ଫନି କ୍ଷତିଗ୍ରସ୍ତଙ୍କୁ ପକ୍କାଘର ସହାୟତା ଦେବାରେ ବଡ ଘୋଟାଲା । ସରପଞ୍ଚଙ୍କୁ ମିଳିଛି ଘର ହେଲେ ଯୋଗ୍ୟ ହିତାଧିକାରୀ ନିରାଶ, ସର୍ଭେ କରୁଥିବା ଶିକ୍ଷକଙ୍କୁ ବି ମିଳିଲା ଆବାସ ଯୋଜନାରେ ଘର

321

କନକ ବ୍ୟୁରୋ : ବାତ୍ୟା ଫୋନି ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ କେମିତି ସହାୟତା ମିଳୁଛି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯାହା ପାଖରେ ଦୁଇ ମହଲା ଘର ଅଛି ତାଙ୍କୁ ଆବାସ ଯୋଜନା ଘର ମିଳୁଛି । ଆଉ ଯାହା ପାଖରେ କିଛି ନାହିଁ ତାକୁ କିଛି ମିଳିପାରୁନାହିଁ । ଏଭଳି ଏକ ଖବର ଅସ୍ତରଙ୍ଗରୁ ସାମ୍ନାକୁ ଆସିଛି ।

ଯୁଗେଶ୍ୱର ତ୍ରିପାଠୀ । ପୁରୀ କାକଟପୁର ବ୍ଲକ ଲତାହରଣ ପଂଚାୟତର ବାବୁ ଜଣକ ପେଶାରେ ଜଣେ ଶିକ୍ଷକ । ରସୁଲପୁର ହାଇସ୍କୁଲରେ ଶିକ୍ଷକତା କରନ୍ତି । ଫନିରେ କ୍ଷତିଗ୍ରସ୍ତ ହୋଇଥିବା କେଉଁ ଲୋକଙ୍କୁ ପକ୍କା ଘର ଦିଆଯିବ, ତାର ସର୍ଭେ ଦାୟିତ୍ୱରେ ଥିଲେ । ଏବେ ଏହି ବାବୁଙ୍କ ଘରକୁ ଉପରେ ନଜର ପକାନ୍ତୁ । ଚକାଚକ ୨ ମହଲା କୋଠା । କିନ୍ତୁ ଫନିରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଦିଆଯାଇଥିବା ପକ୍କା ଘର ଯୋଜନାର ତାଲିକା ଉପରେ ନଜର ପକାନ୍ତୁ । ଯେଉଁ ତାଲିକାଟି ଲତାହରଣ ପଞ୍ଚାୟତର କାନ୍ଥରେ ଲଗାଯାଇଛି । ଏହି ତାଲିକାର ୩୧୫ ନଂରେ ଏ ବାବୁଙ୍କର ନାଁ ରହିଛି । ଅର୍ଥାତ ଯୋଗ୍ୟ ନଥାଇ ବି କିଭଳି ଚଂଚକତା କରି ନିଜ ନାଁକୁ ଏହି ତାଲିକାରେ ସାମିଲରେ କରିଛନ୍ତି ଇଏ ହେଉଛି ତାର ପ୍ରମାଣ ।

ମମତା ନାୟକ । ଲତାହରଣ ପଞ୍ଚାୟତର ବାସିନ୍ଦା । ସେ ଏଠାରୁ ନିର୍ବାଚିତ ହୋଇଥିବା ସରପଞ୍ଚ ମଧ୍ୟ । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ତାଲିକାରେ ସରପଞ୍ଚଙ୍କ ନାଁ ମଧ୍ୟ ରହିଛି । ସେହିପରି ମମତା ଶାଶୁଙ୍କ ସହ କିଛି ସଂପର୍କୀୟଙ୍କ ନାଁ ମଧ୍ୟ ଏହି ତାଲିକାରେ ରହିଛି । କିନ୍ତୁ ସରପଂଚଙ୍କ ସ୍ୱାମୀ କହିଛନ୍ତି ଆମେ ଆବେଦନ କରିନଥିଲୁ, କିଏ କରିଛି ଆମେ ଜାଣିନୁ । ଖାଲି ଏତିକି ନୁହେଁ, ପଂଚାୟତର ଅନେକ ବଡବଡିଆଙ୍କ ନାଁ ଏହି ତାଲିକାରେ ରହିଛି ।

ହେଲେ ବିଡମ୍ବନା ଦେଖନ୍ତୁ ଯେଉଁ ହିତାଧିକାରୀ ସରକାରୀ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ, ସେମାନଙ୍କ ନାଁ ମଧ୍ୟ ତାଲିକାରେ ନାହିଁ । ଫୋନିରେ କାହା ଘରର ଛପର ନାହିଁ, ତ କାହାର ଘର ଭାଙ୍ଗିଯାଇଛି । କିନ୍ତୁ ଏମାନଙ୍କୁ ମିଳିନି ଫନି ସହାୟତାର ପକ୍କାଘର । ଏପଟେ ଏଭଳି ଚଞ୍ଚକତାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିରୋଧୀ କଂଗ୍ରେସ । ଦଳୀୟ ଆଧାରରେ ହିତାଧିକାରୀ ଚିହ୍ନଟ କରାଯାଇଛି ବୋଲି କହିଛି କଂଗ୍ରେସ । ସରକାରୀ ଦଳର ନେତାଙ୍କ ନାଁ ତାଲିକାରେ ରହୁଥିବା ବେଳେ ପ୍ରକୃତ ହିତାଧିକାରୀଙ୍କ ନାଁ କେମିତି ବାଦ୍ ପଡୁଛି ସେନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁରୀ ଜିଲ୍ଲା ସମେତ ୧୪ଟି ଜିଲ୍ଲାର ୧୨ ଲକ୍ଷ ୭୫ ହଜାର ଲୋକଙ୍କୁ ଦିଆଯିବ ଫିନ ସହାୟତାରେ ପକ୍କା ଘର । କିନ୍ତୁ ହିତାଧିକାରୀ ଚୟନରେ ଏକ ବଡ ଗଡବଡର ଚିତ୍ର ସାମ୍ନାକୁ ଆସିଛି ।