କାଠଗଡାରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର

29

ଭୁବନେଶ୍ୱର : ସଂଗୀତ ନାଟକ ଏକାଡେମୀ ପୁରସ୍କାର ଅନିୟମିତତା ମାମଲା ଏବେ କୋର୍ଟର କାଠଗଡାରେ । ଏକାଡେମୀର ୨୦୧୪-୧୫ ଓ ୨୦୧୫-୧୬ ପରୁସ୍କାର ଘୋଷଣାରେ ଅନିୟମିତତା ନେଇ ଭୁବନେଶ୍ୱର କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଫିଲ୍ମ ନିର୍ଦେଶକ ରମେଶ ମହାନ୍ତି । କୋର୍ଟ ଏହି ମାମଲାକୁ ଗ୍ରହଣ କରିବା ସହ ସଂଗୀତ ନାଟକ ଏକାଡେମୀର ସଭାନେତ୍ରୀ ତୃପ୍ତି ଦାସଙ୍କୁ ନୋଟିସ ଜାରି କରିଛନ୍ତି । ପୁରସ୍କାର ଘୋଷାଣାରେ ହୋଇଥିବା ଅନିୟମିତତା ପ୍ରସଙ୍ଗରେ  ଏକାଡେମୀ ତରଫରୁ ପକ୍ଷ ରଖିବା ପାଇଁ କୋର୍ଟ ନୋଟିସ ଜାରି କରିଛନ୍ତି । ପୂର୍ବରୁ ୨୦୧୪-୧୫ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ସଚିବ ଧୀର ମଲ୍ଲିକଙ୍କ ପତ୍ନୀଙ୍କ ନାଁ ଘୋଷଣା ହେବା ପରେ ବିବାଦ ମୁଣ୍ଡ ଟେକିଥିଲା । ଏକାଡେମୀ ସମ୍ମାନ ପାରିବାରିକ ଘଟଣା ପାଲଟିଥିବା ଅଭିଯୋଗ  ହୋଇଥିଲା । ଏନେଇ କନକ ନୁ୍ୟଜରେ ପ୍ରଥମେ ଖବର ପ୍ରସାରଣ ହୋଇଥିଲା । ଏହାପରେ ସଂସ୍କୃତି ବିଭାଗ ପକ୍ଷରୁ ଏକାଡମୀକୁ ନୋଟିସ ଜାରି କରାଯାଇଥିଲା  । କେଉଁ ପରିପ୍ରେକ୍ଷୀରେ ସଚିବଙ୍କ ପତ୍ନୀଙ୍କୁ ପୁରସ୍କାର ପାଇଁ ଚୟନ କରାଯାଇଛି, ସେନେଇ ଜବାବ ମାଗିଥିଲେ ରାଜ୍ୟ ସଂସ୍କୃତି ବିଭାଗ  । ପରେ ପୁରସ୍କାର ତାଲିକାରେ ଥିବା ମନିଦୀପା, ସଚିବ ଧୀର ମଲ୍ଲିକଙ୍କ ପତ୍ନୀ ବୋଲି ଜାଣି ନଥିଲି କହି ଏହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ ସଭାନେତ୍ରୀ । ଏହି ସଂଗୀତ ନାଟକ ଏକାଡେମୀ ପୁରସ୍କାର ବିବାଦକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତି କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏବେ ଏହି ମାମଲାରେ କୋର୍ଟ ସଭାନେତ୍ରୀ ତୃପ୍ତି ଦାସଙ୍କୁ ପକ୍ଷ ରଖିବା ପାଇଁ ନୋଟିସ ଜାରି କରିଛନ୍ତି ।