ସଲମାନଙ୍କ ଭାଉଜ ହେବେ ଭାଗ୍ୟଶ୍ରୀ !

131

ଦିନେ ସଲମାନଙ୍କ ସହ ରୋମାନ୍ସ କରିଥିବା ଅଭିନେତ୍ରୀ ଆଜି ତାଙ୍କ ଭାଉଜ ହେବାକୁ ଚାହାଁନ୍ତି । ସେ ହେଉଛନ୍ତି “ମୈନେ ପ୍ୟାର କିୟା’ ସିନେମାରେ ସଲମାନଙ୍କ ପ୍ରେମିକା ରୋଲରେ ଅଭିନୟ କରିଥିବା ଅଭିନେତ୍ରୀ ଭାଗ୍ୟଶ୍ରୀ । ତେବେ ସାଲମାନଙ୍କ ଭାଉଜ ସେ ରିୟଲ୍ ଲାଇଫରେ ନୁହେଁ ରିଲ୍ ଲାଇଫରେ ହେବେ । ସୁଯୋଗ ମିଳିଲେ ରୂପେଲି ପରଦାରେ ସଲମାନଙ୍କ ଭାଉଜ ଭୂମିକାରେ ମଧ୍ୟ ଅଭିନୟ କରିବେ ବୋଲି ନିକଟରେ ଏକ ସାକ୍ଷାତକାରରେ ଏକଥା ନିଜେ ଭାଗ୍ୟଶ୍ରୀ କହିଛନ୍ତି ।

୯୦ ଦଶକର ଜଣେ ଚର୍ଚ୍ଚିତ ଅଭିନେତ୍ରୀ ଥିଲେ ଭାଗ୍ୟଶ୍ରୀ । କିନ୍ତୁ ଅଳ୍ପ କିଛି ହାତ ଗଣତି ସିନେମା କରିବା ପରେ ହଠାତ ସେ ବଲିଉଡ ଜଗତରୁ ସନ୍ୟାସ ନେଇ ଯାଇଥିଲେ । ଏବେ ପୁଣିଥରେ ଅଭିନେତ୍ରୀ ଭାଗ୍ୟଶ୍ରୀ ହିନ୍ଦି ସିନେମା ଜଗତକୁ ଫେରିବା ପାଇଁ ଚାହୁଁଛନ୍ତି ଏବଂ ଏଥିପାଇଁ ରୂପେଲି ପରଦାରେ ସେ ସଲମାନଙ୍କ ଭାଉଜ ହେବା ପାଇଁ ମଧ୍ୟ ରାଜି ଅଛନ୍ତି । ତେବେ ସିନେମା ଜଗତରୁ ଦୂରେଇ ଯିବା ଘଟଣା କଥା ପଚାରିବାରୁ ସେ କହିଛନ୍ତି ଯେ ତାଙ୍କ ସ୍ୱାମୀ ସିନେମାରେ ନାୟକଙ୍କ ସହ ସ୍କ୍ରିନ ରୋମାନ୍ସକୁ ନେଇ ବିଲକୁଲ ସହଜ ନଥିଲେ ।

ଏବେ ଭାଗ୍ୟଶ୍ରୀ ସିନେମାରେ ନିଜର ତୃତିୟ ଇନିଂସ ଆରମ୍ଭ କରିବା ପାଇଁ ମନସ୍ଥ କରିଛନ୍ତି । ସେ ପୂର୍ବ ଅପେକ୍ଷା ଅଧିକ ଆତ୍ମବିଶ୍ୱାସରେ ଭରପୁର ଅଛନ୍ତି । ଏବେ କେବଳ ସେ ଭଲ ସୁଯୋଗର ଅପେକ୍ଷାରେ ଅଛନ୍ତି । ଦେଖିବାକୁ ବାକି ରହିଲା ତାଙ୍କର ଏ ସ୍ୱପ୍ନ କେବେ ପୂରଣ ହେବ ।