ଶ୍ରୀମନ୍ଦିର ପାଇଁ ସ୍ୱଇଚ୍ଛାରେ ଜମି ଛାଡିଥିଲେ । ୧୧ ପରିବାରକୁ ଡାକି ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ଏଭଳି ମହତ୍ କାମରେ ସାମିଲ ହେବାକୁ ଅନ୍ୟମାନଙ୍କୁ ଅପିଲ୍ କଲେ ନବୀନ ।

505

କନକ ବ୍ୟୁରୋ : ଶ୍ରୀମନ୍ଦିର ପାଇଁ ସ୍ୱେଚ୍ଛାକୃତ ଭାବେ ଜମି ଦେଇ ସମ୍ବର୍ଦ୍ଧିତ ହେଲେ ୧୧ ପରିବାର । ଶ୍ରୀମନ୍ଦିର ମେଘନାଦ ପାଚେରୀ ଚାରିପଟୁ ସ୍ୱେଚ୍ଛାକୃତ ଭାବେ ଜାଗା ଛାଡିଥିଵା ୧୧ଟି ପରିବାରକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ଲୋକ ସେବା ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ୧୧ ପରିବାରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି ସ୍ୱଇଚ୍ଛାରେ ଜମି ଛାଡିଥିବାରୁ ଏହି ପରିବାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ବଡ ପରିଚୟ । ତେଣୁ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ସ୍ୱଇଚ୍ଛାରେ ଜମି ପ୍ରଦାନ କରି ଏହି ପରିବାର ବଡ ତ୍ୟାଗ କରିଛନ୍ତି । ଏଭଳି ମହାନ କାର୍ଯ୍ୟରେ ସାମିଲ ହୋଇଥିବାରୁ ଇତିହାସ ଏହି ପରିବାରକୁ ମନେ ରଖିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଛଡା ସ୍ୱଇଚ୍ଛାରେ ଜମି ଦେଇ ସରକାରୀ ପ୍ୟାକେଜର ସୁବିଧା ହାତେଇବାକୁ ମଧ୍ୟ ଅପିଲ କରିଛନ୍ତି ନବୀନ ।

ସ୍ୱେଚ୍ଛାକୃତ ଭାବେ ଜମି ପ୍ରଦାନ କରିଥିବାରୁ ରାଜ୍ୟ ସରକାରଙ୍କ ପ୍ୟାକେଜ ଅନୁଯାୟୀ, ୧୦ପ୍ରତିଶତ ଅଧିକ ଇନସେନଟିଭ ପ୍ରଦାନ କରାଯାଇଛି । ଏବଂ ଆଗାମୀ ଦିନରେ ଯେଉଁମାନେ ଜମି, ଘର ହସ୍ତାନ୍ତର କରିବେ ସେମାନଙ୍କୁ ମଧ୍ୟ ୧୦%ଇନସେନଟିଭ ଦିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପୁରୀ ଉପଜିଲ୍ଲାପାଳ ଭବତରଣ ସାହୁ ।

ଏଭଳି ମହତ୍ କାର୍ଯ୍ୟରେ ନିଜକୁ ସାମିଲ କରିଥିବାରୁ ଖୁସି ଥିବା କହିଛନ୍ତି ସମ୍ବର୍ଦ୍ଧିତ ହୋଇଥିବା ପରିବାର । ସରକାରଙ୍କ ଏହି ଯୋଜନା ଏକ ମହାନ ଯୋଜନା । ଶ୍ରୀମନ୍ଦିର ସୁରକ୍ଷା ପ୍ରଥମ ପ୍ରାଥମିକତା ବୋଲି କହିଛନ୍ତି ସ୍ୱଇଚ୍ଛାରେ ଜମି ଛାଡିଥିବା ପରିବାର ।