରନ୍ତ ପୁଷ୍ଟି ସାଧନ କେନ୍ଦ୍ରରେ ଭର୍ତ୍ତି ନକଲେ ସେମାନଙ୍କ ଅବସ୍ଥା ଆହୁରି ବିଗିଡ଼ିଯିବ । ନଗଡ଼ା ପାଇଁ ରାଜ୍ୟ ପୁଣିଥରେ ଦେଶ ବିଦେଶରେ ନିନ୍ଦିତ ହେବ । ପ୍ରଶାସନ ଏହା ଜାଣିସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଦେଖିବାକୁ ମିଳିଛି ।
ଗତବର୍ଷ ଅପପୁଷ୍ଟିର ଶିକାର ହୋଇ ୧୯ ଶିଶୁ ପ୍ରାଣ ହରାଇଥିଲେ । ଚଳିତବର୍ଷ ୩ ଜଣ ଶିଶୁ ସେହି ସାମନ କାରଣ ଯୋଗୁ ପ୍ରାଣ ହରାଇସାରିଛନ୍ତି । ଏପ୍ରିଲ୍‌ ୨୪ ଓ ମେ ୨୩ ତାରିଖରେ ଦୁଇ ଜଣ ଶିଶୁ ପ୍ରାଣ ହରାଇଥିବାବେଳେ ଗତ ଜୁଲାଇ ୨୧ ତାରିଖରେ ଅପପୁଷ୍ଟିର ଚର୍ଚ୍ଚିତ ଚେହେରା କୁହାଯାଉଥିବା ମାନସୀର ବି ମୃତ୍ୟୁ ହୋଇଯାଇଛି । ବର୍ଷକ ମଧ୍ୟରେ ୨୨ ଜଣ ଶିଶୁଙ୍କର ପ୍ରାଣଯାଇଛି । ମାତ୍ର ପ୍ରଥମରୁ ଅପପୁଷ୍ଟି, ନୁହେଁ ମ୍ୟାଲେରିଆରେ ଏହି ଶିଶୁଙ୍କର ପ୍ରାଣ ଯାଇଥିବା ପ୍ରଶାସନ ଦାବି କରି ଆସୁଛି ।

ହାଇକୋର୍ଟରେ ସତ୍ୟପାଠ କରି ଏହା ଜଣାଇସାରିଛି । ଏବେ ମଧ୍ୟ ପ୍ରଶାସନର ମନ୍ତବ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।  ନଗଡାର ପାରିପାର୍ଶ୍ୱିକ ଯୋଜନା ଉପରେ ଗୁରୁତ୍ୱ ଦେଉଥିଲେ ମଧ୍ୟ ଏହି ଶିଶୁମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୋଇନାହିଁ । ଫଳରେ, ପୁଣିଥରେ ଏହି ଜୁଆଙ୍ଗ ଶିଶୁମାନେ ଅପପୁଷ୍ଟିର ଶିକାର ହୋଇଥିବା ଦେଖିବାକୁ ମିଳିଛି ।
କୌଣସି ପରିସ୍ଥିତିରେ ନଗଡ଼ା ଜୁଆଙ୍ଗମାନେ ଲଗାତାର ତିନିଦିନରୁ ଅଧିକ ସମୟ ଧରି ଗାଁ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି । ଯାହାର କୁପ୍ରଭାବ ଶିଶୁମାନଙ୍କ ଉପରେ ପଡ଼ିଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟିନଦେଲେ ପରିସ୍ଥିତି ପୁଣିଥରେ ଅଣାୟତ୍ତ ହେବାର ଆଶଙ୍କା ଦେଖାଦେଇଛି ।