ଲୋକସଭା ଭବନରେ ଚାଲିଲା ଅଫିସରଙ୍କ ଓଡିଆ କ୍ଲାସ । ଭାଷାବିତ୍ ପଢାଇଲେ, କେଉଁଠି ଲାଗିବ ଇ, କେଉଁଠି ଲାଗିବ ଈ । ନିର୍ଭୁଲ୍ ଓଡିଆରେ ହେବ ସରକାରୀ କାମ

422

କନକ ବ୍ୟୁରୋ : ଲୋକସେବା ଭବନର ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଅଧିକାରୀ ଶିଖୁଛନ୍ତି ଓଡିଆ ଭାଷା । ଏହି କ୍ଲାସରେ ଓଡିଆ ଭାଷା, ଶବ୍ଦ ଓ ବ୍ୟାକରଣର ବ୍ୟବହାର ସମ୍ପର୍କରେ ଶିକ୍ଷା ଦିଆଯାଉଛି । ବିଶେଷକରି ପ୍ରଶାସନିକ ଶବ୍ଦଚୟନ ଏବଂ ଶବ୍ଦଗଠନ ଉପରେ ଗୁରୁତ୍ୱ ଦିଆଯାଉଛି । ଗତ ୨୧ତାରିଖରୁ ଆରମ୍ଭ ହୋଇଥିବା ଏହି ଓଡିଆ କ୍ଲାସ ୫ଦିନ ଧରି ଚାଲିବ । କେଉଁଠି ଇ ଲାଗିବ ଏବଂ ଈ ଲାଗିବ ତାକୁ ନେଇ ରୀତିମତ ପାଠପଢା ଆରମ୍ଭ ହୋଇଛି ।

ସରକାରୀ ବାବୁଙ୍କ ଓଡିଆ ଶିକ୍ଷା । ଓଡିଆ ଭାଷା ସମ୍ପର୍କିତ ଶିକ୍ଷାଦାନ ଚାଲିଛି । ଆଉ ଶିକ୍ଷା ନେଉଛନ୍ତି ଲୋକସେବା ଭବନର ଅଧିକାରୀ । ଏମାନଙ୍କ ମଧ୍ୟରେ ଅଛନ୍ତି ସଚିବ ସ୍ତରର ଅଧିକାରୀ । ପ୍ରଥମ ଦିନରେ ମାନକ ଭାଷା, କଥିତ ଭାଷା, ଲିଖିତ ଭାଷା ଉପରେ ଶିକ୍ଷା ଦିଆଯାଇଛି । ଏଥିସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ହେଉଛି । ଦ୍ୱିତୀୟ ଦିନରେ ଓଡିଆ ଭାଷାର ପ୍ରଶାସନିକ ପ୍ରୟୋଗ, ସଂଖ୍ୟା ଓ ତାରିଖର ବ୍ୟବହାର ଶୈଳି, ଓଡିଆ ଭାଷା ବ୍ୟବହାର ଉପରେ କୁହାଯାଇଛି ।

କ୍ଲାସରେ ଓଡିଆ ଭାଷାର ମହତ୍ୱ, ସରକାରୀ ସ୍ତରରେ ଏହାର ଉପଯୋଗିତା ଏବଂ ସାଧାରଣ ଲୋକଙ୍କ ନିମନ୍ତେ ଭାଷାର ବ୍ୟବହାର ଉପରେ ଶିକ୍ଷା ଦିଆଯାଇଛି । ଏଥିସହ ଓଡିଆ ଭାଷା, ଶବ୍ଦ, ବ୍ୟାକରଣର ବ୍ୟବହାର ସମ୍ପର୍କରେ କୁହାଯାଇଛି । ପ୍ରଶାସନିକ ଶବ୍ଦ ଚୟନ ଠାରୁ ଆରମ୍ଭ କରି ଶବ୍ଦ ଗଠନ, ବନାନରେ ଶୁଦ୍ଧତା, ଚିଠା ପ୍ରସ୍ତୁତି, ଟିପ୍ପଣୀ ପ୍ରସ୍ତୁତି, ଆଦେଶନାମା ପ୍ରସ୍ତୁତି ନେଇ ଶିକ୍ଷା ଦିଆଯାଇଛି ।

ବିଶେଷକରି ସରକାରୀ କାର୍ଯ୍ୟାଳୟରେ ଓଡିଆ ଭାଷାର ବ୍ୟବହାର, ଏବଂ ସରକାରୀ କଳରେ ଓଡିଆ ଭାଷାର ପ୍ରୟୋଗକୁ ଏହି ଶିକ୍ଷାଦାନରେ ଗୁରୁତ୍ୱ ଦିଆଯାଇଛି । ଓଡିଆ ଭାଷା ପ୍ରତିଷ୍ଠାନ ଆନୁକୁଲ୍ୟରେ ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଓଡିଆ ଶିକ୍ଷା ୫ଦିନ ଧରି ଚାଲିବ । ଏହି ଶିକ୍ଷାଦାନ ପ୍ରକ୍ରିୟାରେ ୧୫ଟି ବିଭାଗର ୪୦ଜଣ ଅଧିକାରୀ ଭାଗ ନେଇଛନ୍ତି ।